ଆସନ୍ତାକାଲି ଆସୁଛନ୍ତି ପୁତିନ: ଭାରତ-ରୁଷ ମଧ୍ୟରେ ସ୍ୱାକ୍ଷରିତ ହେବ ଏକାଧିକ ରାଜିନାମା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ କାଳରେ ଭାରତ ଏବଂ ରୁଷ ମଧ୍ୟରେ ସହଯୋଗ ଅଧିକ ମଜଭୁତ କରିବାକୁ ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶକ୍ତି ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମ ରହିଛି । ସରକାରୀ ସୂତ୍ରରୁ କୁହାଯାଇଛି ଯେ ପୁତିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବା ସହିତ ଦୁଇ ଦେଶର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟସ୍ତରରେ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ । ଏଥିରେ ଆଫଗାନିସ୍ତାନ ପ୍ରସଙ୍ଗ ସହିତ ଲସ୍କର ଇ ତଇବା ଏବଂ ଜୈଶ ଇ ମହମ୍ମଦ ଭଳି ଆତଙ୍କି ସଂଗଠନ ଆଡୁ ଭାରତ ପ୍ରତି ଲଗାତର ସୃଷ୍ଟି ହେଉଥିବା ବିପଦ ବିଷୟ ସ୍ଥାନ ପାଇବା ଆଶା କରାଯାଉଛି । ଶିଖର ବୈଠକ ପରେ ଏକ ମିଳିତ ବିବୃତି ପ୍ରକାଶ ପାଇବ । ପୁତିନ ସୋମବାର ଆସି ନୂଆଦିଲ୍ଲୀରେ ପହଞ୍ଚୁଥିବାବେଳେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋୟଗୁ ରବିବାର ରାତିରେ ପହଞ୍ଚୁଛନ୍ତି । ପୁତିନଙ୍କର ଏହା ଦିନିକିଆ ଭାରତ ଗସ୍ତ ବୋଲି ଜଣାଯାଇଛି । ପୁତିନଙ୍କ ଗସ୍ତ ପୂର୍ବରୁ ଭାରତ ପ୍ରାୟ ୫ହଜାର କୋଟି ଟଙ୍କା ବ୍ୟୟରେ ଏକେ ୨୦୩ କଲସନିକୋଭ ରାଇଫଲ ଚୁକ୍ତିକୁ ଅନୁମୋଦନ କରିସାରିଛି । ଭାରତ-ରୁଷ ମିଳିତ ଉଦ୍ୟୋଗରେ ଉତ୍ତରପ୍ରଦେଶର ଆମେଥିଠାରେ ଏହି ରାଇଫଲର ୫ ଲକ୍ଷ ୟୁନିଟ ତିଆରି କରାଯିବ । ଏଥିସହିତ ଦୀର୍ଘଦିନରୁ ଅଟକି ରହିଥିବା ଭାରତ ଓ ରୁଷ ଦ୍ୱାରା ମିଳିତ ଭାବରେ ୨୦୦ ଦୁଇ ଇଞ୍ଜିନ ବିଶିଷ୍ଟ କାମୋଭ-୨୨୬ଟି ହାଳୁକା ହେଲିକପ୍ଟର ନିର୍ମାଣ ପ୍ରସଙ୍ଗ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବା ଆଶା କରାଯାଉଛି । ଏହା ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ତିଆରି କରାଯିବ ।

Comments are closed.