ପ୍ରଦର୍ଶିତ ହେବ ‘ରଘୁ ଅରକ୍ଷିତ’

ଭୁବନେଶ୍ୱର: ଚଳଚ୍ଚିତ୍ର ଗୋଟେ ଜାତିର ଚଳନ୍ତି ଇତିହାସ, ଯାହା ଶବ୍ଦ ଓ ଦୃଶ୍ୟକୁ ବାନ୍ଧି ରଖେ। ଏହା କଳା, ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଦିଏ। ନବେ ଦଶକର ଏଭଳି ଏକ ଚଳଚ୍ଚିତ୍ର ‘ରଘୁ ଅରକ୍ଷିତ’କୁ ସଂରକ୍ଷଣ ଓ ଡିଜିଟାଇଜେସନ ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ। ଏହାଛଡ଼ା ଓଡ଼ିଶା ଚଳଚ୍ଚିତ୍ର ଅଭିଲେଖାଗାର ଓ ସଂଗ୍ରହାଳୟ ପାଇଁ ମଧ୍ୟ ପ୍ରାକ୍‌ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ।

୧୬୦୦ ଶତାବ୍ଦୀର ବୈଷ୍ଣବୀୟ କବି ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ରଘୁ ଅରକ୍ଷିତଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ରକୁ ପୁନରୁଦ୍ଧାର କରାଯିବ। ଅଶୀ ଦଶକରେ ଏହି ଚଳଚ୍ଚିତ୍ର ପାଇଁ ଯୋଜନା ହୋଇଥିଲା। ଯାହାର ପ୍ରଯୋଜକ ଥିଲେ ନିତାଇ ପାଲିତ ଏବଂ ସେ ନିଜେ ନିର୍ଦେଶନା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଯାହାର ସଙ୍ଗୀତ ଭାରରେ ଥିଲେ ଅକ୍ଷୟ ମହାନ୍ତି। ଅଭିନୟ କରିଥିଲେ ଜୟୀ, ସଙ୍ଗୀତା ଦାସ ଏବଂ ନବାଗତ ଅମରେଶ ପ୍ରମୁଖ। ଚଳଚ୍ଚିତ୍ର ୭୦ ପ୍ରତିଶତ ହୋଇଥିବାବେଳେ ଶ୍ରୀ ପାଲିତଙ୍କ ଦେହାନ୍ତ ହୋଇଗଲା। ଏହାପରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଆଗେଇ ଆସିଲା। ଯେ‌େହତୁ ଶ୍ରୀ ପାଲିତ ଓଏଫ୍‌ଡିସିରୁ ଋଣ ନେଇ ଚଳଚ୍ଚିତ୍ର କରୁଥିଲେ ତେଣୁ ତାଙ୍କ ମୃତ୍ୟୁ ପରେ ପରିବାରକୁ କିଛି ଟଙ୍କା ଦେଇ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିଲା ଯାହାର ନିର୍ଦେଶନା ଦାୟିତ୍ବ ଦିଆଯାଇଥିଲା ଗୋବିନ୍ଦ ତେଜ୍‌ଙ୍କୁ। ପରେ ଚଳଚ୍ଚିତ୍ରଟି ପୂର୍ଣ୍ଣାଙ୍ଗ ହୋଇ ୧୯୯୫ରେ ସେନସର ବୋର୍ଡରେ ସ୍ଥାନ ପାଇଲା। ୧୯୯୬ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ଏବେ ସଂରକ୍ଷିତ ତଥା ପ୍ରଦର୍ଶନ ପାଇଁ ଓଏଫ୍‌ଡିସି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ଆସନ୍ତା ମାସ ସୁଦ୍ଧା କଳିଙ୍ଗ ଷ୍ଟୁଡିଓରେ ଚଳଚ୍ଚିତ୍ର ଅଭିଲେଖାଗାର ଶେଷ ହେବା। ତେବେ ଗୋଟିଏ ନୁ‌େହଁ ତିନିଟି ଅଭିଲେଖାଗାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗୋଟିଏ କଟକର ଓଏଫ୍‌ଡିସି କାର୍ଯ୍ୟାଳୟରେ ହେବା ନେଇ ସ୍ଥିର ହୋଇଥିବାବେଳେ ଅନ୍ୟଟି ସଂସ୍କୃତି ବିଭାଗ ଏବଂ ଆଉ ଏକ କଳିଙ୍ଗ ଷ୍ଠୁଡିଓ ପରିସରରେ ହେବ । ଏନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି।

Comments are closed.