ପୁରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ପୁଲିସ ଗିରଫ, ୫ ଅଟକ

ପୁରୀ:  ପର୍ଯ୍ୟଟନ ସହର ପୁରୀରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ଏଭଳି ଜଘନ୍ୟ ଅପରାଧ ଘଟିଛି ଏକ ପୁଲିସ କ୍ବାର୍ଟର ଭିତରେ। ବଳାତ୍କାରୀଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତାଙ୍କୁ ଗିରଫ କରାଯାଇଥିବାବେଳେ ଆଉ ୫ଜଣଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଛି। କୁମ୍ଭାରପଡା ଥାନା ପୁଲିସ ଏକ ମୋକଦ୍ଦମା ରୁଜୁକରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଜିତେନ୍ଦ୍ର କୁମାର ସେଠୀ ନାମକ କନଷ୍ଟେବଳଙ୍କ ପରିଚୟପତ୍ର ଏବଂ ଆଧାରକାର୍ଡ ମିଳିଛି। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ବଳାତ୍କାର ପୀଡିତାଙ୍କ ଘର କାକଟପୁର ଅଞ୍ଚଳରେ। ଭୁବନେଶ୍ବରର ଏକ ଘ​ରୋଇ ସଂସ୍ଥାରେ ସେ କାର୍ଯ୍ୟ କରନ୍ତି। ସୋମବାର ବସ୍‌ଯୋଗେ ସେ ନିମାପଡାରେ ଓହ୍ଳାଇଥିଲେ। ସେଠାରେ ଏକ ଦୋକାନରେ ଖାଇବା ପରେ କାକଟପୁର ଯିବାପାଇଁ ଅନ୍ୟ ଏକ ବସ୍‌କୁ ଅପେକ୍ଷା କରିଥିଲେ। ଜିତେନ୍ଦ୍ର ତାଙ୍କ ପାଖରେ ପହଞ୍ଚି ଯୁବତୀଙ୍କ ପରିଚୟ ବୁଝିଥିଲେ। ଗାଡିରେ ନେଇ ଘରେ ଛାଡିଦେବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯୁବତୀଙ୍କୁ ଏକ କାର୍‌ରେ ବସାଇ କାକଟପୁର ପରିବର୍ତ୍ତେ ସେ ପୁରୀ ଆଣିଥିଲେ। କାର୍‌ରେ ଅନ୍ୟ ୩ଜଣ ବ୍ୟକ୍ତିଥିବା ଯୁବତୀ କହିଛନ୍ତି।

ଝାଡେଶ୍ବରୀ କ୍ଲବ ନିକଟସ୍ଥ ପୁଲିସ କ୍ବାର୍ଟର ଭିତରେ କନଷ୍ଟେବଳଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିବା ବେଳେ ୨ଜଣ ଦୁଆର ନିକଟରେ ଜଗି ରହିଥିଲେ। ବଳାତ୍କାର ପୂର୍ବରୁ ଅଭିଯୁକ୍ତମାନେ ସେଠାରେ ମଦ୍ୟପାନ କରିଥିଲେ। ବଳାତ୍କାର ସମୟରେ ଯୁବତୀ ଜଣଙ୍କ କୌଶଳକ୍ରମେ ପୁଲିସ କନଷ୍ଟେବଳଙ୍କ ପକେଟରୁ ମନିପର୍ସ କାଢି ନେଇଥିଲେ। ସେ ପାଟିକରିବାରୁ କନଷ୍ଟେବଳଙ୍କ ସମେତ ୪ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ। ପୁଲିସ କ୍ବାର୍ଟର ଭିତରୁ ବାହାରି ଘଟଣା ସମ୍ପର୍କରେ ଯୁବତୀ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। କୁମ୍ଭାରପଡା ଥାନାକୁ ଯାଇ ସେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ବୟାନ ରେକର୍ଡ କରିବା ସହ ଜିଲା ସଦର ହାସପାତାଳରେ ଡାକ୍ତରୀ ପରୀକ୍ଷା କରାଇଛି। ଅଭିଯୁକ୍ତ ପୁଲିସ କନଷ୍ଟେବଳଙ୍କୁ ରାତିରେ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ନାମ ପ୍ରଘଟ କରାଯାଇ ନାହିଁ। ସେଥିରେ ଜଣେ ଗାଡି ଡ୍ରାଇଭର ଥିବା ଜଣାପଡିଛି। ଯୁବତୀଙ୍କୁ ନିମାପଡାରୁ ପୁରୀ ଅଣାଯାଇଥିବା ଗାଡି ପୁଲିସ ଖୋଜୁଛି। ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ବଳାତ୍କାର ହୋଇଥିବା ସ୍ଥାନରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ସିଟି ଡିଏସ୍‌ପି କ୍ଷୀରସାଗର ନାୟକଙ୍କ ନେତୃତ୍ବରେ ୨ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଏସ୍‌ପି ଶ୍ରୀ ଦାଶ କୁମ୍ଭାରପଡା ଥାନାରେ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ କରୁଛନ୍ତି। ରଥଯାତ୍ରା ସମୟରେ ଜଣେ ଆଦିବାସୀ ନାବାଳିକାଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ପୁରୀ ବସ୍‌ଷ୍ଟାଣ୍ଡରେ ବଳାତ୍କାର କରାଯାଇଥିଲା। ସୋମବାର ପୁଲିସ କ୍ବାର୍ଟର ଭିତରେ ଜଣେ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ୩ଜଣ ଜଣେ ଯୁବତୀଙ୍କୁ ବଳାତ୍କାର କରିବା ଘଟଣା ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତ ପୁଲିସ କନଷ୍ଟେବଳକୁ ୨୦୧୬ରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିଥିବା ଜଣାପଡିଛି

Comments are closed.