ଚର୍ଚ୍ଚାରେ ସିମୀତ ମହିଳା ସୁରକ୍ଷା – ପୁରୀ ଗଣଦୁଷ୍କର୍ମ ନେଇ ତେଜୁଛି ଜନ ଅସନ୍ତୋଷ

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ସମେତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ପଚରାଉଚୁରା ଲାଗି ଥାନାରେ ଅଟକ ରଖିଛି ବୋଲି କେନ୍ଦ୍ରାଞ୍ଚଳ ପୋଲିସ ଡିଆଇଜି ଆଶିଷ କୁମାର ସିଂ କହିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କହିଛନ୍ତି, ପୋଲିସ ଏହି ଘଟଣାକୁ ଗୁରତ୍ୱର ସହ ଗ୍ରହଣ କରିଛି। ଏହି ମାମଲାର ତୁରନ୍ତ ବିଚାର ଲାଗି ଫାଷ୍ଟଟ୍ରାକ୍‍ କୋର୍ଟକୁ ଅନୁରୋଧ କରାଯିବ। ଆଗାମୀ ୨୦ ଦିନ ମଧ୍ୟରେ ମାମଲାର ତଦନ୍ତ କରାଯାଇ କୋର୍ଟରେ ଚାର୍ଜସିଟ୍‍ ଦାଖଲ କରାଯିବ ବୋଲି ଡିଆଇଜି କହିଛନ୍ତି।

ସେ କହିଛନ୍ତି, ଦୁଷ୍କର୍ମ ଶିକାର ହୋଇଥିବା ପୀଡିତା ଜଣକ ନାବାଳିକା ବୋଲି ଜଣାପଡିବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ଗଣ ଦୁଷ୍କର୍ମ ଦଫା ଲଗାଇବା ସହିତ ଫାଶୀଦଣ୍ଡ ଲାଗି ପୋକସୋ ଆଇନ ବଳରେ ମାମଲା ରୁଜୁ କରିଛି। ୪ ଜଣିଆ ପୋଲିସ ବିଶେଷଜ୍ଞ ଦଳଙ୍କ ସହାୟତାରେ ଏହି ଘଟଣାର ତଦନ୍ତ କରାଯାଉଛି। ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ସେଠୀକୁ ୨୦୧୬ରୁ ଚାକିରୀରୁ ବହିଷ୍କାର କରାଯାଇଥିଲା। ଏହାସତ୍ତ୍ବେ ସେ ପୋଲିସ ପରିଚୟ ପତ୍ର ପାଖରେ ରଖି ତାହାର ଅପବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଯାଇଛି।

ଯେଉଁ ପୋଲିସ କ୍ୱାର୍ଟର୍ସ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା ତାହା ଅଭିଯୁକ୍ତ ଜୀତେନ୍ଦ୍ର ସେଠୀଙ୍କ ସ୍ତ୍ରୀଙ୍କ ନାମରେ ଆବଣ୍ଟନ କରାଯାଇଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଡିଆଇଜି ଆଶିଷ କୁମାର ସିଂ। ଅନ୍ୟପକ୍ଷରେ ପୀଡିତା ନାବାଳିକା ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ଡିଆଇଜି କହିଛନ୍ତି।

Comments are closed.