ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ; ଠାକୁର ଚାଲିଲେ ମାଉସୀ ଘର

ପୁରୀ: ସେବାୟତଙ୍କୁ ଛାଡ଼ି ଚାରିଆଡ଼ ଜନଶୂନ୍ୟ। ଏହାରି ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ଠାକୁରଙ୍କ ରଥ। ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ଟାଣି ନେଇଥିଲେ ସେବାୟତ ଓ ପୁଲିସ କର୍ମଚାରୀ। ପ୍ରତି ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତବର୍ଷ ପ୍ରଥମ ଥର ଲାଗି ବିନା ଭକ୍ତରେ ତିନି ଠାକୁର ମାଉସୀ ଘରକୁ ଯାଉଛନ୍ତି।

ରଥାରୂଢପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ୩ ଠାକୁରଙ୍କ ଦର୍ଶନ କରିଥିଲେ । ପରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ଛେରା ପହଁରା କରିଥିଲେ। ଘୋଷଯାତ୍ର ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ତାଙ୍କର ଛେରାପହଁରା କରିବାରେ କିଛି ସମସ୍ୟା ନାହିଁ ବୋଲି ଗତକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ।

କରୋନା କଟକଣା ପାଇଁ ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା। ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର  ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି। ସମସ୍ତେ ଅଗଣିତ ଭକ୍ତ ଅନେଇ ରହିଥିବା ଠାକୁରଙ୍କ ରଥଟଣା ମଧ୍ୟ ଆରମ୍ଭ ହୋଇଯାଇଛି ।

 

Comments are closed.