ଶ୍ରୀମନ୍ଦିରରେ ଏପ୍ରିଲ ୧୫ ଯାଏଁ ଭିତର କାଠ ଦର୍ଶନ ବନ୍ଦ ; ମାସ୍କ ପିନ୍ଧିବେ ସେବାୟତ

ପୁରୀ : ପୁରୀରେ ଆଜି ଛତିଶା ନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ପରିବାରର କେହି ବିଦେଶରୁ ଫେରିଥିଲେ ଫର୍ମରେ ସ୍ପଷ୍ଟ କରିବେ। ଶ୍ରୀମନ୍ଦିର ବାହାରେ ହେଲ୍ସ ଡ଼େସ୍କରେ ଫର୍ମ ଯୋଗାଇ ଦିଆଯିବ। ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଓ ଦେବାଦେବୀଙ୍କୁ ଛୁଇଁବା ପାଇଁ ବାରଣ କରାଯାଇଛି। ପୂଜାପଣ୍ଡା ସେବକମାନେ ସେବା ବେଳେ ମୁହଁରେ ମୁଖା ପିନ୍ଧିବାକୁ ଓ ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠ ପାଇଁ ବାରଣ କରାଯାଇଛି। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଧାଡ଼ି ମଧ୍ୟରେ ୨ ମିଟର ବ୍ୟବଧାନ ରହିବ ବୋଲି କୁହାଯାଇଛି। ଭକ୍ତଙ୍କ ଆଖିରେ କର୍ପୂର ନଲାଗାଇବାକୁ କୁହାଯାଇଛି। ଏପ୍ରିଲ ୧୫ ଯାଏଁ ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଭିତର କାଠ ପରେ ଠାକୁରଙ୍କୁ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ଜଗମୋହନ ଭିତରେ ଜନସମାଗମ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ କରାଯିବା ନେଇ ସ୍ଥିରୀକୃତ ହୋଇଛି। ଏହାସହ ପର୍ଯ୍ୟଟକ ଓ ସ୍ଥାନୀୟଲୋକଙ୍କୁ ବେଳାଭୂମିକୁ ଓ ଜନ ସମାଗମ ସ୍ଥାନକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।
ସେହିପରି ସତର୍କତା ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରକୁ ମଧ୍ୟ ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ପୁରୀ ଜିଲ୍ଲାପାଳ ଘୋଷଣା କରିଥିବା ନେଇ ଜଣାପଡ଼ିଛି।

Comments are closed.