ଅନ୍‍ଲାଇନ୍‍ ଭୋଟିଂ, ସଚିନଙ୍କୁ ପଛରେ ପକାଇ ଦ୍ରାବିଡ଼ ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ

ମୁମ୍ବଇ : ନିକଟରେ କ୍ରିକେଟ୍‍ର ବାଇବେଲ୍‍ ଭାବେ ପରିଚିତ ୱିଜ୍‍ଡେନ୍‍ର ଭାରତ ସଂସ୍କରଣ ପକ୍ଷରୁ ଏକ ଅନ୍‍ଲାଇନ୍‍ ପୋଲ୍‍ ବା ଭୋଟିଂ ହୋଇଥିଲା। ଫେସ୍‍ବୁକ୍‍ରେ ହୋଇଥିବା ଏହି ପୋଲ୍‍ରେ ପ୍ରଶ୍ନ ଥିଲା- ଗତ ୫୦ ବର୍ଷରେ ଭାରତ ପାଇଁ ଖେଳିଥିବା ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ କିଏ? ସମସ୍ତେ ଧରି ନେଇଥିଲେ ଯେ ଉଭୟ ଟେଷ୍ଟ ଓ ଦିନିକିଆରେ ବିଶ୍ୱରେ ସର୍ବାଧିକ ରନ୍‍ ଓ ଶତକ ହାସଲ କରିଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ହିଁ ଗତ ଅର୍ଦ୍ଧଶତାବ୍ଦୀର ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ବୋଲି ବାଛିବେ। ତେବେ କ୍ରିକେଟପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲେ ‘ଦି ୱାଲ୍‍’ ଭାବେ ପରିଚିତ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼। ବେଙ୍ଗାଲୁରୁର ଏହି ମହାନ୍‍ ବ୍ୟାଟ୍‍ସମ୍ୟାନ୍‍ ସମସ୍ତଙ୍କୁ ପଛରେ ପକାଇ ୫୨ ପ୍ରତିଶତ ଭୋଟ୍‍ ପାଇଛନ୍ତି।

ୱିଜ୍‍ଡେନ୍‍ ଇଣ୍ଡିଆ ପକ୍ଷରୁ ପ୍ରକାଶ ଯେ ଫେସ୍‍ବୁକ୍‍ରେ ଏହି ଅନ୍‍ଲାଇନ୍‍ ପୋଲ୍‍ରେ ମୋଟ ୧୧,୪୦୦ କ୍ରିକେଟପ୍ରେମୀ ଭାଗ ନେଇଥିଲେ। ଏହି ପୋଲିଂ ଆରମ୍ଭ ହେବାର କିଛିଦିନ ପର୍ଯ୍ୟନ୍ତ ସଚିନ ତେନ୍ଦୁଲକର ହିଁ ଆଗରେ ଥିଲେ। ତେବେ ଶେଷରେ ରାହୁଲ ଦ୍ରାବିଡ଼ ସର୍ବାଧିକ କ୍ରିକେଟ୍‍ପ୍ରେମୀଙ୍କ ପସନ୍ଦ ଥିଲେ। ୧୯୯୬ରେ ଲର୍ଡସରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ରାହୁଲ ଦ୍ରାବିଡ଼ ୨୦୧୨ ପର୍ଯ୍ୟନ୍ତ ୧୬୪ଟି ଟେଷ୍ଟମ୍ୟାଚ୍‍ ଖେଳିଥିଲେ। ଏଥିରୁ ସେ ୫୨.୩୧ ଆଭ୍‍ରେଜ୍‍ରେ ୩୬ ଶତକ ଓ ୬୩ଟି ଅର୍ଦ୍ଧଶତକ ସହ ୧୩୨୮୮ ରନ୍‍ ସ୍କୋର୍‍ କରିଛନ୍ତି। ସଚିନ ୧୯୮୯ରୁ ୨୦୧୩ ମଧ୍ୟରେ ୨୦୦ ଟେଷ୍ଟମ୍ୟାଚ୍‍ ଖେଳି ୫୧ଟି ଶତକ ସହ ୫୩.୭୮ ଆଭ୍‍ରେଜ୍‍ରେ ୧୫୯୨୧ ରନ୍‍ ସ୍କୋର୍‍ କରିଛନ୍ତି। ତେଣୁ ପରିସଂଖ୍ୟାନ ଓ ସଂଖ୍ୟା ଦୃଷ୍ଟିରୁ ଦ୍ରାବିଡ଼ଙ୍କଠାରୁ ବହୁତ ଆଗରେ ଅଛନ୍ତି ସଚିନ୍‍। ତେବେ କଠିନ ପରିସ୍ଥିତିରେ ଲଢ଼ୁଆ ବ୍ୟାଟିଂକରିବା ଯୋଗୁଁ ସଚିନଙ୍କଠାରୁ ଦ୍ରାବିଡ଼ଙ୍କୁ ଅଧିକ ପ୍ରଶଂସକ ପସନ୍ଦ କରିଛନ୍ତି।

ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ୪ନଂରେ ବ୍ୟାଟିଂକରିବା ଅପେକ୍ଷା ୩ନଂରେ ବ୍ୟାଟିିଂକରିବା ଅଧିକ ଆହ୍ୱାନଭରା। କାରଣ ଅଧିକାଂଶ ସମୟରେ ଭାରତ ଜଲ୍‍ଦି ୱିକେଟ ହରାଇଥାଏ ଏବଂ ଦ୍ରାବିଡ଼ କ୍ରିଜ୍‍କୁ ଆସି ନୂଆବଲ୍‍ର ସମ୍ମୁଖୀନ ହୋଇଥାଆନ୍ତି। ବିଦେଶରେ ରାହୁଲ ଦ୍ରାବିଡ଼ଙ୍କ ଅପେକ୍ଷା ସଚିନ ତେନ୍ଦୁଲକରଙ୍କ ଟେଷ୍ଟ ଆଭ୍‍ରେଜ୍‍ ସାମାନ୍ୟ ଭଲ। ତେବେ ଶକ୍ତିଶାଳୀ ଦଳଙ୍କ ବିପକ୍ଷରେ ସଚିନଙ୍କଠାରୁ ଆଗରେ ଅଛନ୍ତି ଦ୍ରାବିଡ଼। ବିଦେଶରେ ଦ୍ରାବିଡ଼ ୯୪ ଟେଷ୍ଟରୁ ୫୩.୦୩ ଆଭ୍‍ରେଜ୍‍ରେ ୭୬୯୦ ରନ୍‍ କରିଛନ୍ତି। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‍, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ; ଯେଉଁଠାରେ ବ୍ୟାଟିଂକରିବା କଷ୍ଟକର; ସେଠାରେ ଦ୍ରାବିଡ଼ ୬୪ଟି ଟେଷ୍ଟମ୍ୟାଚ୍‍ ଖେଳି ୫୨ ଆଭ୍‍ରେଜ୍‍ରେ ସ୍କୋର୍‍ କରିଛନ୍ତି। ଅନ୍ୟପକ୍ଷରେ ସଚିନ ବିଦେଶରେ ୧୦୬ ଟେଷ୍ଟରୁ ୫୪.୭୪ ଆଭ୍‍ରେଜ୍‍ରେ ୮୭୦୫ ରନ୍‍ କରିଛନ୍ତି। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‍, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମାଟିରେ ସଚିନ ୫୬ ଟେଷ୍ଟରୁ ୪୯.୭୯ ଆଭ୍‍ରେଜ୍‍ରେ ସ୍କୋର୍‍ କରିଛନ୍ତି। ତାଙ୍କର ଚମତ୍କାର ବ୍ୟାଟିଂ ଟେକ୍‍ନିକ୍‍ ଓ ଦୃଢ଼ ଡିଫେନ୍‍ସ ଯୋଗୁଁ ସାରାବିଶ୍ୱର ବୋଲର ରାହୁଲ ଦ୍ରାବିଡ଼ଙ୍କୁ ଆଉଟ କରିବାରେ ବେଶ୍‍ ଅସୁବିଧା ଅନୁଭବ କରିଥାଆନ୍ତି। ଦ୍ରାବିଡ଼ ବହୁତ କମ୍‍ ଥର ଭୁଲ୍‍ ସଟ୍‍ ଖେଳି ଆଉଟ୍‍ ହୋଇଛନ୍ତି। ସେଥିପାଇଁ ସାରାବିଶ୍ୱର କ୍ରିକେଟର ଓ କ୍ରିକେଟପ୍ରେମୀ ତାଙ୍କୁ ବହୁତ ସମ୍ମାନ ଦେଇଥାଆନ୍ତି।

ୱିଜ୍‍ଡେନ୍‍ ଇଣ୍ଡିଆ ପକ୍ଷରୁ ଫେସ୍‍ବୁକ୍‍ରେ ହୋଇଥିବା ଅନ୍‍ଲାଇନ୍‍ ପୋଲ୍‍ରେ ଗତ ୫୦ ବର୍ଷରେ ଭାରତ ପାଇଁ ଖେଳିଥିବା ମୋଟ ୧୬ ଜଣ ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନଙ୍କ ନାମ ଦିଆ ଯାଇଥିଲା; ଯାହାଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ବାଛିବାକୁ କୁହା ଯାଇଥିଲା। ଶେଷ ୪ ଜଣଙ୍କ ମଧ୍ୟରେ ଥିଲେ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଓ ବିରାଟ କୋହଲି। ଶେଷ ୨ଟି ସ୍ଥାନ ପାଇଁ ଗାଭାସ୍କରଙ୍କୁ ଦ୍ରାବିଡ଼ ଏବଂ କୋହଲିଙ୍କୁ ସଚିନ ପରାସ୍ତ କରିଥିଲେ। ଶେଷ ୨ଟି ସ୍ଥାନ ପାଇଁ ଦ୍ରାବିଡ଼ ଓ ସଚିନଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଦ୍ରାବିଡ଼ ଆଗରେ ରହିଥିଲେ। ଅନ୍ୟପକ୍ଷରେ ବର୍ତ୍ତମାନର ଅଧିନାୟକ କୋହଲିଙ୍କୁ ପଛରେ ପକାଇ ଗାଭାସ୍କର ୩ୟ ସ୍ଥାନ ହାସଲ କରିଥିଲେ।

Comments are closed.