ସଭାପତି ପଦ ଛାଡିବା ଜିଦ୍‌ରେ ରାହୁଲ ଅଟଳ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦ ତ୍ୟାଗ କରିବା ଜିଦ୍‌ରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧୀ। ଦଳର ନେତୃବୃନ୍ଦ ଏହାକୁ ଏକ ଗୁଜବ ବୋଲି କହୁଥିଲେ ମଧ୍ୟ ବାସ୍ତବରେ ରାହୁଲ ସଭାପତି ପଦ ଛାଡ଼ିବା ପାଇଁ ଅଡ଼ି ବସିଥିବା ଜଣାପଡ଼ିଛି। ଏ ନେଇ ସେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ କେ.ସି ବେଣୁଗୋପାଳଙ୍କୁ ସାକ୍ଷାତ କରି ନିଜର ନିଷ୍ପତ୍ତି ଜଣାଇଛନ୍ତି। ନୂଆ ସଭାପତି ବାଛିବା ପାଇଁ ସେମାନଙ୍କୁ ରାହୁଲ କହିବା ସହ ସେ ପର୍ଯ୍ୟନ୍ତ ଦାୟିତ୍ବରେ ରହିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଶ୍ରାଦ୍ଧ ଅବସରରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ସମାଧିସ୍ଥଳକୁ ଆସିଥିଲେ ମଧ୍ୟ କାହାକୁ କିଛି ନ କହି ଘରକୁ ଫେରିଯିବା ତାଙ୍କ ଜିଦ୍‌ର ସୂଚନା ଦେଇଛି। ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ରାହୁଲ ସଦସ୍ୟମାନଙ୍କୁ ନିଜର କ୍ଷୋଭ ଜଣାଇବା ସହ ଇସ୍ତଫା ଦେବାକୁ କହିଥିଲେ; ଯାହା ସାମୂହିକ ଭାବେ ଅଗ୍ରାହ୍ୟ ହୋଇଯାଇଥିଲା। ତେବେ ରାହୁଲଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ଭଉଣୀ ପ୍ରିୟଙ୍କା ଓ ମା’ ସୋନିଆଙ୍କ ପୂର୍ଣ୍ଣ ସମର୍ଥନ ମିଳୁଥିବା ଜଣାପଡ଼ିଛି।
ଦଳର ପ୍ରଦର୍ଶନ ନେଇ ରାହୁଲ ଏତେ ମାତ୍ରାରେ କ୍ଷୁବ୍ଧ ଯେ ସେ ଦଳର ନବନିର୍ବାଚିତ ଲୋକସଭା ସଦସ୍ୟଙ୍କୁ ଭେଟିବାକୁ ମଧ୍ୟ ମନା କରିଦେଉଛନ୍ତି। କେବଳ ସେତିକି ନୁହେଁ; ସେ ଫୋନ୍‌ ଧରିବାକୁ ମଧ୍ୟ ମନା କରିଦେଉଥିବା ଜଣାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସାକ୍ଷାତ ଦେବାକୁ ମନା କରିଦେବାରେ ସେ ଫେରିଯାଇଥିଲେ । ବହୁ ନେତା ତାଙ୍କୁ ଇସ୍ତଫା ନ ଦେଇ ଦଳର ନେତୃତ୍ବ ଅବ୍ୟାହତ ରଖିବା ଓ ପୁନର୍ଗଠନ କରିବା ପାଇଁ ନିବେଦନ କରିଥିଲେ ମଧ୍ୟ ସେ ଏହାକୁ କ୍ରମାଗତ ଭାବେ ଅଗ୍ରାହ୍ୟ କରିଚାଲିଛନ୍ତି। ଦଳ ପକ୍ଷରୁ ରାହୁଲଙ୍କ ଇସ୍ତଫା ଜିଦ୍‌ ନେଇ ବାହାରକୁ କୌଣସି ସୂଚନା ଦିଆଯାଉ ନାହିଁ। ଏହା ଗୁଜବ ବୋଲି କୁହାଯାଉଛି। ଅପରପକ୍ଷରେ କଂଗ୍ରେସ ନେତାମାନେ ସାମାଜିକ ଗଣମାଧ୍ୟମ ଜରିଆରେ ରାହୁଲଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ ଚଳାଇଛନ୍ତି। ‘ପରାଜୟରେ ରାସ୍ତା ସରିଯାଇ ନାହିଁ; ଆମେ ଆପଣଙ୍କ ସହିତ ରହିଛୁ; ବିଜୟ ପାଇଁ ଆପଣ ପୁନଃ ଉଦ୍ୟମ କରନ୍ତୁ’ ବୋଲି ସମର୍ଥକମାନେ ରାହୁଲଙ୍କୁ ଜଣାଉଛନ୍ତି। ପି. ଚିଦମ୍ବରମ୍‌ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ରାହୁଲ ଯଦି ସଭାପତି ପଦ ତ୍ୟାଗ କରନ୍ତି; ତା’ହେଲେ ଦକ୍ଷିଣ ଭାରତର ବହୁ ସମର୍ଥକ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ।
ଶନିବାର ବୈଠକରେ ରାହୁଲ ଦଳର ବିପର୍ଯ୍ୟୟ ପାଇଁ ବରିଷ୍ଠ ନେତାଙ୍କ ପୁତ୍ରମୋହକୁ ଦାୟୀ କରିଥିଲେ। କାର୍ତ୍ତି ଚିଦମ୍ବରମ୍‌ଙ୍କୁ ଟିକଟ ନ ମିଳିଲେ ପିତା ତଥା ବରିଷ୍ଠ ନେତା ପି. ଚିଦମ୍ବରମ୍‌ ଦଳରୁ ଇସ୍ତଫା ଦେବାକୁ ଧମକ ଦେଇଥିବା, ପୁଅ ନକୁଳଙ୍କୁ ଟିକଟ ନ ମିଳିଲେ କମଳ ନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚେତାବନୀ ଦେବା ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ପୁଅ ବୈଭବଙ୍କୁ ଟିକଟ ପାଇଁ ସପ୍ତାହେ କାଳ ଦିଲ୍ଲୀରେ ଲବି କରିଥିବା ସୂଚନା ଦେଇଥିଲେ ରାହୁଲ। କାର୍ତ୍ତି ଓ ନକୁଳ ସ୍ବଳ୍ପ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିବାବେଳେ ବୈଭବ ପରାଜିତ ହୋଇଛନ୍ତି। ସେମାନଙ୍କ ପିତାମାନେ ଦଳକୁ ଗୁରୁତ୍ବ ନ ଦେଇ ଓ ଦଳ ପାଇଁ ବିଶେଷ ପ୍ରଚାର ନ କରି ପୁଅମାନେ କିପରି ବିଜୟଲାଭ କରିବେ ସେ ଦିଗରେ ଲାଗିପଡ଼ିଥିଲେ। ସେଥିପାଇଁ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିଲା ନାହିଁ ବୋଲି ରାହୁଲ ସ୍ପଷ୍ଟ ଭାବେ କହିଥିଲେ। ଏଭଳି ଆଉ କେତୋଟି ଦୃଷ୍ଟାନ୍ତ ମଧ୍ୟ ସେ ବୈଠକରେ ରଖିଥିଲେ। ତାଙ୍କ ଇସ୍ତଫା ଜିଦ୍‌ ଦେଖି କିଛି ନେତା ପ୍ରିୟଙ୍କାଙ୍କୁ ସଭାପତି କରିବାକୁ ପ୍ରସ୍ତାବ ଦେବାରେ ରାହୁଲ କ୍ରୋଧିତ ହୋଇଥିଲେ। ‘ଗାନ୍ଧୀ ପରିବାର ବାହାରେ ବହୁ ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ସଭାପତି କରାଯାଉ, ମୋ ଭଉଣୀଙ୍କୁ ସେଥିମଧ୍ୟକୁ ଟଣା ନ ଯାଉ’ ବୋଲି ସେ ବାରମ୍ବାର କହିଥିଲେ।
ଏଭଳି ସ୍ଥିତିରେ କଂଗ୍ରେସ ନେତୃବୃନ୍ଦ ଚିନ୍ତାରେ ପଡ଼ିଯାଇଛନ୍ତି। ଦଳର ଦୁର୍ଦିନରେ ଏହାର ଆଭ୍ୟନ୍ତରୀଣ ମାମଲାକୁ ବାହାରେ ପ୍ରକାଶ ନ କରିବାକୁ ଓ ଘରୋଇ କଥାର ପବିତ୍ରତା ରକ୍ଷା କରିବାକୁ ଗଣମାଧ୍ୟମକୁ ନିବେଦନ କରାଯାଇଛି। ଦଳ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୋମବାର କୁହାଯାଇଛି ଯେ ଘର କଥା ଘରେ ରହୁ। ଏହାକୁ ନେଇ ଦାଣ୍ଡଘାଟରେ ଆଲୋଚନା ନ ହେଉ। କାର୍ଯ୍ୟକାରିଣୀ ବୈଠକ ରୁଦ୍ଧଦ୍ବାର କୋଠରିରେ ହୋଇଥିଲା। ବୈଠକର ଆଲୋଚନାକୁ ନେଇ ନାନା କଥା ଗଣମାଧ୍ୟମରେ ପ୍ରଚାର ହେଉଛି। ବୈଠକର ପବିତ୍ରତା ରକ୍ଷା ସହ ଏଭଳି ଗୁଜବକୁ ଗୁରୁତ୍ବ ନ​‌ ଦେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି। ରାହୁଲଙ୍କ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଇଛି।

Comments are closed.