ତାମିଲ ଅଭିନେତାଙ୍କ ଘରେ ଆୟକର ବିଭାଗ ଚଢ଼ଉ : ନଗଦ ୭୭କୋଟି ସହ ୩୦୦ କୋଟିର ସମ୍ପତ୍ତି ଜବତ

ଚେନ୍ନଇ : ପ୍ରସିଦ୍ଧ ତାମିଲ ଅଭିନେତା ବିଜୟଙ୍କ ଘର ସମେତ ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଛି। ଏଥିରେ ୩୦୦କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଛି। ତାମିଲ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ଅନ୍ୟ କେତେଜଣ ବ୍ୟକ୍ତିଙ୍କ ଘରେ ମଧ୍ୟ ଏହି ଚଢ଼ଉ ହୋଇଥିବା ପ୍ରକାଶ। ବିଜୟଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧିକାରୀ ସୁରଭୀ ଆହ୍ଲୁୱାଲିଆଙ୍କ ସୂଚନାନୁଯାୟୀ, ଗୁରୁବାର ବିଜୟଙ୍କୁ ଜେରା କରାଯାଇଛି। ଚେନ୍ନଇ ଓ ମଦୁରାଇର ମୋଟ ୩୮ଟି ସ୍ଥାନରେ ଚଢ଼ଉ ହୋଇଥିବାବେଳେ ବିଭିନ୍ନ ଲୁକ୍କାୟିତ ସ୍ଥାନରୁ ନଗଦ ୭୭କୋଟି ଟଙ୍କା ଜବତ ହୋଇଛି। ସମ୍ପ୍ରତି ‘ବିଜିଲ’ ନାମରେ ବିଜୟଙ୍କର ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ନିର୍ମାଣ ଚାଲିଥିବା ‘ମାଷ୍ଟର’ର ସୁଟିଂ ସେଟ୍‌ରେ ବିଜୟଙ୍କୁ ଜେରା କରାଯାଇଛି। ଏହି ଚଳଚ୍ଚିତ୍ରର ନିର୍ମାତା ଆନ୍‌ବୁ ଚେଝିଆନ୍‌ଙ୍କ ଘର ଓ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢ଼ଉ ହୋଇଛି। ଚଳଚ୍ଚିତ୍ର ସହିତ ସମ୍ପୃକ୍ତ ଅନ୍ୟ ତିନି ଜଣଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିବା ସୁରଭୀ କହିଛନ୍ତି।

Comments are closed.