ପୁରୀ ରେଳଷ୍ଟେସନର ନାମ ଶ୍ରୀଜଗନ୍ନାଥ ଧାମ ପୁରୀ କରିବାକୁ ରେଳମନ୍ତ୍ରୀଙ୍କୁ ଭେଟିଲା ପ୍ରତିନିଧି ଦଳ

ନୂଆଦିଲ୍ଲୀ: ପୁରୀ ରେଳଷ୍ଟେସନର ନାମ ବଦଳାଯାଇ ଶ୍ରୀଜଗନ୍ନାଥଧାମ ପୁରୀ କରିବାକୁ ଶ୍ରୀଜଗନ୍ନାଥ ସେନା ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବୀ ଜଣାଇଛନ୍ତି। ସ୍ଥାନୀୟ ରେଳ ଭବନ ଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ସାକ୍ଷାତ ବେଳେ ପୁରୀ ରେଳଷ୍ଟେସନ ନାମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ଯୋଡ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରତିନିଧି ଦଳର ଦାବୀ ଶୁଣିବା ପରେ ଏହି ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଶ୍ରୀଜଗନ୍ନାଥ ସେନାର ଆବାହକ ପିୟଦର୍ଶନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ପ୍ରତିନିଧି ଦଳ ରେଳମନ୍ତ୍ରୀଙ୍କୁ ଜଣାଇଥିଲା ଯେ ଏହି ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ଦିଆଯାଇଛି ଏବଂ ଆଉଥରେ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇବୁ। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ଦ୍ୱାରା ହିଁ ପୁରୀ ରେଳଷ୍ଟେସନର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥଧାମ ପୁରୀ କରାଯାଇପାରିବ। ରେଳ ଷ୍ଟେସନର ନାମ ବଦଳାଇବକୁ ରେଳମନ୍ତ୍ରୀ ରାଜି ଅଛନ୍ତି ଏବଂ ଆଗାମୀ ଦିନରେ ପ୍ରଚେଷ୍ଟା କରିବାକୁ ଭରସା ଦେଇଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Comments are closed.