ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଜିଠୁ ଭକ୍ତ ପାଇବେ ଅଡ଼ପ ଅବଢ଼ା

ପୁରୀ: ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚକ୍ରରାଜ ସୁଦର୍ଶନଙ୍କ ସହ ତିନି ଠାକୁର ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିରାଜମାନ କରିଛନ୍ତି । ରଥରୁ ଓହ୍ଲାଇ ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ଶେଷରେ କାଳିଆ ଠାକୁର ରଥରୁ ଓହ୍ଲାଇ ଜନ୍ମବେଦୀରେ ବିଜେ କରିଛନ୍ତି । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ସମୟରେ ଶରଧା ବାଲିରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ନୃତ୍ୟ ଓ ଭଜନ କିର୍ତ୍ତନରେ ଶରଧାବାଲି ଦୁଲୁକୁଥିବା ଦେଖିବାକୁ ମିଳିଥିଲା । ବର୍ଷା ହେଉଥିଲେ ବି ଭଗବାନଙ୍କୁ ଟିକିଏ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅନେକ ଆଗ୍ରହ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଖାଲି ସେତିକି ନୁହେଁ ଆଜି ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଅଡପ ଅବଢ଼ା ମଧ୍ୟ ସେବନ କରିପାରିବେ । ଏହି ଅବଢ଼ା ଶ୍ରଦ୍ଧାଳୁଙ୍କୁ ୬ ଦିନ ଯାଏ ମିଳିବ ।

Comments are closed.