ଶ୍ରୀମନ୍ଦିର ୱାଚ୍‌ ଟାୱାରରେ ବିଦେଶୀ

ପୁରୀ : ଶ୍ରୀମନ୍ଦିର ୱାଚ୍‌ ଟାୱାରରେ ଚଢି ମୋବାଇଲ କ୍ୟାମେରାରେ ଭିତର ଦୃଶ୍ୟ ରେକର୍ଡିଂ କରିଛନ୍ତି ବିଦେଶୀ ପର୍ଯ୍ୟଟକ। ଶ୍ରୀମନ୍ଦିର ନିରାପତ୍ତା ପାଇଁ ମେଘନାଦ ପ୍ରାଚୀର ନିକଟରେ ନିର୍ମାଣ କରାଯାଇଥିବା ୱାଚ୍‌ ଟାୱାର ଏବେ ଅସୁରକ୍ଷିତ ହୋଇପଡିଛି। ରବିବାର ଦିନସାରା ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଶ୍ରୀମନ୍ଦିର ପଶ୍ଚିମଦ୍ବାର ଅଞ୍ଚଳରେ ଥିବା ୱାଚ୍‌ ଟାୱାରରେ ବିଦେଶୀ ମହିଳା ଚଢିଥିବା ଜଣାପଡିଛି। ସ୍ଥାନୀୟ ଅଧିବାସୀଙ୍କ ବିରୋଧ ଯୋଗୁଁ ସେମାନେ ଓହ୍ଲାଇ ଆସିଛନ୍ତି। ୱାଚ୍‌ ଟାୱାରରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ଏପରି ଅଘଟଣ ଘଟିଛି। ଦୁଇ ବିଦେଶୀ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ସିଂହଦ୍ବାର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। କୋଟି କୋଟି ହିନ୍ଦୁଙ୍କ ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଆତଙ୍କବାଦୀଙ୍କ ଆକ୍ରମଣ ସମ୍ଭାବନା ଥିବାରୁ ମେଘନାଦ ପ୍ରାଚୀର ନିକଟରେ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ବାହାରେ ରହିଥିବା ୱାଚ୍‌ ଟାୱାର ଗୁଡିକରେ ସଶସ୍ତ୍ର ପୁଲିସ ଫୋର୍ସ ଅତ୍ୟାଧୁନିକ ବାଇନାକୁଲର ସହ ଜଗି ରହିଛନ୍ତି। ତେବେ ଦୁଇ ବିଦେଶୀ ପର୍ଯ୍ୟଟକ ସେଥିରେ ଚଢିବା ବେଳେ କୌଣସି ପୁଲିସ କର୍ମଚାରୀ ନଥିବା ଜଣାପଡିଛି। ଏହି ଘଟଣା ଶ୍ରୀଜଗନ୍ନାଥପ୍ରେମୀଙ୍କ ସମେତ ସେବକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ତ୍ରିସ୍ତରୀୟ ସୁରକ୍ଷା ବଳୟକୁ ନେଇ ସନ୍ଦେହ ଜାତ ହୋଇଛି। ନୂଆବର୍ଷ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଏବଂ ବାହାରେ ପ୍ରାୟ ୨୦ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟେକ ତତ୍ତ୍ବାବଧାନରେ ୨ ଅତିରିକ୍ତ ଏସ୍‌ପି, ୬ଜଣ ଡିଏସ୍‌ପି ଏବଂ ୮ ଇନ୍ସପେକ୍ଟରଙ୍କ ସମେତ ୬୦ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଏଭଳି ସ୍ଥିତିରେ ୨ଜଣ ବିଦେଶୀ ମହିଳା ସ୍ପଷ୍ଟ ଦିବାଲୋକରେ ୱାଚ୍‌ ଟାୱାର ଉପରେ ଚଢି ଶ୍ରୀମନ୍ଦିର ଭିତରଦୃଶ୍ୟ ମୋବାଇଲରେ ରେକର୍ଡିଂ କରିବା ଜନସାଧାରଣଙ୍କୁ ବିସ୍ମିତ କରିଛି।
ପଶ୍ଚିମବଙ୍ଗ ବର୍ଦ୍ଧମାନର ଜଣେ ପର୍ଯ୍ୟଟକ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଫେସବୁକ୍‌ରେ ଅପ୍‌ଲୋଡ କରିବାର ସପ୍ତାହେ ନପୂରୁଣୁ ରବିବାର ଆଉ ଏକ ଚାଞ୍ଚଲ୍ୟକର ଭିଡ଼ିଓ ଭାଇରାଲ ହୋଇଛି। ଏହା ଦୁଇ କିମ୍ବା ତିନିଦିନ ତଳର ଘଟଣା ବୋଲି ସନ୍ଦେହ କରାଯାଉଛି। ଶ୍ରୀମନ୍ଦିର ଉତ୍ତର-ପଶ୍ଚିମ କୋଣ ଗଡ଼ନ୍ତିଛକ ଅଞ୍ଚଳର ଜଣେ ଦୋକାନୀ ନିଜ ମୋବାଇଲ ଫୋନ୍‌ରେ ବିଦେଶୀ ପର୍ଯ୍ୟଟକ ୱାଚ୍‌ ଟାୱାରରେ ଚଢିବା ଘଟଣାର ରେକର୍ଡିଂ କରିଛନ୍ତି। ଚକ୍ରତୀର୍ଥ ଅଞ୍ଚଳର ଜଣେ ଟୁରିଷ୍ଟ ଗାଇଡ୍‌ ଏହି ଘଟଣାରେ ସଂପୃକ୍ତଥିବା ଜଣାପଡିଛି। ଦୁଇ ବିଦେଶୀ ମହିଳା ଶ୍ରୀମନ୍ଦିର ନୀଳାଚଳ ଉପବନ, କୋଇଲି ବୈକୁଣ୍ଠ ଏବଂ ଦାରୁବ୍ରହ୍ମଙ୍କ ମହାଶ୍ମଶାନ ଦୃଶ୍ୟ ଉତ୍ତୋଳନ କରିଥିବା କୁହାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଦିଆଯାଇ ନାହିଁ। ପୁଲିସ ନିଜଆଡୁ ତଦନ୍ତ କରିବା ସହ ଦୁଇ ବିଦେଶୀ ମହିଳା ଏବଂ ଟୁରିଷ୍ଟ ଗାଇଡ୍‌ଙ୍କୁ ଖୋଜୁଥିବା ଜଣାପଡିଛି। ବିଦେଶୀ ପର୍ଯ୍ୟଟକଙ୍କ ସମ୍ପର୍କରେ ହୋଟେଲ ଏବଂ ଲଜିଂ ମାଲିକମାନେ ଜିଲା ଗୁଇନ୍ଦା କାର୍ଯ୍ୟାଳୟରେ ପ୍ରତ୍ୟହ ଦେଉଥିବା ତଥ୍ୟକୁ ଆଧାର କରି ତଦନ୍ତ ଚାଲିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.