ସ୍ବେଚ୍ଛାକୃତ ସହଯୋଗ ନିମନ୍ତେ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କୁ ମିଳିବ ଦିନକୁ ୧୫୦ ଟଙ୍କା ପାରିତୋଷିକ

ଭଲ ବ୍ୟବହାର କଲେ ମିଳିବ ପ୍ରମାଣପତ୍ର

ଭୁବନେଶ୍ବର: ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀଙ୍କ ପାଇଁ ଖୁସି ଖବର । ସେମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ରରେ ସ୍ବେଚ୍ଛାକୃତ ଭାବରେ  ବିଭିନ୍ନ ଆନୁଷଙ୍ଗିକ ସହାୟତା କଲେ ସେମାନଙ୍କୁ ଦିନକୁ ୧୫୦ ଟଙ୍କା ହିସାବରେ ୧୦ ଦିନ ଲାଗି ୧୫୦୦ ଟଙ୍କା ପାରିତୋଷିକ ଦେବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ଦିଆଯିବ ।

ସୂଚନା ଅନୁସାରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବା ଶିବିରର ଭାରପ୍ରାପ୍ତ ଅଧିକାରୀମାନେ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରସ୍ତୁତି, ଶିବିର ପରିସରର ପରିଛନ୍ନତା, କ୍ୟାମ୍ପସର ଉନ୍ନତିକରଣ ଓ ମରାମତି କାର୍ଯ୍ୟ, ନିକଟସ୍ଥ ଖେଳ ପଡ଼ିଆର ବିକାଶ, ବୃକ୍ଷରୋପଣ ଆଦି କାର୍ଯ୍ୟରେ ଲଗାଇ ପାରିବେ । ଯେଉଁ ବ୍ୟକ୍ତିମାନେ ସ୍ବେଚ୍ଛାକୃତ ଭାବରେ ଏହି କାର୍ଯ୍ୟ କରିବେ ସେମାନଙ୍କୁ ଦୈନିକ ୧୫୦ ଟଙ୍କା ହିସାବରେ ସର୍ବାଧିକ ୧୦ ଦିନ ପାଇଁ ୧୫୦୦ ଟଙ୍କା ପାରିତୋଷିକ ପ୍ରଦାନ କରାଯିବ ।

quarentine

ସେହିପରି ଯେଉଁମାନେ ସଙ୍ଗରୋଧ କେନ୍ଦ୍ରରେ ରହିଥିବାବେଳେ ଭଲ ବ୍ୟବହାର କରିବେ, ଯେଉଁମାନଙ୍କ ଆଚାର ବ୍ୟବହାର ଉତ୍ତମ ରହିବ,  ସ୍ବେଚ୍ଛାସେବୀ କାର୍ଯ୍ୟକଳାପରେ ଭାଗନେବେ ସେମାନଙ୍କୁ ପ୍ରମାଣପତ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ସଙ୍ଗରୋଧରେ ରହିଥିବା ବ୍ୟକ୍ତିମାନଙ୍କର ମାନସିକ, ଶାରୀରିକ ଯତ୍ନ ନିମନ୍ତେ ଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁସ୍ତକ ପଠନ, ଗଳ୍ପ କଥନ, ଚିତ୍ରାଙ୍କନ ପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସରକାର ନିର୍ଦେଶ ଦେଇଛନ୍ତି ।

Comments are closed.