ଆଜି ଫ୍ରାନ୍ସ ସାମରିକ ଏୟାର ବେସ ଛାଡ଼ି ଭାରତ ଅଭିମୁଖେ ବାହାରିଥିବା ଏହି ୫ଟି ବିମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇନ୍ଧନ ଭର୍ତି ନିମନ୍ତେ ଓହ୍ଲାଇବ । ସେଠାରେ ଇନ୍ଧନ ଭର୍ତି ପରେ ବିମାନ ଭାରତ ଅଭିମୁଖେ ଯାତ୍ରା କରିବ । ଏହି ବିମାନକୁ ୧୭ ଗୋଲଡ଼େନ୍ ଆରୋଜ କମାଣ୍ଡିଂ ଅଫିସର ପାଇଲଟ ନେି ଆସୁଛନ୍ତି । ଏହି ପାଇଲଟମାନଙ୍କୁ ଫ୍ରାନ୍ସର ଦସୋଲ୍ଟ ଆଭିଏସନ କମ୍ପାନୀ ପ୍ରଶିକ୍ଷଣ ଦେଇଛି ଏବଂ ଏମାନେ ୨୯ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବେ ।

ଭାରତକୁ ଏହି ବିମାନ ମେ ମାସରେ ମିଳିବାର ଥିଲା । ମାତ୍ର କରୋନା ଯୋଗୁଁ ଏହା ଆସିବାରେ ୨ ମାସ ବିଳମ୍ବିତ ହୋଇଛି । ରାଫେଲ ବିମାନର ପ୍ରଥମ ପର୍ଯ୍ୟାୟରେ ଭାରତକୁ ୨୦୧୯ ଅକ୍ଟୋବରରେ ଭାରତକୁ ମିଳିଥିଲା । ମାତ୍ର ଭାରତର ଆବଶ୍ୟକତା ଯୋଗୁଁ ଏଥିରେ କିଛି ପରିବର୍ତନ ଓ ନବୀକରଣ କରାଯାଇଛି । ଏଥିରେ ଇସ୍ରାଏଲ୍ ନିର୍ମିତ ହେଲମେଟ ମାଉଣ୍ଟ ଡ଼ିସପ୍ଲେ ସହ ରଡ଼ାର ୱାର୍ଣିଂ ରିସିଭର, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟା ଉଡ଼ାରର ସମ୍ପୂର୍ଣ୍ଣ ଡ଼ାଟା ରେକର୍ଡ଼ିଂ ବ୍ୟବସ୍ଥା ଓ ଟ୍ରାକିଂ  ସହ ଆଉ କିଛି ଅତ୍ୟାଧୁନିକ ବ୍ୟବସ୍ଥା ସଂଯୋଗ କରାଯାଇଛି।
ଏହାବ୍ୟତୀତ ଭାରତ ପଠାଯାଇଥିବା ରାଫେଲ ବିମାନର ଆକ୍ରମଣ କ୍ଷମତା ବୃଦ୍ଧି ନିମନ୍ତେ ଏଥିରେ ଫ୍ରାନ୍ସ ନିର୍ମିତ ହ୍ୟାମର କ୍ଷେପଣାସ୍ତ୍ର ଲଗାଇବାର ବ୍ୟବସ୍ଥା କରାଯାଇଚି । ଏହି କ୍ଷେପଣାସ୍ତ୍ର ୭୦ କିଲୋମିଟର ଦୂରରୁ ଅତି ସୁଦୃଢ଼ ଢ଼ାଞ୍ଚାକୁ ଧ୍ଵଂସ କରିବାକୁ ସକ୍ଷମ । ହ୍ୟାମର ଆକାଶରୁ ଭୂମିକୁ ଛଡ଼ାଯିବାକୁ ସକ୍ଷମ ମଧ୍ୟମ ଦୂରତାର କ୍ଷେପଣାସ୍ତ୍ର, ଏହାକୁ ଫ୍ରାନ୍ସର ବାୟୁ ସେନା ଓ ନୌସେନା ମିଳିତ ଭାବରେ ନିର୍ମାଣ କରିଛନ୍ତି । ପ୍ରତିପକ୍ଷର ବଙ୍କରକୁ ସନ୍ଧାନ କରି ଏହା ଧ୍ଵଂସ କରିବାରେ ଏହି କ୍ଷେପଣାସ୍ତ୍ର ସକ୍ଷମ ହୋଇପାରିବ । ଏହାବ୍ୟତୀତ ରାଫେଲରେ ଲଗାଯିବାକୁ ଥିବା ଅନ୍ୟ ଦୁଇ କ୍ଷେପଣାସ୍ତ୍ର ସ୍କେଲ୍ପ ଓ ମୋଟିୟୋର କ୍ଷେପଣାସ୍ତ୍ର ପୂର୍ବରୁ ଭାରତରେ ପହଞ୍ଚି ସାରିଛି ।