ଆଜି ରାତି ୯ରୁ ବୁଧବାର ଅପରାହ୍ଣ ପର୍ଯ୍ୟନ୍ତ ପୁରୀ ଜିଲା ସଟ୍‌ଡାଉନ୍‌

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀ ଜିଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ରାତି ୯ରୁ ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲା ସଟ୍‌ଡାଉନ୍‌ ରହିବ। ପୁରୀ ଜିଲା ସଟ୍‌ଡାଉନ୍‌ ସମୟରେ କର୍ଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଘୋଷଣା କରିଛନ୍ତି। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି। ଅତି ଆବଶ୍ୟକ ନ ଥିଲେ କାହାକୁ ପୁରୀ ସହର ଭିତରକୁ ଛଡ଼ା ଯିବନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି।
ଆଜି ପୁରୀ ରଥଯାତ୍ରା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେଶ୍ରୀଜନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଓ ଗ୍ରାଣ୍ଡ୍‌ରୋଡ୍‌ରେ ୧୪୪ଧାରା ଲାଗୁ, ପୁରୀ ସହର ଏବଂ ଗ୍ରାଣ୍ଡରୋଡ୍‌ର ସମସ୍ତ ପ୍ରବେଶପଥକୁ ସିଲ୍‌ କରିବା, ସେବକ ଓ ପୁଲିସ ଦ୍ବାରା ରଥଟଣା କାର୍ଯ୍ୟ ସମ୍ପନ୍ନ, ପୁଲିସ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ଥିବା ନିରାପତ୍ତା ବ୍ୟବସ୍ଥା ଏବଂ କମ୍‌ ସଂଖ୍ୟକ ସେବକଙ୍କୁ ନେଇ ରଥଯାତ୍ରା ନୀତି ଓ ପରମ୍ପରା ସମ୍ପନ୍ନ ଆଦି ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି।

Comments are closed.