ହିମାଳୟ ଆରୋହଣ କରି ଓଡ଼ିଶା ପାଇଁ ଗୌରବ ଆଣିଲେ ଏସ୍‌ସିଏସ୍‌ ଛାତ୍ର

ପୁରୀ : ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଏନସିସି ଛାତ୍ର ଆଶିଷ ଜେନା ହିମାଳୟ ପର୍ବତର ୧୬,୫୦୦ଫୁଟ ଆରୋହଣ କରିଛନ୍ତି। ସଫଳତାର ସହ ସେ ପ୍ରତ୍ୟାବର୍ତ୍ତନ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ ଦେଶର ୫ଜଣ ଏନସିସି ଛାତ୍ରଙ୍କୁ ମନୋନୀତ କରାଯାଇଥିଲା। ଓଡ଼ିଶାରୁ ଶ୍ରୀ ଜେନା ସେଥିରେ ସ୍ଥାନ ପାଇଥିଲେ। ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ୧୦ଦିନ ପଥରପୂର୍ଣ୍ଣ ପର୍ବତ ଓ ବରଫାବୃତ୍ତ ପର୍ବତ ଆରୋହଣ ପ୍ରଶିକ୍ଷଣ ଦିଆଯାଇଥିଲା।
ପରବର୍ତ୍ତୀ ୧୨ଦିନ ଅତି କଠିନତାର ସହ ପ୍ରତିକୂଳ ପରିସ୍ଥିତିରେ ଏବଂ ନିମ୍ନ ତାପମାତ୍ରାରେ ବରଫାବୃତ୍ତ ହିମାଳୟର ୧୬,୫୦୦ଫୁଟ ଆରୋହଣ କରି ଶ୍ରୀ ଜେନା ପ୍ରଶଂସିତ ହୋଇଛନ୍ତି। ତାଙ୍କର ଏଭଳି ଦୁଃସାହସିକ ପର୍ବତାରୋହଣ ଯୋଗୁଁ ଦାର୍ଜିଲିଂ ପର୍ବତାରୋହଣ ପ୍ରତିଷ୍ଠାନ ପକ୍ଷରୁ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀ କମାଣ୍ଡିଂ ଅଫିସର କ‌େର୍ଣ୍ଣଲ ସୁଦର୍ଶନ ଯୋଶୀ, ପ୍ରଶାସନିକ ଅଧିକାରୀ କ‌େର୍ଣ୍ଣଲ ପ୍ରସୂନ୍ନ କୁମାର ପଣ୍ଡା, କଲେଜ ଅଧ୍ୟକ୍ଷା ଡଃ ସୁଜାତା ମିଶ୍ର ଏବଂ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡ. ସଞ୍ଜୟ କୁମାର ସୁନ୍ଦରାୟ ତାଙ୍କୁ ସ୍ବାଗତ କରିଛନ୍ତି।

Comments are closed.