ହଟ୍‌ସ୍ପଟ୍‌ ଜିଲାରୁ କଟକ ଆସିଲେ ୧୪ ଦିନ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ

କଟକ: ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଅନୁରୂପ ଭାବେ କଟକ ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କଟକରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ କଟକଣା ବଢାଇ ଦିଆଯାଇଛି। ଏଣିକି  ଓଡ଼ିଶାର କୌଣସି ହଟ୍‌ସ୍ପଟ୍‌ ଜିଲାରୁ ଯଦି କେହି କଟକ ସହରକୁ ଆସିବେ, ତା’ହେଲେ ସେମାନେ ୧୪ ଦିନ କ୍ବାରେଣ୍ଟାଇନ୍ ରହିବା ବାଧ୍ୟତାମୂଳକ। ଏନେଇ କଟକ ମହାନଗର ନିଗମ(ସିଏମସି ) କମିଶନର ସୂଚନା ଦେଇଛନ୍ତି।


କଟକ ଜିଲ୍ଲାର ହଟ୍‌ସ୍ପଟ୍‌ ବ୍ଲକରୁ କଟକ ସହରକୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। କେବଳ ଜିଲ୍ଲା ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ବି ଏଣିକି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଯଦି କୌଣସି ବ୍ୟକ୍ତି ଏହି ନିୟମର ଖିଲାପ କରନ୍ତି ତା’ହେଲେ ଏ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।

Comments are closed.