ମୃତ୍ୟୁର ଡ଼ାକ: ରୁଟି-ପିଆଜ ଧରି ରେଳ ଧାରଣାରେ ଚାଲିଲେ ୩୬ କିଲୋମିଟର

ନୂଆଦିଲ୍ଲୀ: ଲକ୍ଡ଼ାଉନ ଆରମ୍ଭ ହେବା ବେଳକୁ କାମ ଧନ୍ଦା ବନ୍ଦ ହୋଇଗଲା । କାମ ବନ୍ଦ ତ ଠିକାଦାର ବି ଟଙ୍କା ଦେବା ବନ୍ଦ କରିଦେଲା । ବୀରଗେନ୍ଦ୍ର ପାଖରେ ଯାହା ଅଳ୍ପ କିଛି ସଞ୍ଚିତ ଧନ ଥିଲା, କେଇଦିନ ମଧ୍ୟରେ ତାହା ବି ସରିଗଲା । କାମଧନ୍ଦାର ଅଭାବ ସାଙ୍ଗକୁ ପେଟର ଭୋକ, ଘରକୁ ଫେରି ଆସିବା ଭିନ୍ନ ଆଉ କିଛି ବାଟ ନ ଥିଲା । ହେଲେ ଘରକୁ ଫେରିବେ କେମିତି, ପାଖରେ ତ ଟଙ୍କାଟିଏ ନାହିଁ । ମହାରାଷ୍ଟ୍ରର ଜାଲ୍ସା କେଉଁଠି ଆଉ କେଉଁଠି ମଧ୍ୟପ୍ରଦେଶରେ ନିଜ ଗାଁ ।   ଅନ୍ୟ ଜଣେ ସାଥୀ ଶ୍ରମିକ ଫୋନରୁ ପତ୍ନୀକୁ ଫୋନ୍ କରି କିଛି ଟଙ୍କା ପଠାଇଲେ ସେ ଘରକୁ ଫେରି ପାରିବ ବୋଲି କହିଥିଲା । ମଧ୍ୟପ୍ରଦେଶର ଉପରିଆ ଜିଲାର ମମାନ ଗାଁରେ ରହୁଥିବା ପତ୍ନୀ ପୁଷ୍ପା ଗାଁର ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଧାର ଆଣିଲା ୧ ହଜାର ଟଙ୍କା । ହେଲେ ପଠାଇବ କେମିତି ? ବୀରଗେନ୍ଦ୍ରର କଥା ଅନୁସାରେ ୧ହଜାର ଟଙ୍କା ପୁଷ୍ପା ଠିକାଦାର ଖାତାରେ ଜମା ଦେଲା । ହେଲେ ଠିକାଦାର ବୀରଗେନ୍ଦ୍ରକୁ ଦେଲା ୫ଶହ ଟଙ୍କା । ତାକୁ ପୂର୍ବରୁ ଖାଇବା ପିଇବାକୁ ଦେଇଥିବାରୁ ୫ଶହ ଟଙ୍କା କଟିଗଲା ବୋଲି କହିଲା । ପୁଣି ଥରେ ବୀରଗେନ୍ଦ୍ର ପତ୍ନୀ ପୁଷ୍ପାକୁ ଫୋନ କରି ନିଜ ଅସହାୟତା ବିଷୟ କହିଲା । ପୁଷ୍ପା ପୁଣି ୧ହଜାର ଟଙ୍କା ଧାର କରି ସ୍ବାମୀ ପାଖକୁ ପଠାଇଲା । ଏଥର ବି ଠିକାଦାର ପୁଣି ସେଇକଥା ଦୋହରାଇଲା । ୧୦୦୦ ଟଙ୍କାରୁ କାଟି ରଖିଲା ୫ଶହ ଟଙ୍କା । ବିଚରା ବୀରଗେନ୍ଦ୍ର ପାଖରେ ଆଉ କିଛି ଚାରା ନ ଥିଲା । ଠିକାଦାରଠାରୁ ୫ଶହ ଟଙ୍କା ଧରି ସାଥୀ ଶ୍ରମିକଙ୍କ ସହ ରେଳ ଧାରଣା କଡ଼େ କଡ଼େ ବାହାରିଲା ଗାଁ । ବାଟରେ ଖାଇବା ପାଇଁ କିଣିଥିଲା କେଇଖଣ୍ଡ ରୁଟି ଆଉ ପିଆଜ । ମାତ୍ର ସେଇ ରୁଟି ଓ ପିଆଜ ବି ଖାଇବା ଭାଗ୍ୟରେ ଜୁଟିଲା ନାହିଁ ।

ସ୍ବାମୀଙ୍କ ଘର ଲେଉଟାଣି ଲାଗି କରଜ କରି ପତ୍ନୀ ପଠାଇଥିଲେ ଟଙ୍କା;

ଠିକାଦାର ପାଖରୁ ସିନା ବର୍ତିଗଲେ, ରେଳ ଧାରଣାରେ ଗଲା ଜୀବନ

ଜାଲସାରୁ ଭୁସାବଳ ୩୬ କିଲୋମିଟର ରେଳ ଧାରଣା କଡ଼ରେ ଚାଲିଚାଲି ଥକି ଯାଇଥିଲା ବୀରଗେନ୍ଦ୍ର । ଅନ୍ୟ ସାଥୀ ଶ୍ରମିକ ବି ଆଉ ଚାଲିବାକୁ ସକ୍ଷମ ନ ଥିଲେ । ସେଥିପାଇଁ ରେଳ ଧାରଣ ଉପରେ କିଛି ସମୟ ବିଶ୍ରାମ ନେଇଥିଲେ । ମାତ୍ର ସେମାନେ କ’ଣ ଜାଣିଥିଲେ ସେହି ବିଶ୍ରାମ ଚିରନିଦ୍ରାରେ ପରିଣତ ହୋଇଯିବ ବୋଲି ? ପଥଶ୍ରାନ୍ତ ଓ କ୍ଲାନ୍ତ ଶରୀର ସେମାନେ ଲୋଟାଇ ଦେଇଥିଲେ ବିଶ୍ରାମ ଲାଗି । ହେଲେ ପ୍ରତ୍ୟୁଷ ପ୍ରାୟ ୫.୧୫ ସମୟରେ ଏକ ମାଲଗାଡ଼ି ସେମାନଙ୍କ ନିଦ୍ରାକୁ ଚିରନିଦ୍ରାରେ ପରିରତ କରିଦେଲା । ଚାଲିଗଲା ୧୬ଟି ଜୀବନ । ବୀରଗେନ୍ଦ୍ର ପରି ଶ୍ରମିକଙ୍କ ପାଇଁ କେହି ଟିକିଏ ଚିନ୍ତା କଲେ ନାହିଁ । ନାଁ ସେମାନଙ୍କୁ ସରକାର ଗଣ୍ଡେ ଖାଇବାକୁ ଦେଲେ, ନା ଠିକାଦାର ସେମାନଙ୍କୁ ସହାୟତା କଲା, ଘରକୁ ଫେରିବାର ଇଚ୍ଛା କଲେ ଯେ ରେଳ ଗାଡ଼ି ସେମାନଙ୍କର ଜୀବନ ଶେଷ କରିଦେଲା ।

Comments are closed.