ରାଧାନାଥ ରଥ: ଜାଜ୍ବଲ୍ୟମାନ ଆଲୋକସ୍ତମ୍ଭ

ବିଂଶ ଶତାବ୍ଦୀରେ ଓଡ଼ିଶାରେ ଯେଉଁ କତିପୟ ମହାମାନବଙ୍କ ଆବିର୍ଭାବ ଘଟିଥିଲା ସେମାନଙ୍କ ମଧ୍ୟରେ ଓଡ଼ିଶାର ଜାତୀୟ ଜୀବନର ସମୃଦ୍ଧିରେ ସଦାଚେଷ୍ଟିତ, ଐତିହ୍ୟର ସଂରକ୍ଷକ, ସୁଧୀ ସମାଲୋଚକ, ମୂଲ୍ୟବୋଧର ସୁରକ୍ଷାରେ ସତତ ସଚେଷ୍ଟ, ନିର୍ଭୀକ, ସତ୍ୟନିଷ୍ଠ କବି, ଚିନ୍ତକ, ପ୍ରାବନ୍ଧିକ, ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନନେତା, ଅପ୍ରତିଦ୍ୱନ୍ଦ୍ୱୀ ସାମ୍ବାଦିକ-ସମ୍ପାଦକ, ରାଜନୈତିକ ସନ୍ନ୍ୟାସୀ, ତ୍ୟାଗବୀର-କର୍ମବୀର ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ନାମ ଅବିସ୍ମରଣୀୟ। ଶତାବ୍ଦୀ ପୁୁରୁଷ ରାଧାନାଥ ଏକ ଅମ୍ଲାନ ପ୍ରତିଭା, ଅନବଦ୍ୟ ବ୍ୟକ୍ତିତ୍ୱ, ଅନମନୀୟ ପୌରୁଷ। ତାଙ୍କର ଦୀର୍ଘ ଶତ ବର୍ଷର ସାଧିତ ଓ ଶୋଧିତ ଅନନ୍ୟ ମୂଲ୍ୟବୋଧ ତାଙ୍କୁ ଚିର ଭାସ୍ୱର କରିରଖିଛି। ସେ ଥିଲେ ବିଂଶ ଶତାବ୍ଦୀର ଏକ ଉଜ୍ବଳ ଇତିହାସ। ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପଟ୍ଟଶିଷ୍ୟ ତାଙ୍କର ମାନସପୁତ୍ର ‘ସମାଜ’କୁ ପରିପୁଷ୍ଟ କରିବାରେ ନିଷ୍ଠାର ସହ ଯେଭଳି କାମ କରିଯାଇଛନ୍ତି, ତାହାର ସୁଫଳ ଆଜି କୃତଜ୍ଞତାପୂର୍ଣ୍ଣ ହୃଦୟରେ ଓଡ଼ିଶାବାସୀ ଅନୁଭବ କରୁଛନ୍ତି।
ମଣିକାଞ୍ଚନ ସଂଯୋଗ ପରି ଦେଖାହେବା ମାତ୍ରେ ଅନନ୍ୟ ପ୍ରତିଭାର ଅଧିକାରୀ ଜନନାୟକ, ଦୀନଜନ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ ଦାସ ବାଛି ନେଇଥିଲେ ରାଧାନାଥଙ୍କୁ ସହକର୍ମୀ ଭାବେ। ତାଙ୍କର ଅଖଣ୍ଡ ବିଶ୍ୱାସ ଥିଲା ସାଧାରଣ ସେବାକ୍ଷେତ୍ରରେ ପରିପୂର୍ଣ୍ଣ ନିଷ୍ଠାର ସହ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ ଏବଂ ଓଡ଼ିଶାର ଗରିବ ଜନସାଧାରଣଙ୍କ ମୁଖପତ୍ର ‘ସମାଜ’କୁ ପରିପୁଷ୍ଟ କରିବେ, ତା’ରି ମାଧ୍ୟମରେ ମୂକ ମୁହଁରେ ଭାଷା ଦେବ, ନିରନ୍ନ ମଣିଷ ମୁହଁରେ ଅନ୍ନ ଦେବ, ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ କରି ଅଜ୍ଞାନର ଅନ୍ଧକାର ଦୂର କରିବା ଭଳି ଦୁରୂହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହେବେ।
ଖୁସିର ବିଷୟ ରାଧାନାଥ ବାବୁ ନିଜର କୁଚ୍ଛ୍ରସାଧନା ଓ ଅସାଧାରଣ ଜନସେବା ତଥା ତ୍ୟାଗ ବଳରେ ଗୋପବନ୍ଧୁ ଦେଇଥିବା ‘ସମାଜ’ ରୂପୀ ଚାରାକୁ ମହାଦ୍ରୁମରେ ପରିଣତ କରିଥିଲେ। ଆଜି ‘ସମାଜ’ ଜାଗରୁକତା ଓ ବିବେକର ସତର୍କ ପ୍ରହରୀ ଭାବେ ଉଭା ହୋଇଛି। ଉତ୍କଳୀୟଙ୍କୁ ଜ୍ଞାନାଲୋକ ତଥା ଜାଗ୍ରତ କରିବା କରିବା ପାଇଁ ଗୋପବନ୍ଧୁ ‘ସମାଜ’ ପ୍ରତିଷ୍ଠା କରିଥିଲେ। ତାଙ୍କର ମହତ ଇଚ୍ଛାଶକ୍ତିକୁ ସଫଳ ଭାବରେ କାର୍ଯ୍ୟରେ ରୂପାୟିତ କଲେ ପୂଜ୍ୟ ରାଧାନାଥ। ସେ ଯାହା କହିଛନ୍ତି ତା’କୁ କାର୍ଯ୍ୟରେ ପରିଣତ କରିବାର ସାଧନା ନିଃସ୍ୱାର୍ଥପର ଭାବରେ ତାଙ୍କ ପଟ୍ଟଶିଷ୍ୟ ରାଧାନାଥ ଗ୍ରହଣ କରିଥିଲେ ଓ ନିଜର ପ୍ରଜ୍ଞାବଳରେ ଏହାକୁ ସଂରକ୍ଷିତ ଓ ସମୃଦ୍ଧ କରିଥିଲେ।
ରାଧାନାଥଙ୍କ ବ୍ୟକ୍ତିଜୀବନର ବୈଶିଷ୍ଟ୍ୟ ​‌େ​‌ହଉଛି ଯେ ୧୦୨ ବର୍ଷ ପର୍ଯ୍ୟନ୍ତ ନିଷ୍ଠାପର ଭାବେ ଜ୍ଞାନଦୀପ ‘ସମାଜ’କୁ ପ୍ରଜ୍ୱଳିତ କରି ରଖିବାରେ ସମର୍ଥ ହୋଇଥିଲେ। ତାଙ୍କ ତିରୋଧାନ ପରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଛି। ୭୫ ବର୍ଷର ସାମ୍ବାଦିକତା ମଧ୍ୟରେ ଯେତେ ଉଚ୍ଚକୋଟୀର ବିଚାର ସମ୍ବାଦପତ୍ର ମାଧ୍ୟମରେ ବାବୁଜୀ ଦେଶବାସୀଙ୍କୁ ଦେଇଯାଇଛନ୍ତି, ଜାତିକୁ ଉଦ୍‍ବୁଦ୍ଧ କରିଛନ୍ତି, ତାହା ଅବିସ୍ମରଣୀୟ। ନୀତି, ଆଦର୍ଶ, ନିଷ୍ଠାକୁ ଆୟୁଧ କରି ଜୀବନକୁ ସେ ବହୁବାର ବିପନ୍ନ କରିଛନ୍ତି; କିନ୍ତୁ ନୀତିରୁ ଓହରି ନାହାନ୍ତି। ଅନ୍ୟାୟ, ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଲୋପ ନିମନ୍ତେ ଲେଖନୀ ମାଧ୍ୟମରେ ନିରବଚ୍ଛିନ୍ନ ସଂଗ୍ରାମ ଥିଲା ତାଙ୍କର ଲକ୍ଷ୍ୟ।
ସରଳ ଓ ଶୁଦ୍ଧପୂତ ଜୀବନ ଯାପନ, ସତ୍ୟ ଓ ନ୍ୟାୟର ଉପାସନାରେ ନିଜର ଜୀବନ ଜାହ୍ନବୀକୁ ପରିଚାଳିତ କରି ଅପାର ଆନନ୍ଦ ଲାଭ କରୁଥିଲେ। ତାଙ୍କ ବିଚକ୍ଷଣ ବୁଦ୍ଧି, ଉଚ୍ଚ ବିଦ୍‌ବତ୍ତା ଓ ବଳିଷ୍ଠ ଲେଖନୀ ସତ୍ୟ ପ୍ରତି ସମ୍ମାନବୋଧ, ଜାତି, ଧର୍ମ ଓ ଭାଷା ନିର୍ବିଶେଷରେ ସମସ୍ତଙ୍କ ପ୍ରତି ନ୍ୟାୟ ବିଚାର, ସରକାର ଓ ସମାଜର ସମ୍ୟକ ସଂସ୍କାରରେ ଦେଶର ସାଧାରଣ ନାଗରିକର ଦୃଷ୍ଟି ଓ ଗଠନମୂଳକ ମନୋଭାବ ଗଠନ ତାଙ୍କ ଜୀବନର ମୁଖ୍ୟ ଉପଜୀବ୍ୟ ଥିଲା। ସେ ଆତ୍ମପ୍ରଚାରରୁ ବହୁ ଦୂରରେ ଥିଲେ। ନିଜ ବିଷୟରେ କେଉଁଠି ଧାଡ଼ିଟିଏ ବି ଲେଖିନାହାନ୍ତି କିମ୍ବା କହି ନାହାନ୍ତି। ଜୀବନକାଳ ସେ ନିଜର ପୂଜ୍ୟଗୁରୁ ଉତ୍କଳମଣି ଓ ପଞ୍ଚସଖାଙ୍କ ବିଷୟରେ ଲେଖିଯାଇଛନ୍ତି ପଛେ ନିଜ ସମ୍ପର୍କରେ ଲେଖି ନାହାନ୍ତି। ଏହା ହିଁ ତାଙ୍କ ମହାନ ବ୍ୟକ୍ତିତ୍ବର ପରିପ୍ରକାଶ।
ଓଡ଼ିଶାର ସମ୍ବାଦପତ୍ର ଇତିହାସରେ ସର୍ବାଧିକ କାଳ ସାମ୍ବାଦିକତା କରି ନିର୍ଭୀକ, ବଳିଷ୍ଠ, ନିରପେକ୍ଷ ସାମ୍ବାଦିକତା ପାଇଁ ଖ୍ୟାତି ଅର୍ଜନ କରିଥିବା ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ, ‘ସମାଜ’ ସମ୍ପାଦକ, ବିଶିଷ୍ଟ ରାଜନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ସର୍ବୋପରି ଅସାଧାରଣ ଜନସେବକ ରାଧାନାଥ ଓଡ଼ିଶା ଏବଂ ଓଡ଼ିଆଙ୍କ ହୃଦୟକୁ ଯେପରି ଛୁଇଁପାରିଛନ୍ତି ତାହା କ୍ୱଚିତ୍‍ ବରପୁତ୍ରଙ୍କ ଜୀବନରେ ଘଟିଛି। ଭାରତବର୍ଷରେ କ୍ୱଚିତ୍ ନେତା ସ୍ୱ ଜୀବଦ୍ଦଶାରେ ଶତାୟୁ ଭାବେ ଜୟନ୍ତୀ ପାଳନ କରିବାର ଅବକାଶ ପାଇଛନ୍ତି। ପୁଣି କର୍ମମୟ ଭାବରେ ଶହେବର୍ଷ କାଳ ରହି ସଜ୍ଞାନରେ ବିଦାୟ ନେଇଛନ୍ତି। ରାଥାନାଥ ତାଙ୍କର ସମ୍ପାଦକୀୟ ଓ ପ୍ରବନ୍ଧ, ଆଲୋଚନା, ସମାଲୋଚନା(ବିଶେଷକରି ‘ଝିଟିପିଟି କହେ’, ‘ଅଣାକାର’, ‘ସମ୍ବାଦ ଓ ସଙ୍କେତ’) ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ସହ ଭବିଷ୍ୟତ ସମାଜ ଓ ସରକାରଙ୍କୁ ଅଙ୍ଗୁଳି ନିର୍ଦେଶ କରିବାରେ ଧୁରୀଣ ଥିଲେ। ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଲୋକଙ୍କୁ ଏପରି ଆକୃଷ୍ଟ କରୁଥିଲା ଯେ କୁହାଯାଉଥିଲା ‘‘ପ୍ରଥମେ ‘ପୁରୀ ଶ୍ରୀଜଗନ୍ନାଥ’ ପରେ ‘ସମାଜ’ର ବାବୁ ରାଧାନାଥ’ ’’। ସେଥିପାଇଁ ଓଡ଼ିଶାର ପୁରପଲ୍ଳୀରୁ ବିଭିନ୍ନ ଲୋକ ରାଧାନାଥ ବାବୁଙ୍କୁ ନାନା କଥା ଓ ବ୍ୟଥାରେ ଦେଖା କରିବା ପାଇଁ କୌଣସି ସମୟରେ ଚାଲିଆସୁଥିଲେ ‘ସମାଜ’ କାର୍ଯ୍ୟାଳୟକୁ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟକ୍ତି ଓଡ଼ିଶା ଆସିଲେ ରାଧାନାଥ ବାବୁଙ୍କୁ ନ ଭେଟି ଗଲେ ଓଡ଼ିଶା ଗସ୍ତ ଅଧୁରା ବୋଲି ବିଚାରୁ ଥିଲେ। ରାଧାନାଥଙ୍କ ଆତିଥେୟତା ଓ ଜନସେବାର ପଟାନ୍ତର ନାହିଁ। ତାଙ୍କର ବାସ୍ତବମୁଖୀ ଓ କର୍ମାଭିମୁଖୀ ଉପଦେଶ ବହୁ ଆଗନ୍ତୁକଙ୍କୁ ଦିଗ୍‍ଦର୍ଶନ ଦେଇଛି। ସମୁଜ୍ଜଳ ମାନବିକତା ବହୁ ଦୁଃଖୀ, ଚିନ୍ତାଗ୍ରସ୍ତଙ୍କ ମନରେ ସ୍ନେହ, ଶାନ୍ତି ଓ ଆଶ୍ୱାସନା ଭରିଦେଇଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଗୋପବନ୍ଧୁ ମୃତ୍ୟୁର କିଛି ସମୟ ପୂର୍ବରୁ ‘ସମାଜ’କୁ ତାହାର ଲାଳନପାଳନ ପାଇଁ ଲୋକସେବକ ମଣ୍ଡଳ ହାତ‌​‌େ​‌​‌ର ଅର୍ପଣ କରିଦେଇଥିଲେ। ଲୋକସେବକ ମଣ୍ଡଳର ଶୁଶ୍ରୂଷାରେ ‘ସମାଜ’ର ସମୃଦ୍ଧି ଓ ଅଭିବୃଦ୍ଧି ହୋଇଚାଲିଛି। ବାବୁଜୀଙ୍କ ଜନସେବା, ଆଦର୍ଶ ଓ ନିରପେକ୍ଷତାକୁ ଉତ୍ତରକାଳ ସୁରକ୍ଷିତ କରି ରଖିପାରିଲେ ବୈଦ୍ୟୁତିକ ଗଣମାଧ୍ୟମ ଯୋଗୁଁ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଥିବା ମୁଦ୍ରଣ ମାଧ୍ୟମ ଯେ ରାଜନୈତିକ, ଅର୍ଥନୈତିକ, ସାମାଜିକ ବୈଷମ୍ୟ ଦୂର କରିବାକୁ ଯଥାର୍ଥରେ ସମର୍ଥ ହୋଇପାରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। କର୍ମନିଷ୍ଠ, ତ୍ୟାଗବୀରଙ୍କ ସାଧନା ମହତ ଉଦ୍ଦେଶ୍ୟକୁ ସଫଳ କରାଇବାରେ କାଳେକାଳେ ସହାୟକ ହୋଇଥାଏ। ଏହା ବାବୁଜୀଙ୍କ କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି। ତାଙ୍କ ମହାନ ଜୀବନରୁ ଗୋଟିଏ ଶିକ୍ଷା- ନିଷ୍ଠା, ସାଧନା, ତ୍ୟାଗ, ଅଧ୍ୟବସାୟ ସହ ନିଃସ୍ୱାର୍ଥପର ନିର୍ଭୀକତାର ସମନ୍ୱୟ ଘଟିଲେ ମହତ ଲକ୍ଷ୍ୟ ପୂରଣ ହୋଇପାରେ। ଜ୍ଞାନ ଅଧାରିତ, ଶୁଦ୍ଧ, ସେବାମୟ ଜୀବନ ଓ ମହାନ ଆଦର୍ଶ ହିଁ ଅନୁଷ୍ଠାନର ଆଦର୍ଶକୁ ରକ୍ଷା କରିଥାଏ। ଚରିତ୍ର ମଣିଷ ଜୀବନର ମେରୁଦଣ୍ଡ। ଜୀବନ ସମୃଦ୍ଧିର ଆଧାରଶିଳା। ‘ଥିଲେ ଥାଉ ପଛେ ଗୁଣ ଅପାର, ଚରିତ୍ର ନ ଥିଲେ ସବୁ ଅସାର’। ଭୋଗବାଦ ନୁହେଁ, ତ୍ୟାଗବାଦକୁ ହିଁ ପାଥେୟ କରି ସେ ଯାହା କିଛି କରୁଥିଲେ। ସେଥିପାଇଁ ସମ୍ଭବତଃ ‘ସମାଜ’କୁ ପ୍ରତିଷ୍ଠିତ କରାଇବାରେ ସମର୍ଥ ହୋଇପାରିଥିଲେ। ଚଳିତବର୍ଷ ‘ସମାଜ’ ୧୦୦ ବର୍ଷ ପୂର୍ତ୍ତି ପାଳନ କରିଛି। ଆଞ୍ଚଳିକ ଖବରକାଗଜ ହୋଇଥିଲେ ହେଁ ଜାତୀୟତାବାଦୀ ଖବରକାଗଜର ମାନ୍ୟତା ଲାଭ କରିଛି। ଉତ୍ତର ପୁରୁଷଙ୍କୁ ବାବୁଜୀଙ୍କ ଜୀବନ, ସାଧୁତା ଓ ନିସ୍ୱାର୍ଥପରତା ମାର୍ଗ ଦର୍ଶାଇବ। ସଙ୍କଳ୍ପର ପ୍ରଦୀପକୁ ପ୍ରଜ୍ୱଳିତ କରି ରଖିବାର ଶକ୍ତି, ସାମର୍ଥ୍ୟ ଓ ନିଷ୍ଠା ପ୍ରଦାନ କରିବ। ଏହା ହିଁ ଆଜିର ଦିନରେ ‘ସମାଜ’ ପରିବାରର ସମସ୍ତଙ୍କ ଧ୍ୟେୟ ହେବା ଉଚିତ। ସେ ସାମ୍ବାଦିକତାର ଚିର ଜାଜ୍ବଲ୍ୟମାନ ଆଲୋକସ୍ତମ୍ଭ। ବନ୍ୟା, ବାତ୍ୟାର ବନ୍ଧୁ, ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳର ତୁଙ୍ଗନେତା, ପ୍ରଖ୍ୟାତ ଜନସେବକ, ବୁଦ୍ଧିଦୀପ୍ତ ସମ୍ବାଦ ସାହିତ୍ୟ ରଚୟିତା, କବି ସର୍ବୋପରି ଜଣେ ନିର୍ଭୀକ ଦେଶପ୍ରେମୀ ସାଧକ। ୬ ଡିସେମ୍ବର ୧୮୯୬ରେ କଟକ ଜିଲା ଅନ୍ତର୍ଗତ ଆଠଗଡ଼ସ୍ଥିତ ରାଧାନାଥପୁର ଶାସନରେ ତାଙ୍କର ଆବିର୍ଭାବ ଘଟିଥିଲା ଏବଂ ଇହଜଗତରୁ ବିଦାୟ ନେଇଥିଲେ ୧୧ ଫେବୃଆରୀ ୧୯୯୮ରେ। ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ହେଁ ନିଜର ଅଭୂତପୂର୍ବ କର୍ମପ୍ରବଣତା, ତ୍ୟାଗ ଓ ସେବା ବଳରେ ଯେଉଁ ଉଚ୍ଚତାକୁ ଯାଇ ମହାନତା ହାସଲ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରେରଣାଦାୟକ ଓ ଆଦର୍ଶର ପରିଚାୟକ।

 

ମନୋଜ ମେହେର, ସହ-ସମ୍ପାଦକ,
ଗୋପବନ୍ଧୁ ଭବନ, କଟକ-୧

Comments are closed.