୧୨ରେ କ୍ବାଡ୍‌ ସମ୍ମେଳନୀ; ଚୀନ କହିଲା- ଆଞ୍ଚଳିକ ଶାନ୍ତି ପାଇଁ ପ୍ରତିକୂଳ ନ ହେଉ

ବେଜିଂ: ଆସନ୍ତା ୧୨ ତାରିଖ ଶୁକ୍ରବାର ଦିନ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ପ୍ରଥମ କ୍ବାଡ୍‌ ସମ୍ମେଳନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଚୀନ ଆଶାବ୍ୟକ୍ତ କରିଛି ଯେ, ଉପରୋକ୍ତ ୪ ଦେଶ କିଛି ଏଭଳି କରିବେ, ଯାହା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ହିତକାରୀ ହେବ। ଏହି ସମ୍ମେଳନ ଆଞ୍ଚଳିକ ଶାନ୍ତି ଲାଗି ପ୍ରତିକୂଳ ନ ହେଉ ବୋଲି ଚୀନ କହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଭିଡିଓ କନ୍‌ଫରେନ୍ସ ଜରିଆରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ୪ ପ୍ରମୁଖ ନେତାଙ୍କ ଗୋଷ୍ଠୀକୁ ଚୀନର ବିକାଶ ବିରୋଧୀ ଦେଶର ସରକାରୀ ଗଣମାଧ୍ୟମରେ ଦର୍ଶାଯାଇଆସୁଛି।

କ୍ବାଡ୍‌ ନେତାମାନଙ୍କ ପ୍ରଥମ ସମ୍ମେଳନ ସମ୍ପର୍କରେ ଚୀନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି ଯେ, କୌଣସି ପ୍ରକାର ଆଞ୍ଚଳିକ ସହଯୋଗ ବ୍ୟବସ୍ଥାକୁ ଶାନ୍ତିପୂର୍ଣ୍ଣ ବିକାଶ ଏବଂ ଲାଭକାରୀ ସହଯୋଗର ସିଦ୍ଧାନ୍ତକୁ ପାଳନ କରିବା ଦରକାର, ଯାହା ବର୍ତ୍ତମାନ ସମୟର ପ୍ରବୃତ୍ତି ବୋଲି ଚୀନ ଆଶା କରୁଛି। ଆମେ ଆଶାବାଦୀ ଯେ କ୍ବାଡ୍‌ ଗୋଷ୍ଠୀ ଏହାକୁ ମସ୍ତିଷ୍କରେ ରଖି ଏଭଳି କିଛି ପଦକ୍ଷେପ ନେବେ, ଯେଉଁଥିରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ହିତକାରୀ ହେବ।

ସୂଚନାଯୋଗ୍ୟ, କ୍ବାଡ୍‌ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଗତ ଫେବୃୟାରୀ ୧୮ରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ବୈଠକ କରିଥିଲେ, ଯେଉଁଥିରେ ସେମାନେ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ବଜାୟ ରଖିବା ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

Comments are closed.