ଜଗିଛି ପୁଲିସ, ଏମାର ମଠ ଚଟାଣ ତଳେ ବିପୁଳ ଗୁପ୍ତଧନ!

ପୁରୀ: ଏମାରମଠ ଚଟାଣ ତଳେ ରହିଛି ବିପୁଳ ପରିମାଣର ଗୁପ୍ତଧନ। ଗୁରୁବାର ଚାରୋଟି ସ୍ଥାନ ଚିହ୍ନଟ କରିଛି ମେଟାଲ ଡିଟେକ୍ଟର (ଧାତୁ ଚିହ୍ନଟ ଯନ୍ତ୍ର)। ସଂପୃକ୍ତ ସ୍ଥାନକୁ ଘେରାବନ୍ଦୀ କରାଯିବା ସହ ପୁଲିସ ମୁତୟନ କରାଯାଇଛି। ଖୁବ୍‌ଶୀଘ୍ର ମାଟି ଖୋଳାଯାଇ ମୂଲ୍ୟବାନ ଧାତବ ପଦାର୍ଥ ବାହାର କରାଯିବ। ମଠ ଚଟାଣ ତଳେ ବିପୁଳ ପରିମାଣର ଗୁପ୍ତଧନ ରହିଥିବା ପରିଚାଳନା କମିଟି ଆଶଙ୍କା କରୁଛି। କମିଟି କର୍ମକର୍ତ୍ତା ଏସମ୍ପର୍କରେ ରାଜ୍ୟ ଦେବୋତ୍ତର ଆୟୁକ୍ତଙ୍କୁ ସୂଚନା ଦେଇଥିଲେ। ତେଣୁ ମାଟିତଳେ ଥିବା ଗୁପ୍ତଧନର ସନ୍ଧାନ ପାଇଁ ମେଟାଲ ଡିଟେକ୍ଟର ମାଧ୍ୟମରେ ବିଭିନ୍ନ ସ୍ଥାନ ଯାଞ୍ଚ କରାଯାଇଛି। ୪ଜଣିଆ ବୈଷୟିକ ଦଳ ମଠ ପାଟଅଗଣା ସମେତ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଛନ୍ତି। ଦେବୋତ୍ତର ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି। ଚିହ୍ନଟ ହୋଇଥିବା ଚଟାଣ ତଳେ ସୁନା ଓ ରୁପାଇଟା ରହିଥିବା ସମ୍ଭାବନା ରହିଛି। ଖୁବ୍‌ଶୀଘ୍ର ସଂପୃକ୍ତ ସ୍ଥାନ ଖନନ କରାଯିବ ବୋଲି ମଠ ଟ୍ରଷ୍ଟବୋର୍ଡ ସଭାପତି ନାରାୟଣ ରାମାନୁଜ ଦାସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଲୋଚନା ପାଇଁ ଟ୍ରଷ୍ଟବୋର୍ଡର ଜରୁରୀ ବୈଠକ ଡକାଯାଇଛି। ରାଜ୍ୟ ଦେବୋତ୍ତର ଆୟୁକ୍ତଙ୍କ ନିର୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି।

୨୦୧୧ ଫେବୃଆରୀ ୨୭ତାରିଖରେ ଏମାରମଠର ଦୁଇଟି ପରିତ୍ୟକ୍ତ ଘରେ ଥିବା କାଠ ସିନ୍ଦୁକରୁ ସିଂହଦ୍ବାର ଥାନା ପୁଲିସ ୫୨୨ଖଣ୍ଡ ରୁପାଇଟା ଜବତ କରିଥିଲା। ୧୮ଟନ୍‌ ୮୭କି.ଗ୍ରା ୬୫୦ଗ୍ରାମ ଓଜନର ଏହି ରୁପାଇଟା ଗୁଡିକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ପୁଲିସ ଅସ୍ତ୍ରାଗାରରେ ରଖାଯାଇଛି। କିଛିଦିନ ତଳେ ଆଉ ୪୨ ରୁପାଇଟା ଜବତ କରାଯାଇଥିଲା। ଏତଦ୍‌ବ୍ୟତୀତ କୋଟି କୋଟି ଟଙ୍କା ମୂଲ୍ୟର ସୁନା, ରୁପା ଓ ହୀରା ଅଳଙ୍କାର ବେଆଇନ ଭାବେ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଥିଲା। ମଠ ଭଡା ଦେଇଥିବା ଏକ ଦୋକାନଘର ଭିତରୁ ପୁଲିସ ୧୭କି.ଗ୍ରା ସୁନା ଅଳଙ୍କାର ଜବତ କରିଥିଲା। ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମଠମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସମେତ ଗହଣା ଦୋକାନ ମାଲିକ ଏବଂ ଆଉକିଛି ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା।

୧୧ବର୍ଷ ଧରି ଏହି ମୋକଦ୍ଦମାରେ ଅଦାଲତରେ ପୁଲିସ ଅଭିଯୋଗଫର୍ଦ ଦାଖଲ କରିବାରେ ସକ୍ଷମ ହୋଇପାରି ନାହିଁ। ଶହ ଶହ କୋଟି ଟଙ୍କା ମୂଲ୍ୟର ସୁନା ଓ ରୁପାଇଟା ଚୋରି ଘଟଣାର ତଦନ୍ତରେ ପୁଲିସ ଜାଣିଶୁଣି ଅବହେଳା କରୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଏକ ଗହଣା ଦୋକାନରୁ ୧୭କି.ଗ୍ରା ସୁନା ଅଳଙ୍କାର ଜବତ ଘଟଣାରେ କେତେକ ପୁଲିସ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ମନେହେଉଛି। ଏଥିଯୋଗୁଁ ସିଂହଦ୍ବାର ଥାନାରେ ମୋକଦ୍ଦମା ରୁଜୁ ହୋଇଥିଲେ ମଧ୍ୟ ସମୁଦ୍ରକୂଳ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଏହାପରେ ସଦର ଥାନା ଅଧିକାରୀ ତଦନ୍ତ ଦାୟିତ୍ବ ନେଇଥିଲେ। ତେଣୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ତଦନ୍ତ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Comments are closed.