ରାତିସାରା ଭକ୍ତଙ୍କୁ ଦର୍ଶନଦେଲେ ଦାରୁବ୍ରହ୍ମ

ପୁରୀ : ରାତି ଉଜାଗର ରହି ବୁଧବାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦାରୁବ୍ରହ୍ମ। ରାତିସାରା ଶ୍ରୀମନ୍ଦିର ଦ୍ବାର ଖୋଲା ରହିଛି। ଗୁରୁବାର ସକାଳେ ସୂର୍ଯ୍ୟପରାଗ ଥିବାରୁ ସୂତାବସ୍ତ୍ର ପରିଧାନକରି ରତ୍ନସିଂହାସନରେ ବସିଛନ୍ତି ମହାପ୍ରଭୁ। ବୁଧବାର ରାତି ୭ଟା ୧୦ରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଅନୁଷ୍ଠିତ ହୋଇଛି। ରାତି ୮ଟା ୨୦ରୁ ଦେବନୀତି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶ୍ରୀଜୀଉଙ୍କୁ ଭଲଭାବେ ଦର୍ଶନ କରି ଆନନ୍ଦରେ ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ। ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର। ଶ୍ରୀମନ୍ଦିର ଭିତରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଆନନ୍ଦବଜାର ରାତିସାରା ଖୋଲା ରହିଛି। କେତେକ ଶ୍ରଦ୍ଧାଳୁ ମନ୍ଦିର ବେଢାରେ ବସି ଭଜନ କୀର୍ତ୍ତନ କରୁଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟାଉନଥାନା ଠାରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟାରିକେଡ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ରାତିତମାମ ଛୁଟିଛି ଭକ୍ତଙ୍କ ସୁଅ। ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ପରେ ଭକ୍ତମାନେ ସମୁଦ୍ରକୂଳ ଯାଇ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ୩୦ପ୍ଲାଟୁନ ପୁଲିସ ଫୋର୍ସ ଏବଂ ଶତାଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଗୁରୁବାର ସକାଳ ୮ଟା ୨୦ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ଆରମ୍ଭ ହେବ। ଏହାପରେ ଦାରୁବ୍ରହ୍ମଙ୍କୁ ଗ୍ରହଣ ମହାସ୍ନାନ କରାଯିବ। ପରମ୍ପରା ଅନୁଯାୟୀ ମଇଲମ, ବେଶ, ମଙ୍ଗଳଆଳତି, ଅବକାଶ, ରୋଷହୋମ ଆଦି ଅନୁଷ୍ଠିତ ହେବ। ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ହେବାର କାର୍ଯ୍ୟକ୍ରମ ରହିଛି। ସୂର୍ଯ୍ୟପରାଗ ୧୨ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିଛି। ମହାପ୍ରଭୁ ରାତି ଉଜାଗର ରହି ରତ୍ନସିଂହାସନରେ ବସିଥିବାରୁ ଭକ୍ତମାନେ ରାତିସାରା ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଭକ୍ତଙ୍କ ପାଇଁ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରରେ ରାତି ତମାମ ପୁଲିସ କର୍ମଚାରୀ ଜଗି ରହିଛନ୍ତି। ପାଳିଆ ସେବକମାନେ ରାତି ଉଜାଗର ରହିଛନ୍ତି। ଶ୍ରୀମନ୍ଦିର ସିଂହଦ୍ବାର ସମେତ ଚତୁଃପାର୍ଶ୍ବ ପରିକ୍ରମା ମାର୍ଗରେ ସବୁଜବଳୟ ସୃଷ୍ଟି କରାଯାଇଛି। ଭକ୍ତଙ୍କ ପାଇଁ ନୂଆ ବ୍ୟାରିକେଡ୍‌ ଏବଂ ଅସ୍ଥାୟୀ ବିଶ୍ରାମସ୍ଥଳ କରାଯାଇଛି। ବଡ଼ଦାଣ୍ଡରେ ପାରମ୍ପରିକ ଝୋଟି ପକାଯାଇଛି। ଉଜ୍ଜଳ ଆଲୋକ ଏବଂ ପାନୀୟଜଳ ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମ ଏବଂ ବୟସ୍କ ଲୋକଙ୍କ ପାଇଁ ବ୍ୟାଟେରୀଚାଳିତ ଅଟୋ ପ୍ରଚଳନ କରାଯାଇଛି। ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୁଲିସ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।

 

Comments are closed.