ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଓ ବିଶିଷ୍ଟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଶୋକବାର୍ତ୍ତାରେ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ରଙ୍କ ବିୟୋଗ କଳାକ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି। ସେ ଥଲେ ପାରମ୍ପରିକ କଳାକୃତିର ଜଣେ ପ୍ରତିଭାସମ୍ପନ୍ନ ସ୍ଥପତି, ଯାହାଙ୍କୁ ସମସ୍ତ ୩ଟି ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାର, ବନ୍ଧୁସ୍ବଜନ ଓ ଅନୁଗାମୀଙ୍କ ପ୍ରତି ରାଷ୍ଟ୍ରପତି ସମବେଦନା ଜଣାଇଛନ୍ତି।

ଉପରାଷ୍ଟ୍ରପତି : ଉପରାଷ୍ଟ୍ରପତି ଏମ୍‌. ଭେଙ୍କିଆ ନାଇଡୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ରଙ୍କ ବିୟୋଗରେ ସେ ଦୁଃଖିତ। କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ଦୁନିଆକୁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ପାରମ୍ପରିକ କଳାକୁ ତାଙ୍କ ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଓଡିଶା ରାଜ୍ୟପାଳ: ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଜଣେ ଦକ୍ଷ ଭାସ୍କର୍ୟ୍ୟ ଶିଳ୍ପୀ ସ୍ବର୍ଗତ ମହାପାତ୍ର ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଫେସର ଗଣେଶୀ ଲାଲ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ଆନ୍ଧ୍ର ରାଜ୍ୟପାଳ: ରଘୁନାଥ ମହାପାତ୍ରଙ୍କ ବିୟୋଗ ଅତ୍ୟନ୍ତ ମର୍ମାହତ ଆଣିଦେଇଛି ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ଶ୍ରୀ ହରିଚନ୍ଦନ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ନିଜର କଳା ଓ କାରିଗରୀ ପାଇଁ ତାଙ୍କୁ ଭାରତର ସମ୍ମାନଜନକ ପଦ୍ମବିଭୂଷଣ ପୁରସ୍କାର ମିଳିଥିଲା। ତାଙ୍କର କଳା ଓ ଭାସ୍କର୍ଯ୍ୟ ଦେଶ, ବିଦେଶରେ ବେଶ୍‍ ଖ୍ୟାତି ଅର୍ଜନ କରିଛି। ତାଙ୍କ ମୃତ୍ୟୁ ଯୋଗୁଁ କେବଳ ଓଡ଼ିଶା ନୁହେଁ ସାରା ଭାରତ ବର୍ଷ ଜଣେ ଉଜ୍ଜ୍ବଳ ପ୍ରତିଭାଙ୍କୁ ହରାଇଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ଦୁଃଖଦ ମୁହୂର୍ତ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପ୍ରାର୍ଥନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୁନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ବାସ୍ତବରେ ସେ ଥିଲେ କଳାଜଗତର ବିସ୍ମୟକର ପ୍ରତିଭା । ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଅନ୍ତଃରାଷ୍ଟ୍ରୀୟସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଥିବା ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ସ୍ୱର୍ଗତ ମହାପାତ୍ରଙ୍କ ନିଧନରେ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ନିବିଡ଼ ଥିଲା। ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବେ ପରିଚିତ ସ୍ୱର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ। ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି, ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।

ଲୋକସେବକ ମଣ୍ଡଳ ଓ ‘ସମାଜ’: ଭାସ୍କର୍ଯ୍ୟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଲୋକସେବକମଣ୍ଡଳ ଓ ‘ସମାଜ’ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଲୋକସେବକମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଶ୍ରୀ ନିରଞ୍ଜନ ରଥ ଏବଂ ଲୋକସେବକମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

ବିଭିନ୍ନ ମହଲରେ ଶୋକ : ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରି ଦୁଃଖ ପ୍ରକାଶ କରିଛନ୍ତି। ଜଣେ ବଡଭାଇ ଭଳି ସେ ଆମମାନଙ୍କୁ ସର୍ବଦା ଭଲ ଉପଦେଶ ଦେଇ ମାର୍ଗଦର୍ଶନ କରି ଆସୁଥିଲେ। ନିଜ ନିଖୁଣ କାରୁକାର୍ଯ୍ୟ ଜରିଆରେ ପଥର ଦେହରେ ଜୀବନ ଆଣି ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଓଡିଶାର ସୁନାମ ଆଣିଥିବା ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି ଶୋକ ବ୍ୟକ୍ତ କରି କହିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ପଣ୍ଡା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ମହାପାତ୍ରଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖ ଆଣିଦେଇଛି। ସେହିପରି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସ୍ୱର୍ଗତ ମହାପାତ୍ରଙ୍କ ନିଧନରେ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ଉଭୟେ କହିବା ସହିତ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଭିନ୍ନ ଭିନ୍ନ ଶୋକବାର୍ତ୍ତାରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅମରଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ନବକିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ସମୀର ରଞ୍ଜନ ଦାଶ, ପ୍ରତାପ ଜେନା, ଅରୁଣକୁମାର ସାହୁ, ଅଶୋକ ପଣ୍ଡା, ସୁଦାମ ମାର୍ଣ୍ଡି, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସଦସ୍ୟ ସୁବାସ ସିଂହ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟକୁମାର ଦାସବର୍ମା ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Comments are closed.