ଯୋଗୀ ନିର୍ବୋଧଙ୍କ ପରି ବ୍ୟବହାର କରୁଛନ୍ତି: ରାହୁଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କିତ ଏକ ଭିଡିଓ ପୋଷ୍ଟ କରିବାରୁ ଜଣେ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ମୋ ବିରୋଧରେ ବିଜେପି ଏବଂ ଆରଏସଏସ ଦ୍ବାରା କରାଯାଉଥିବା ମିଥ୍ୟା ପ୍ରଚାରକୁ ନେଇ ଯେଉଁ ସାମ୍ବାଦିକମାନେ ମିଥ୍ୟା ଖବର ପ୍ରକାଶ କରୁଛନ୍ତି, ସେମାନଙ୍କୁ ଯଦି ଜେଲ ପଠାଇ ଦିଆଯାଏ ତେବେ ଖବରକାଗଜ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ସାମ୍ବାଦିକଙ୍କ ଅଭାବ ଦେଖାଦେବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଣେ ନିର୍ବୋଧଙ୍କ ପରି ବ୍ୟବହାର କରୁଛନ୍ତି। ଭିଡିଓ ପୋଷ୍ଟ ମାମଲାରେ ଗିରଫ ହୋଇଥିବା ସବୁ ସାମ୍ବାଦିକଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର ବୋଲି ରାହୁଲ ଟ୍ବିଟ୍‌ କରି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଶାନ୍ତ କନୋଜିଆ ନାମକ ଜଣେ ସାମ୍ବାଦିକ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଛିଡ଼ା ହୋଇ ସେ ଯୋଗୀ ଆଦିତ୍ୟନାଥଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ଗଣମାଧ୍ୟମ ପ୍ରତିନଧିଙ୍କୁ ସୂଚନା ଦେଇଥିଲେ। ପ୍ରଶାନ୍ତ ଏହି ଭିଡିଓ ଫେସବୁକରେ ପୋଷ୍ଟ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ହାନି କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ଗିରଫ କରିଛି। ଏହା ସହିତ ଏକ ନ୍ୟୁଜ ଚ୍ୟାନେଲର ମୁଖ୍ୟ ଓ ସମ୍ପାଦକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି।

Comments are closed.