ଜୁଲାଇ ଶେଷ ସୁଦ୍ଧା ମିଳିବ ୪ ରାଫେଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ସ୍ବଦେଶ ନିର୍ମିତ ଅଧିକ ୮୩ଟି ତେଜସ୍‌ ଜେଟ୍‌ କିଣିବ। ହିନ୍ଦୁସ୍ଥାନ ଏରୋନଟିକ୍ସଠାରୁ ଏହି ଯୁଦ୍ଧବିମାନ କିଣାଯିବ। ଏହାର ମୂଲ୍ୟ ୬୦୦କୋଟି ଡଲାର। ପୂର୍ବରୁ ଏହି ହାଲ୍‌କା ଯୁଦ୍ଧବିମାନରୁ ୪୦ଟି କିଣିବା ପାଇଁ ବରାଦ ହୋଇଥିଲା। ଏତଦ୍‌ବ୍ୟତୀତ ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଭାରତକୁ ୪ ରାଫେଲ ଯୁଦ୍ଧବିମାନ ମିଳିବ ବୋଲି ସୂଚନା ମିଳିଛି। ଏଥିରୁ ତିନିଟି ଦୁଇ ଆସନ ବିଶିଷ୍ଟ। ମଇ ଶେଷ ସୁଦ୍ଧା ଏହା ମିଳିବାର ଥିଲେ ମଧ୍ୟ ରୋନା ଯୋଗୁଁ ମାସେ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଦୁଇ ବର୍ଷ ପୂର୍ବେ ଭାରତ ସରକାର ୧୧୪ଟି ଯୁଦ୍ଧବିମାନ କିଣିବା ପାଇଁ ଆନ୍ତର୍ଜାତିକ ଟେଣ୍ଡର ଆହ୍ବାନ କରିଥିଲେ। ପୁରୁଣାକୁ ହଟାଇ ଭାରତ ଅତ୍ୟାଧୁନିକ ଯୁଦ୍ଧବିମାନ ବ୍ୟବହାର କରିବ। ଏହି ପରିପ୍ରେକ୍ଷୀରେ ୧୨୩ଟି ତେଜସ୍‌ ବ୍ୟବହାରର ଯୋଜନା ରହିଛି। ସ୍ବଦେଶ ନିର୍ମିତ ଯୁଦ୍ଧବିମାନ କିଣିବା ଦ୍ବାରା ଭାରତ ଦୁଇଟି ବିଷୟ ପ୍ରତିଷ୍ଠା କରିବ। ପ୍ରଥମତଃ ସ୍ବଦେଶୀ ଅସ୍ତ୍ର ଓ ବିମାନ ବ୍ୟବହାର ସହିତ ଏହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ମଭର ହେବ ଓ ବିଶ୍ବକୁ କମ୍‌ ମୂଲ୍ୟରେ ଶକ୍ତିଶାଳୀ ଯୁଦ୍ଧବିମାନ ବିକ୍ରି କରି ଆନ୍ତର୍ଜାତିକ ବଜାରରେ ନିଜର ପ୍ରତିଷ୍ଠା ଜାହିର କରିବ ବୋଲି କହିଛନ୍ତି ସିଡିଏସ୍‌ ଜେନେରାଲ ବିପିନ ରାୱତ।

Comments are closed.