ଚିକେନ୍‍ କାଉଣ୍ଟରରେ ଚଢଉ ; ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ପିପିଲି : ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଚଢଉକୁ ଜୋରଦାର କରାଯାଇଥିବା ବେଳେ କଟକ ସ୍ଥିତ ରାଜ୍ୟ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ମଙ୍ଗଳବାର ପିପିଲି ଥାନା ଅନ୍ତର୍ଗତ ଗୁଡିଆପୋଖରୀ ବଜାର ଠାରେ ଥିବା ଏକ ଚିକେନ୍‍ କାଉଣ୍ଟର ଉପରେ ଚଢଉ କରାଯାଇଛି। ସେଠାରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ମଦ ବିକ୍ରି କରୁଥିବା ନିକଟବର୍ତ୍ତୀ ମାଟିଆପଡା ଗ୍ରାମର ରବିନ୍ଦ୍ର ମଲ୍ଲିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପରେ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ଗୁଡିଆପୋଖରୀ ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ଓ ବେଧଡକ ଭାବେ ଚୋରା ମଦ କାରବାର ଚାଲିଥିବା ସଂପର୍କରେ ଅବକାରୀ କମିଶନର ଆଶିଷ କୁମାର ସିଂ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଶ୍ରୀ ସିଂଙ୍କ ନିର୍ଦ୍ଦେଶକ୍ରମେ କଟକ ସ୍ଥିତ ରାଜ୍ୟ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଆଇଆଇସି ଉମାକାନ୍ତ ସ୍ୱାଇଁ, ସରୋଜ ପରିଡା, ଏସ୍‍ଆଇ ମନିଷା ଭୋଳ, ସଚିନ ବେହେରା ପ୍ରମୁଖ ଆଜି ପୂର୍ବାହ୍ନରେ ଗୁଡିଆପୋଖରୀ ବଜାର ଠାରେ ଥିବା ମାଟିଆପଡା ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କ ଚିକେନ୍‍ କାଉଣ୍ଟର ଉପରେ ଅଚାନକ ଚଢଉ କରିଥିଲେ । ସେଠାରୁ ବିଭିନ୍ନ ବ୍ରାଣ୍ଡର ୧୭ ପେଟି ବିଦେଶୀ ମଦ (୧୬୫ ଲିଟର) ଓ ୫ ପେଟି ଆସ୍କା ୪୦ ଦେଶୀମଦ (୨୫ଲିଟର) ଜବତ କରାଯିବା ସହ ରବିନ୍ଦ୍ରକୁ ଗିରଫ କରାଯାଇଥିଲା । ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ଚୋରା ମଦ କାରବାର ଓ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ଚଢାଉ ଅଭିଯାନକୁ ଜୋରଦାର କରାଯିବ ବୋଲି ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଆଇଆଇସି ଉମାକାନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି ।

Comments are closed.