ଗଡ଼ିଲା ପ୍ରଥମ ମାଲବାହୀ ଟ୍ରେନ୍‌, ପାସେଞ୍ଜର ଟ୍ରେନ୍‌ ଦାବିରେ ରେଳରୋକ

ନବନିର୍ମିତ ହରିଦାସପୁର-ପାରାଦ୍ବୀପ ରେଳପଥରେ ଶୁକ୍ରବାର ପ୍ରଥମ ଥର ପାଇଁ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରିଛି। ତେବେ ପ୍ରଥମ ଦିନରେ ହିଁ ସ୍ଥାନୀୟ ଲୋକେ ଏହି ରେଳପଥରେ ପାସେଞ୍ଜର ଟ୍ରେନ୍‌ ଦାବିରେ ମାଲ୍‌ବାହୀ ଟ୍ରେନ୍‌ଟିକୁ ଅଟକାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ପାରାଦ୍ୱୀପ ବନ୍ଦରରୁ କୋଇଲା ବୋଝେଇ ଟ୍ରେନ ଶୁକ୍ରବାର ପୂର୍ବାହ୍ଣ ୧୧.୧୫ରେ ହରିଦାସପୁର ଅଭିମୁଖେ ଛାଡ଼ିଥିଲା। ପ୍ରାୟ ଦିନ ୧୧.୪୦ ବେଳକୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ବ୍ଲକ ନୂଆଗାଁ ପ୍ଲାଟ ଫର୍ମରେ ସ୍ଥାନୀୟ ଲୋକେ ରେଳଗାଡିକୁ ଅଟକାଇ ଥିଲେ। ଯାତ୍ରୀବାହୀ ଟ୍ରେନ ନ ଚାଲିଲେ କେନ୍ଦ୍ରାପଡ଼ା ଛାତିରେ ଖାଲି ମାଲବାହୀ ଟ୍ରେନ ଚାଲିବନି ବୋଲି ସେମାନେ ଦାବି କରିଥିଲେ। ପ୍ରାୟ ୮୨ କିଲୋମିଟର ଦୀର୍ଘ ଏହି ରେଳପଥରେ ମାଲ୍‌ ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି। ପାରାଦ୍ୱୀପ ବନ୍ଦର ବାଟେ ଭାରତରୁ ବିଦେଶକୁ ଖଣିଜ ପଦାର୍ଥ ରପ୍ତାନି ହେବ ଓ ବିଦେଶରୁ ଉନ୍ନତ ମାନର କୋଇଲା, ଚିନି, ଗହମ ଓ ଅନ୍ୟାନ୍ୟ ପଦାର୍ଥ ଆମଦାନୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆନ୍ଦୋଳନକରୀ ଅଭିଯୋଗ କରିଛନ୍ତି ଯେ ରେଳସେବାରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲାବାସୀ ହଜାର ହଜାର ଏକର ମୂଲ୍ୟବାନ ଜମି ହରାଇ ଆଶା କରିଥିଲେ କି ରେଳଗାଡ଼ି ଚାଲିଲେ କୃଷିପ୍ରଧାନ ଜିଲା କେନ୍ଦ୍ରାପଡ଼ାର କୃଷକଟିଏ ତା’ର ଜମିରୁ ଉତ୍ପାଦିତ ପନିପରିବା ନେଇ ବାହାର ସହରରେ ବ୍ୟବସାୟ କରିବ। ମାଲ୍‌ବାହୀ ରେଳ ଚାଲିବା ଯୋଗୁଁ ଏବେ ଏହି ଆଶା ମିଳେଇ ଯାଇଛି। ରେଳଗାଡ଼ି ଚଳେଇ ଦେଇ ସରକାର କେନ୍ଦ୍ରାପଡ଼ା ଜିଲାକୁ ଏକ ରେଳ ନ ଥିବା ଜିଲା ମାନଚିତ୍ରରୁ ହଟାଇ ଦେଇଛନ୍ତି ସିନା; ନିଜ ଜିଲାରୁ ରେଳରେ ଚଢ଼ି ଅନ୍ୟତ୍ର ଯିବା ସ୍ବପ୍ନ ପୂରଣ କରିବାରେ ବିଫଳ ହୋଇଛନ୍ତି।

ହରିଦାସପୁର – ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଇବାକୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାର ଏହାର ଉତ୍ତର ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି। କେନ୍ଦ୍ରାପଡ଼ା ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବିଚାର ଅଭିଯୋଗ ଆଣି ଆେନ୍ଦାଳନକାରୀ ମାଲ୍‌ବାହୀ ଟ୍ରେନ୍‌ଟିକୁ ଅଟକାଇ ରେଳଧାରଣା ଉପରେ ବସି ରହିଥିଲେ।

ଆନ୍ଦୋଳନରେ ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ଜ୍ୟୋତିରଞ୍ଜନ ଖଟୁଆ, ସମାଜସେବୀ ଅରକ୍ଷିତ ବେହେରା, ସରପଞ୍ଚ ଉତ୍ତରା ତରାଇ, ସରପଞ୍ଚ ପ୍ରଦୀପ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜିନୀ ସେଠୀ, ହେମନ୍ତ ସାହୁ, ବଟକୃଷ୍ଣ ସାହୁ, ବିଦ୍ୟାଧର ସ୍ୱାଇଁ, ବିଭୂତି ସ୍ୱାଇଁ, ପତିତପାବନ ସାହୁ, ପତିତପାବନ ବାରିକ, ବଂଶୀଧର ସେଠୀଙ୍କ ସମେତ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ। ପାସେଞ୍ଜର ଟ୍ରେନ ଚଳାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନକାରୀ ନୂଆଗାଁ ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ମାଲବାହୀ ଟ୍ରେନଟି ପାରାଦ୍ୱୀପ ଅଭିମୁଖେ ଫେରିଯାଇଥିବା ଜଣାପଡ଼ିଛି।

ରେଳରୋକ ସଂପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି ଯେ ବର୍ତ୍ତମାନ ଏହି ମାଲବାହୀ ଟ୍ରେନ ଚଳାଚଳ ନିୟମିତ ନୁହେଁ; ଏହା ଏକ ଟ୍ରାଏଲ୍ ରନ୍। ତେଣୁ ପ୍ରଥମ ଦିନରୁ ରେଳରୋକ କରାଯିବା ଉଚିତ୍ ନୁହେଁ। ନିକଟରେ ହୋଇଥିବା ଉଚ୍ଚସ୍ତରୀୟ ନିରୀକ୍ଷଣ ପରେ ନିରାପତ୍ତାଭିତ୍ତିକ ଏବଂ ଅନ୍ୟାନ୍ୟ କିଛି ବାକି କାମ ଏହି ପରୀକ୍ଷାମୂଳକ ଚଳାଚଳ ଦ୍ବାରା ସଂଶୋଧିତ ହୋଇଥାଏ, ଯାହାଦ୍ବାରା ନିୟମିତ ରେଳ ଚଳାଚରେ ବାଧା ସୃଷ୍ଟି ହୁଏନାହିଁ। ଏହି ଟ୍ରେନ ଲାଇନ ହରିଦାସପୁର-ପାରାଦ୍ବୀପ ରେଳ କମ୍ପାନୀ ତାହାର ସେୟାର ହୋଲ୍ଡରଙ୍କୁ ନେଇ ନର୍ମାଣ କରିଛି। ପଣ୍ୟ ପରିବହନ ଏହି ରେଳପଥର ମୁଖ୍ୟ ଆଭିମୁଖ୍ୟ। ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯିବା ଉଚିତ୍ ନୁହେଁ, ଏହାଫଳରେ ନିୟମିତ ରେଳ ଚଳାଚଳ ବିଳମ୍ବ ହେବ। ବୋଲି ଶ୍ରୀ ଦାସ କହିଛନ୍ତି। ସାରା ଓଡିଶାର ଅର୍ଥନୈତିକ ବିକାଶରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଥିବା ଏହି ରେଳପଥରେ ଟ୍ରେନ ଚଳାଚଳରେ ସମସ୍ତେ ସହଯୋଗ କରିବା ଉଚିତ୍ ବୋଲି ସେ କହିଛନ୍ତି।

Comments are closed.