ବିକିଦେଲେ ବଗଲା ଧର୍ମଶାଳା ଜମି

ପୁରୀ: ପୁରୀ ସହରର କେନ୍ଦ୍ରସ୍ଥଳ ବଡ଼ଦାଣ୍ଡକୁ ଲାଗି ରହିଥିବା ବଗଲା ଧର୍ମଶାଳା ଜମି ବିକ୍ରି କରି ଦିଆଯାଇଛି। ଭିତର ସେବାୟତ ନିଯୋଗ ସମେତ ୬ଜଣ ଲଜିଂ ମାଲିକଙ୍କୁ ୩୪୦ ଡେସିମିଲ ଜମି ବିକ୍ରି କରିଛନ୍ତି ପୁରୀ ଜିଲାପାଳ। ଚଳିତମାସ ୫ରୁ ୧୨ତାରିଖ ମଧ୍ୟରେ ଜମି ବିକ୍ରି କବଲା ପଞ୍ଜୀକରଣ କରାଯାଇଛି। ଦାନରେ ମିଳିଥିବା ଏହି ଜମିକୁ ଖଣ୍ଡ ଖଣ୍ଡ କରି ଅନ୍ୟ ହାତରେ ଟେକି ଦେଇଛି ପ୍ରଶାସନ। ଏଥିଯୋଗୁଁ ବଗଲା ଧର୍ମଶାଳା ପୁନଃନିର୍ମାଣ ତଥା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ବନ୍ଦ ହୋଇଯାଇଛି।

ପୁରୀ ବଳଗଣ୍ଡି ରାଜସ୍ବ ମୌଜାର ଖାତା ୨୪୨ରେ ରହିଥିବା ୨ଏକର ୫୭୪ ଡେସିମିଲ ଜମି ମଧ୍ୟରୁ ୩୪୦ ଡେସିମିଲ ଜମି ପ୍ରଥମ ପର୍ଯ୍ୟାୟରେ ବିକ୍ରି କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ କୋଠରି ଯୋଗାଇଦେବା ଉଦେଶ୍ୟରେ ବାବୁ କହ୍ନେୟାଲାଲ ବଗଲା ୧୯୦୪ରେ ଏହି ଧର୍ମଶାଳା ନିର୍ମାଣ କରିଥିଲେ। ପୁରୀ ଜିଲା ମାଜିଷ୍ଟ୍ରେଟ ଏବଂ ଲଜିଂ ହାଉସ ଫଣ୍ଡ କମିଟି ସଭାପତିଙ୍କୁ ୧୯୦୫ ମସିହାରେ ଏହି ଜମି ସମେତ ଧର୍ମଶାଳା ସେ ହସ୍ତାନ୍ତର କରିଥିଲେ। ପୁରୀ ତହସିଲ କାର୍ଯ୍ୟାଳୟର ଓଇଏ କେସ୍‌ ୩୯/୧୯୯୯ରେ ଏ ସମ୍ପର୍କରେ ସ୍ପଷ୍ଟଭାବେ ତହସିଲଦାର ଉଲ୍ଲେଖ କରିଛନ୍ତି।
ସୂଚନା ଅନୁଯାୟୀ ବିହାର ଏବଂ ଓଡ଼ିଶା ପ୍ଲେସେସ୍‌ ଅଫ୍‌ ପିଲିଗ୍ରିମେଜ୍‌ ଆକ୍ଟ ୧୯୨୦ ଅନୁଯାୟୀ ବଗଲା ଧର୍ମଶାଳା ପରିଚାଳିତ ହେଉଥିଲା। ୨୦୧୮ରେ ରାଜ୍ୟ ସରକାର ଏହି ଆଇନକୁ ଉଚ୍ଛେଦ କରିବା ସହ ଲଜିଂ ହାଉସ୍‌ ଫଣ୍ଡ କମିଟି ଭାଙ୍ଗି ଦେଇଥିଲେ। ବଗଲା ଧର୍ମଶାଳା ସମେତ କମିଟିର ଅନ୍ୟାନ୍ୟ ସମ୍ପତ୍ତି ଏବଂ କର୍ମଚାରୀଙ୍କୁ ପୁରୀ ପୌରସଂସ୍ଥା ସହ ମିଶା ଯାଇଥିଲା।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ମିଟର ସୁରକ୍ଷା କରିଡରରୁ ଉଚ୍ଛେଦ ହେଉଥିବା ଲଜିଂ ମାଲିକଙ୍କୁ ବଗଲା ଧର୍ମଶାଳା ଜମିରେ ପ୍ଲଟ୍‌ ଆବଣ୍ଟନ ପାଇଁ ଜିଲା ପ୍ରଶାସନ ଗତବର୍ଷ ନିଷ୍ପତ୍ତି ଗ୍ରହଣ କରିଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ପକ୍ଷରୁ ବଗଲା ଧର୍ମଶାଳା ଜମି ପ୍ଲଟିଂ କରାଯାଇ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ନିକଟରେ ଗତବର୍ଷ ଅକ୍ଟୋବର ୩୦ରେ ଦାଖଲ କରାଯାଇଥିଲା। ଏହାପୂର୍ବରୁ ବଗଲା ଧର୍ମଶାଳାର ପୁରୁଣା କୋଠା ଭଙ୍ଗାଯାଇ ପ୍ରସାଦ ଯୋଜନାରେ ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥିପାଇଁ ୨୦କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳି ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୮ ଜୁଲାଇ ୨୪ରେ ଅନୁମୋଦନ କରିଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଏଥିପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମକୁ ଧର୍ମଶାଳା ପୁନଃନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ଧର୍ମଶାଳା ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତବର୍ଷ ତାହାକୁ ହଠାତ ବନ୍ଦ କରାଯାଇ ଜମି ପ୍ଲଟିଂ କରାଯାଇଥିଲା।
ବଗଲା ଧର୍ମଶାଳା ଜମି ବିକ୍ରି ପୂର୍ବରୁ ଲଜିଂ ହାଉସ ଫଣ୍ଡ କମିଟି ନାମରେ ରହିଥିବା ଜମି ମାଲିକାନା ଜିଲାପାଳଙ୍କ ନିର୍ଦେଶକ୍ରମେ ପୁରୀ ଅତିରିକ୍ତ ତହସିଲଦାର ଅତି ତରବରିଆ ଭାବେ ରେଭେନ୍ୟୁ ମିସ୍‌ କେସ୍‌ ମାଧ୍ୟମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନାମରେ ରେକର୍ଡ କରିଛନ୍ତି। ଲଜିଂ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ହସ୍ତାନ୍ତର ପ୍ରସ୍ତାବକୁ ବିରୋଧ କରି ସମାଜସେବୀ ଜଗନ୍ନାଥ ବସ୍ତିଆ ଗତବର୍ଷ ଡିସେମ୍ବର ୨ତାରିଖରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଡିସେମ୍ବର ୧୭ରେ ହାଇକୋର୍ଟ ତାହାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହି ମୋକଦ୍ଦମା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଚଳିତମାସ ୫ରୁ ୧୨ତାରିଖ ମଧ୍ୟରେ ଖାତା ୨୪୨ ଏବଂ ପ୍ଲଟ ନମ୍ବର ୪୯୬ରେ ଥିବା ଜମି ମଧ୍ୟରୁ ଭିତର ସେବାୟତ ନିଯୋଗକୁ ୧୩୬ ଡେସିମିଲ, ବିଜୟଲକ୍ଷ୍ମୀ ଖୁଣ୍ଟିଆ ଏବଂ ଜୟଲକ୍ଷ୍ମୀ ଖୁଣ୍ଟିଆଙ୍କୁ ୬୮ ଡେସିମିଲ, ବଟକୃଷ୍ଣ ମୁଦ୍ରାଙ୍କୁ ୩୪ ଡେସିମିଲ, କଳ୍ପନା ମହାନ୍ତିଙ୍କୁ ୩୪ ଡେସିମିଲ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ଦୀପକ କୁମାର ସାହୁଙ୍କୁ ୬୮ ଡେସିମିଲ ଜମି ବିକ୍ରି କରାଯାଇଛି। କେତେକ ଲଜିଂ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି କରାଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ଏ ସମ୍ପର୍କ​‌ରେ ପୁରୀ ଜିଲାପାଳ ବଲୱନ୍ତ ସିଂହଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏଥିସହ ଜିଲାର ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

Comments are closed.