ସେବକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଯିବ

ପୁରୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନ ଗରିବ ସେବକଙ୍କୁ ମାଗଣାରେ ଘର ଯୋଗାଇ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ପୁରୀ ସହରରେ ଆବଶ୍ୟକ ଜମି ପ୍ରଦାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ନବକୃଷ୍ଣ ଚୌଧୁରୀ ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସାମାଜିକ ଓ ଆର୍ଥିକ ସର୍ଭେ ରିପୋର୍ଟକୁ ଭିତ୍ତିକରି ବାସହୀନ ସେବକଙ୍କୁ ଚିହ୍ନଟ କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୨୧ଶହ ସେବକ ପରିବାରକୁ ଆଉ ଦୁଇଟି ପର୍ଯ୍ୟାୟରେ ୫ହଜାର ଟଙ୍କା ଲେଖାଏ କରୋନା ସହାୟତା ଦିଆଯିବ। ଶନିବାର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମପାଖୁଡା ପଥର ଗାଏବ ଅଭିଯୋଗ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାଠାରୁ ରିପୋର୍ଟ ମଗାଯାଇଥିବା
ସେ କହିଛନ୍ତି। ଏଏସ୍‌ଆଇ ପକ୍ଷରୁ ଦାଖଲ କରାଯାଇଥିବା ମରାମତି ସମୟର ଫଟୋ ଗୁଡିକୁ ଅନୁଧ୍ୟାନ କରାଯାଉଛି। ସେବକ କଲ୍ୟାଣ ଚିକିତ୍ସାଳୟର ଭିତ୍ତିଭୂମି ସୁଦୃଢ କରାଯିବା ସହ ସେବକଙ୍କୁ ଅଧିକ ଔଷଧ ମାଗଣାରେ ଯୋଗାଇ ଦିଆଯିବ ବୋଲି ଶ୍ରୀ କୁମାର ଗଣମାଧ୍ୟମକୁ କହିଛନ୍ତି।
ରତ୍ନସିଂହାସନରେ ରହିଥିବା ବିରଳ ପଥର ଗୁଡିକ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ​ଭିଡିଓ ରେକର୍ଡିଂ ସମେତ ଡକୁମେଣ୍ଟେସନ କରାଯିବ ବୋଲି ସେ କହିଛନ୍ତି। ସେବକ ଏବଂ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଖୁବ୍‌ଶୀଘ୍ର ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ। ସେ କହିଲେ ସେବକ କଲ୍ୟାଣ ଯୋଜନା ସମ୍ପର୍କରେ ପରିଚାଳନା କମିଟି ସଭ୍ୟ ଏବଂ ବରିଷ୍ଠ ସେବକଙ୍କ ସହ ଆଲୋଚନା କରାଯାଇଛି। କରୋନା ଯୋଗୁଁ ସେବକଙ୍କ ଜୀବିକା ପ୍ରଭାବିତ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସେମାନଙ୍କୁ ୨ଟି ପର୍ଯ୍ୟାୟରେ ୫ହଜାର ଟଙ୍କା ​‌େଲଖାଏ ପ୍ରଦାନ କରାଯାଇଥିଲା। ଜୁଲାଇ ଏବଂ ଅଗଷ୍ଟ ପାଇଁ ଆଉ ୫ହଜାର ଟଙ୍କା ଲେଖାଏ ଦିଆଯିବ। ସେବକଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ଆଉଥରେ ସର୍ଭେ କରିବାକୁ ନବକୃଷ୍ଣ ଚୌଧୁରୀ ଫାଉଣ୍ଡେସନକୁ ଅନୁରୋଧ କରାଯିବ। ସେବକଙ୍କ ପାଳିଆ ପୁରସ୍କାର ପରିମାଣ ୨ଗୁଣ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ୨୦୦ରୁ ୨୫୦ ସେବକ ପରିବାରକୁ ସମନ୍ବିତ ଗୃହ ନିର୍ମାଣ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବ। ଗର୍ଭଗୃହରୁ ଗତମାସ ୬ତାରିଖରେ ପଥର ଖସିବା ଅଭିଯୋଗ ଅମୂଳକ ବୋଲି ସେ କହିଛନ୍ତି। ସେତେବେଳେ ଠାକୁରଙ୍କ ଅଣସର ସେବା ଚାଲିଥିବାରୁ ଦଇତାପତିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ପଦ୍ମପାଖୁଡା ପଥର ଗାଏବ ଅଭିଯୋଗ ନେଇ ଉଦ୍‌ବେଗର କୌଣସି କାରଣ ନାହିଁ। ଗର୍ଭଗୃହରେ ରହିଥିବା ପଥର ଗୁଡିକୁ ଚିହ୍ନଟ କରାଯିବା ସହ ତାଲିକା ପ୍ରସ୍ତୁତ ପାଇଁ ସ୍ଥିର କରାଯାଇଛି। ଏଣିକି ରଥଯାତ୍ରା ସମୟରେ ଗର୍ଭଗୃହ ମରାମତି କାର୍ଯ୍ୟ ଅନୁଧ୍ୟାନ ପାଇଁ କିଛି ବରିଷ୍ଠ ସେବକଙ୍କୁ ନେଇ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ଏଏସ୍‌ଆଇ ଅଧିକାରୀ ଏବଂ କୋର୍‌ କମିଟି ସଭ୍ୟମାନେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରିବା ବେଳେ ସେବକ ପ୍ରତିନିଧି ଉପସ୍ଥିତ ରହିବେ। ଜିଲାପାଳ ବଲୱନ୍ତ ସିଂହଙ୍କ ସମେତ କେତେକ ପରିଚାଳନା କମିଟି ସଭ୍ୟ ଏବଂ ବରିଷ୍ଠ ସେବକ ବୈଠକରେ ଉପସ୍ଥିତ ଥିଲେ।

Comments are closed.