ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର ଶିବିରର ଶୁଭାରମ୍ଭ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନିଆରା ପ୍ରଚେଷ୍ଟା କରାଯାଇଛି। ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଖଣି ନିଗମ ମିଳିତ ସହଯୋଗରେ ଅନ୍‌ଲାଇନ୍ ପାରମ୍ପରିକ ଭିଭିଚିତ୍ର ଶିବିର ବୁଧବାରଠାରୁ ବିଶ୍ବ ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ ଶୁଭାରମ୍ଭ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ।

ଗ୍ରାମର ୧୫୦ଟି ଘର ଏଥିରେ ଅଂଶଗ୍ରହଣ କରିଛନ୍ତି। ଶିଳ୍ପୀମାନେ ନିଜ ନିଜ ଘରର ଦୁଆର କାନ୍ଥରେ କୋଭିଡ ନିୟମ ପାଳନ କରି ପାରମ୍ପରିକ ଭିତ୍ତିଚିତ୍ର ଅଙ୍କନ କରୁଛନ୍ତି। ଏହି ଶିଳ୍ପୀଙ୍କ ମଧ୍ୟରୁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବେଶ୍ ପରିଚିତ। ୧୫୦ଜଣ ଶିଳ୍ପୀଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଭିତ୍ତଚିତ୍ର ମଧ୍ୟରୁ ୫ଟି ଏକାଡେମୀର ସ୍ବତନ୍ତ୍ର କମିଟି ଦ୍ବାରା ମନୋନୀତ କରାଯିବ ଏବଂ କୋଭିଡ କଟକଣା ପରେ ଏକାଡେମୀ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯିବ ।

ଏହି ଅନ୍‌ଲାଇନ୍‌ ଶିଳ୍ପୀ ଶିବିରକୁ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଦ୍‌ଘାଟନ କରି, ଶିଳ୍ପୀମାନେ ନିଜ ନିଜ ଗୃହରେ ସୁରକ୍ଷିତ ରହି ଓଡ଼ିଶାର କଳାକୁ ଆଗକୁ ନେବାରେ ସହାୟ ହୁଅନ୍ତୁ ବୋଲି କହିଥିଲେ। ଶିବିରର ସଫଳତା ନିମନ୍ତେ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦେଶକ ପ୍ରମୁଖ କୃତଜ୍ଞତା ଜଣାଇଥିଲେ। ଏକାଡେମୀ ସଚିବ ପଞ୍ଚାନନ ସାମଲ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି ଓ ସମ୍ପାଦକ ଅଭିରାମ ଦାସ ଉପସ୍ଥିତ ଥିଲେ।

Comments are closed.