ବାଲି ମାଫିଆଙ୍କ ଉପରେ କଟକ ତହସିଲ ପକ୍ଷରୁ ଜୋରଦାର ଚଢାଉ, ହାଇୱା ଜବତ

୬ ମାସରେ ୬୦ ଲକ୍ଷ ଟଙ୍କା ଜୋରିମନା ଆଦାୟ

ଗୁରୁଡିଝାଟିଆ : ମନଇଚ୍ଛା ବେଧଡକ ଭାବରେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଚୋରା ବାଲି ଚାଲାଣ ହେଉଛି। ବାଲି ମାଫିଆମାନଙ୍କୁ ଧରିବା ପାଇଁ କଟକ ସଦର ତହସିଲ ପକ୍ଷରୁ ଏକାଧିକ ସ୍କ୍ୱାଡ୍‍ ଗଠନ କରି ଚଢାଉ ଜାରିରହିଛି। ଆଜି ମଧ୍ୟ ବେଆଇନ ଭାବରେ ବାଲି ଚାଲାଣ କରୁଥିବା ଏକ ହାଇୱାକୁ ତହସିଲର ସ୍ୱତନ୍ତ୍ର ସ୍କ୍ୱାଡ୍‍ ଚଢାଉ କରି ଜୋରିମନା ଆଦାୟ କରିଛନ୍ତି। ତହସିଲଦାର ସମ୍ବିତ୍‍ କୁମାର ଗଡନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋପାଳପୁର, ବିଡାନାସୀ, କନ୍ଦରପୁର, ବେଣ୍ଟକାର, ଖଣ୍ଡେଇତା ଆଦି ସ୍ଥାନମାନଙ୍କରେ ବେଆଇନ ବାଲି ଚାଲାଣକାରୀଙ୍କ ଉପରେ ଚଢାଉ କରାଯାଇ ୬ମାସ ମଧ୍ୟରେ ୬୦ଲକ୍ଷ ଟଙ୍କା ଜୋରିମନା ଆଦାୟ କରାଯାଇଛି। ବେଆଇନ ବାଲି ଚାଲାଣ କରୁଥିବା ଟ୍ରକ ଓ ଏଥିରେ ସଂପୃକ୍ତ ଥିବା ମାଫିଆଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ତହସିଲଦାର ଶ୍ରୀ ଗଡନାୟକ ସମାଜକୁ ଏହା କହିଛନ୍ତି। ପ୍ରାୟ ୧ କୋଟି ଟଙ୍କାର ଜୋରିମନା ଆଦାୟର ଲକ୍ଷ୍ୟ ରଖାଯାଇଥିବା ତହସିଲ ପକ୍ଷରୁ ଜଣାଯାଏ। ଆଜିର ଏହି ଚଢାଉରେ ଅତିରିକ୍ତ ତହସିଲଦାର ସଂଜୀବ କୁମାର ପଣ୍ଡା, ସୁପରଭାଇଜର କାଳୀପ୍ରସାଦ ଦେହୁରୀ, ରାଜସ୍ୱ ନିରୀକ୍ଷକ ଗଣେଷ ଗୋଚ୍ଛାୟତ ପ୍ରମୁଖ ଭାଗ ନେଇଥିଲେ।

Comments are closed.