ଚୌକିଦାର ଚୋର ମନ୍ତବ୍ୟ ମାମଲା; ପୁଣିଥରେ କ୍ଷମା ପ୍ରାର୍ଥନା କରିବେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଦୁଇଥର ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ଏହା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ତେଣୁ ରାହୁଲ ପୁନର୍ବାର ସତ୍ୟପାଠ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିବେ ବୋଲି ତାଙ୍କର ଓକିଲ ଅଭିଷେକ ମନୁ ସିଙ୍ଘଭୀ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ରାହୁଲ କ୍ଷମା ପ୍ରାର୍ଥନା କରିବେ ବୋଲି ସିଙ୍ଘଭୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ ପୂର୍ବକ ‘ଚୌକିଦାର ଚୋର ହୈ’ ବୋଲି କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା। ବିଜେପି ​‌ନେତ୍ରୀ ମିନାକ୍ଷୀ ଲେଖି ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅଦାଲତ ଅବମାନନା ମାମଲା ପରେ ରାହୁଲ ତାଙ୍କ ଦୋଷ ସ୍ବୀକାର ପୂର୍ବକ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଅବମାନନା କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ; ବରଂ ରାଜନୈତିକ ପ୍ରଚାର ଉନ୍ମାଦନା ମଧ୍ୟରେ ଦିଆଯାଇଥିବା ଏକ ମନ୍ତବ୍ୟ ବୋଲି ସେ ଦର୍ଶାଇଥିଲେ। ତେବେ ରାହୁଲଙ୍କ ଏପରି ଦୋଷ ସ୍ବୀକାର ଓ ଦୁଃଖ ପ୍ରକାଶରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ନୁହନ୍ତି। ରାହୁଲ ନିଜର ମନ୍ତବ୍ୟ ଉପରେ ଦୁଃଖ ପ୍ରକାଶ କରିବା ଲାଗି ୨୨ ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ। ତେବେ ଏଥିରେ ସେ ନିଜର ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରି ନାହାନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି ଯେ ‘ତୁମେ ନିଜର ଦୁଃଖ ପ୍ରକାଶ ଲାଗି ୨୨ ପୃଷ୍ଠା ନେଇଛ; ମାତ୍ର ଏହା ସମ୍ପୂର୍ଣ୍ଣ ଦୁଃଖ ପ୍ରକାଶ ନୁହେଁ।’ ରାହୁଲ ସମ୍ପୂର୍ଣ୍ଣ ଦୁଃଖ ପ୍ରକାଶ କରିଥିବା ନେଇ ତାଙ୍କ ଓକିଲ ସିଙ୍ଘଭୀ ପ୍ରଧାନ ବିଚାରପତିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ପ୍ରଥମ ସତ୍ୟପାଠରେ ରାହୁଲ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ ପୂର୍ବକ ମାମଲା ବନ୍ଦ କରିବାକୁ ନିବେଦନ କରିଥିଲେ। ମାତ୍ର ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରି ତାଙ୍କୁ ନୋଟିସ ଜାରି କରିଥିଲେ। ସୋମବାର ରାହୁଲ ଦ୍ବିତୀୟ ସତ୍ୟପାଠ ଦାଖଲ ପୂର୍ବକ ଅନୁରୂପ ଦୁଃଖ ପ୍ରକାଶ କରିଥିଲେ। ଦ୍ବିତୀୟ ସତ୍ୟପାଠକୁ ମଧ୍ୟ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଫଳରେ ସେ ତୃତୀୟ ସତ୍ୟପାଠ କରିବା ଲାଗି ନିବେଦନ କରିଥିଲେ। ରାହୁଲଙ୍କ ନିବେଦନକୁ ସୁପ୍ରିମକୋର୍ଟ ଅନୁମତି ଦେବା ସହିତ ମେ’ ୬ରେ ଏହାର ପୁନର୍ବାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଦିନ ରାହୁଲ ତାଙ୍କର ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିବେ।

Comments are closed.