ମୋଦୀ ଦିଲ୍ଲୀକୁ କହିଥିଲେ ‘ରେପ୍‌ କ୍ୟାପିଟାଲ’: ପୁରୁଣା ଭିଡିଓ ପୋଷ୍ଟ କରି ବିଜେପିକୁ ପାଲଟା ଆକ୍ରମଣ କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ‘ରେପ୍‌ ଇନ୍‌ ଇଣ୍ଡିଆ’କୁ ନେଇ ଶୁକ୍ରବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ରାହୁଲ କ୍ଷମା ମାଗନ୍ତୁ ବୋଲି ବିଜେପି ସଦସ୍ୟମାନେ ଦାବି କରିବାରୁ ଦୁଇଟି ଯାକ ଗୃହର ଅଧ୍ୟକ୍ଷ ଗୃହକୁ କିଛି ସମୟ ପାଇଁ ସ୍ଥଗିତ କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ କ୍ଷମା ମାଗିବା ବଦଳରେ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜଧାନୀ ଦିଲ୍ଲୀକୁ ‘ରେପ୍‌ କ୍ୟାପିଟାଲ’ ବୋଲି କହିଥିଲେ। ଏକ କାର୍ଯ୍ୟକ୍ରମରେ ମୋଦୀ ଭାଷଣ ଦେବା ଅବସରରେ ଏଭଳି କହିଥିଲେ। ତେଣୁ ସେ କ’ଣ ପାଇଁ କ୍ଷମା ମାଗିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏପରି କି ସେ ମୋଦୀଙ୍କ ଉକ୍ତ ଭାଷଣର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ମୋଦୀ ଦିଲ୍ଲୀକୁ ‘ରେପ୍‌ କ୍ୟାପିଟାଲ’ କହୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଝାଡ଼ଖଣ୍ଡରେ ନିର୍ବାଚନୀ ପ୍ରଚାର କରିବା ସମୟରେ ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟ ଦେଇଥିଲେ। ଦେଶରେ ମହିଳାଙ୍କ ପ୍ରତି ବଢ଼ୁଥିବା ବଳାତ୍କାର ଘଟଣାକୁ ନିନ୍ଦା କରିବା ସହିତ ‘ମେକ୍‌ ଇନ୍‌ ଇଣ୍ଡିଆ’ ଧୀରେ ଧୀରେ ‘ରେପ୍‌ ଇନ୍‌ ଇଣ୍ଡିଆ’ରେ ପରିବର୍ତ୍ତନ ହେଉଥିବା କହିଥିଲେ।

Comments are closed.