ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବିନି କି କାହାକୁ ଡ଼ରିବିନି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଗୁରୁବାର ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧା ରାସ୍ତାରେ ଅଟକାଇ ଦିଆଯାଇଛି। ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ହାଥରସ ଯାଉଥିଲେ । ତେବେ ପୁଲିସ ଅଟକାଇବାରୁ ଗ୍ରେଟର ନୋଏଡା ଆଗକୁ ବଢିପାରିନଥିଲେ । ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ୨ଶହରୁ ଅଧିକ ନେତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା ପୁଲିସ । ଏହାରି ମଧ୍ୟରେ ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବେନି କି କାହାକୁ ଡରିବେନି ।

ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ ‘ମୁଁ ଦୁନିଆରେ କାହାକୁ ଡରିବି ନାହିଁ , ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବି ନାହିଁ, ମୁଁ ସର୍ବାଦା ସତ୍ୟ ସହିତ ରହିବି ଏବଂ ଅସତ୍ୟକୁ ବିରୋଧ କରି ସମସ୍ତ ଯନ୍ତ୍ରଣା ସହି ପାରିବି ।’


ସୂଚନାଯୋଗ୍ୟ ଗୁରୁବାର କଂଗ୍ରେସର ବିରୋଧ ପ୍ରଦର୍ଶନ ପରେ ହାଥରସରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । ପୀଡ଼ିତାଙ୍କ ଗାଁକୁ ସମସ୍ତ ରାସ୍ତା ସିଲ୍ କରାଯାଇଛି । ଶହ ଶହ ପୁଲିସ କର୍ମଚାରୀ ମୁତୟନ ଅଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାର, ହାଥରସ ଜିଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ କରାଯିବା ଘଟଣାକୁ ସ୍ୱାଗତ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୂରା ଦେଶ ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗୁଛି । ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ଆଦେଶ ଆଶାର କିରଣ ଆଣିଛି ବୋଲି ପ୍ରିୟଙ୍କା କହିଛନ୍ତି ।

 

Comments are closed.