ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି : ପ୍ରଶାସନ ରିପୋର୍ଟରେ ତଥ୍ୟର ଅଭାବ- କୋର୍ଟ ମିତ୍ର

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପରେ ଆପତ୍ତି ଉଠାଇଛନ୍ତି କୋର୍ଟମିତ୍ର ରଣଜିତ କୁମାର। ବୁଧବାର ଦିନ ପ୍ରଧାନ ବିଚାରପତି ଶରଦ ଏସ ଏ ବୋବଡେଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ କୋର୍ଟମିତ୍ର ରଣଜିତ କୁମାର ଦର୍ଶାଇଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଉପସ୍ଥାପିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଯଥେଷ୍ଟ ନୁହେଁ। ସୁପ୍ରିମକୋର୍ଟଙ୍କ ଗତ ନଭେମ୍ବର ୪ ନିର୍ଦେଶନାମାକୁ ଏପର୍ଯ୍ୟନ୍ତ ସଠିକ୍‍ ଭାବେ ପାଳନ କରାଯାଇ ନାହିଁ ଏବଂ ରିପୋର୍ଟରେ ତଥ୍ୟର ଅଭାବ ରହିଛି। ତେବେ ନିର୍ଦେଶନାମାର କେଉଁ ବିଷୟ ଗୁଡ଼ିକ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ ଏବଂ ରିପୋର୍ଟରେ କ’ଣ ସବୁ ଅଭାବ ରହିଛି; ସେ ବିଷୟରେ ବଧିବଦ୍ଧ ଭାବେ ଖଣ୍ଡପୀଠଙ୍କୁ ଅବଗତ କରାଇବେ ବୋଲି କୋର୍ଟମିତ୍ର ରଣଜିତ କୁମାର ଜଣାଇଥିଲେ। ଦୁଇ ସପ୍ତାହ ମଧ୍ୟରେ ବିବରଣୀ ଦାଖଲ କରିବାକୁ ପ୍ରଧାନ ବିଚାରପତି ଶରଦ ଏସ୍‍ଏ ବୋବଡେ କୋର୍ଟମିତ୍ରଙ୍କୁ ନିର୍ଦେଶ ଦେଇଥିଲେ। ମାମଲାର ଶୁଣାଣି ବେଳେ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟାର୍ସର ଅଧ୍ୟକ୍ଷ ତଥା ଆଡଭୋକେଟ ଦେବାଶିଷ ମିଶ୍ର ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋର୍ଟ ନିର୍ଦେଶନାମା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉନାହିଁ।

ଜଗନ୍ନାଥ ସଂସ୍କୃତିର ବିକାଶ ନିମନ୍ତେ ଏକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସୁପ୍ରିମକୋର୍ଟ ନିଜ ଆଡୁ ୫କୋଟି ରାଶି ବ୍ୟବସ୍ଥା କରିଥିଲେ ମଧ୍ୟ ପାଣ୍ଠି ସ୍ଥାନାନ୍ତର ପାଇଁ ପଦକ୍ଷେପ ନନେଇ ରାଜ୍ୟ ସରକାର ଚୁପ ବସିଛନ୍ତି। ଏପରିକି ସ୍ଥାୟୀ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗରେ ଅଦ୍ୟାବଧି ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଉଚ୍ଛେଦ ହୋଇଥିବା ମଠ ଗୁଡ଼ିକର ପୁନଃନିର୍ମାଣ ପ୍ରସଙ୍ଗରେ ମଧ୍ୟ ସରକାର ଉଦାସୀନ ଅଛନ୍ତି ବୋଲି ଆଡଭୋକେଟ ମିଶ୍ର ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚଳାଇବାକୁ ଆଡଭୋକେଟ ଶ୍ରୀ ମିଶ୍ର ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ; ମାତ୍ର କୋର୍ଟ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟାର୍ସର ଆବେଦନକୁ ପ୍ରଧାନ ବିଚାରପତି ବୋବଡେ ଗ୍ରହଣ ନକରି ବିଧିବଦ୍ଧ ଭାବେ କୋର୍ଟରେ ଅଦାଲତ ଅବମାନନା ମାମଲା ଦାଖଲ କରିବାକୁ ଆଡଭୋକେଟ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।

Comments are closed.