ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: କରିଡର ଭୟ ନା ଆଉ କିଛି, ଚୁପ କାହିଁକି ସରକାର?

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପ୍ରକୃତ ପକ୍ଷେ କେଉଁ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାହା ଏବେ ତର୍ଜମା କରିବାର ସମୟ ଆସିଛି। ପ୍ରାୟ ଏକ ମାସ ହେବ ରାଜ୍ୟ ସରକାର, ସ୍ୱତନ୍ତ୍ର ରିଲିଫ କମିଶନର, କେତେଜଣ ବିଧାୟକ ଓ ସାଂସଦ, କଟକ ନଗର ପୂଜା କମିଟି ଓ ପରିଶେଷରେ ନ୍ୟାୟାଳୟ; ସବୁ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ଏବଂ ଆରୋପ ଦୋଷାରୋପ ମଧ୍ୟରେ ୪ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ ଏକ ପ୍ରକାର କଟକ ଓ ଭୁବନେଶ୍ୱର ପାଇଁ କଟକଣା ଠାରୁ ଅଧିକ କଠୋର ଭାବେ ଲାଗୁ କରାଯାଇଥିବା ବେଳେ ପୁରୀ ପାଇଁ କିନ୍ତୁ ଏହି ନିୟମର କିଛି ପ୍ରାସଙ୍ଗିକତା ନ ଥିବା ଭଳି ଜଣାପଡିଛି।

ଦ୍ଵିତୀୟ ବର୍ଷ ପାଇଁ ସରକାରଙ୍କ ୪ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ନେଇ ସ୍ୱତନ୍ତ୍ର ରିଲିଫ ଅଧିକାରୀ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜରିଆରେ ଅନୁରୋଧ ମଧ୍ୟ କରିଥିଲେ। କେବଳ ସେତିକି ନୁହେଁ, କଟକର ଏକ ପୂଜା କମିଟିର ସଦସ୍ୟମାନେ ବର୍ଷାରେ ଭିଜି ଭିଜି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏହି କଟକଣାକୁ କୋହଳ କରିବା ପାଇଁ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଗ୍ରହଣ କଲେ ନାହିଁ। ପରେ କଟକର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ଓ ଖାରଜ ହେବା ପରେ ଉଭୟ କଟକ ଓ ଭୁବନେଶ୍ୱରର ପୂଜା ମଂଡପଗୁଡ଼ିକରେ ୪ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏସବୁକୁ ତଦାରଖ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହୋଇଥିଲେ ତେବେ କେଉଁ ଆଧାରରେ ପୁରୀ ସହରରେ କୌଣସି ଗୋଟିଏ ବି ମୂର୍ତ୍ତି ୪ ଫୁଟ ହୋଇ ପାରିଲା ନାହିଁ, ତାହା ବୁଝାପଡୁନି।

ପୁରୀ ସହରରେ ନିର୍ମିତ ମୂର୍ତ୍ତିଗୁଡିକ ମଧ୍ୟରୁ ୧୨ଟି ପ୍ରମୁଖ ସ୍ଥାନଗୁଡିକରେ ନିର୍ମିତ ମୂର୍ତ୍ତି ବିଷୟରେ ତଥ୍ୟ ସଂଗ୍ରହ କରିବା ପରେ ଜଣାପଡିଲା ଯେ କୌଣସି ଗୋଟିଏ ବି ମୂର୍ତ୍ତି ୪ ଫୁଟ ଉଚ୍ଚ ହୋଇନାହିଁ ବରଂ କେତେକ ମୂର୍ତ୍ତିର ଉଚ୍ଚତା ୨୦ଫୁଟ ଟପି ଯାଇଛି। ବାରବାଟୀ ଠାକୁରାଣୀଙ୍କ ଉର୍ତ୍ତି ନିର୍ମାଣରେ ୧୨ ହାତର କିଳା ବ୍ୟବହାର ହୋଇଛି ଯାହା ୧୮ ଫୁଟରୁ ଅଧିକ ହେବ ତେଣୁ ଏହା ସହଜରେ ଅନୁମେୟ ଯେ ମୂର୍ତ୍ତିର ଉଚ୍ଚତା କେତେ ହେବ? ସେହିପରି ମା ଜହ୍ନିଖାଇ ଠାକୁରାଣୀଙ୍କ ଉଚ୍ଚତା ୧୭ ଫୁଟରୁ ଅଧିକ ହେବ। ସେହିପରି ମା ଚକ୍ରକୋଟ ଠାକୁରାଣୀ, ମା ଚାମୁଣ୍ଡା ଠାକୁରାଣୀ, ମା ଗେଲବାଇ ଠାକୁରାଣୀ, ହରଚଣ୍ଡିସାହି ନାଗା, ମା କାକୁଡି ଖାଇ ଠାକୁରାଣୀ, ମା ହରଚଣ୍ଡୀ ସାହି, ମା ଜହ୍ନିଖାଇ, ମା ପଣାପ୍ରିୟା ଠାକୁରାଣୀ, ପଞ୍ଚମୁଖୀ ହନୁମାନ, ମା ଶୀତଳପିଣ୍ଡା ଠାକୁରାଣୀ ଆଦିଙ୍କର ଉଚ୍ଚତା ୧୫ ଫୁଟରୁ ଅଧିକ ରହିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟ ସରକାର, ରିଲିଫ କମିଶନର କିମ୍ବା ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ।

ଯଦିଓ କରୋନା ମହାମାରୀ ଯୋଗୁ ଯୁଗ ଯୁଗ ଧରି ଚାଲି ଆସୁଥିବା ପରମ୍ପରାକୁ ମଧ୍ୟ ନିୟମ ପାଇଁ ବଦଳାଇବାକୁ ପଡିଲା, ତାହା କିନ୍ତୁ ୫୦ କିଲୋମିଟର ଦୂରତା ମଧ୍ୟରେ ବଦଳିଗଲା। ଖୋଲାଖୋଲି ଭାବେ କରୋନା କଟକଣାକୁ ଲଙ୍ଘନ କରାଯାଇଥିଲେ ମଧ୍ୟ କିଛି ନ ଜାଣିବା ଭଳି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ହାତ ଟେକିଦେଲେ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ରିଲିଫ କମିଶନର ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସୀମିତ ସଂଖ୍ୟକ ଲୋକ ଏକତ୍ରିତ ହେବା ପାଇଁ କୁହାଯାଇଥିଲେ ମଧ୍ୟ ଗତକାଲି ଗୋସାଇଁ ମେଳଣ ସମୟରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକେ ମାସ୍କ ପିନ୍ଧି ନ ଥିଲେ। ପୁଲିସ କେବଳ ଦେଖଣାହାରୀ ସାଜିବା ଛଡା କୌଣସି ପ୍ରତିବନ୍ଧକ ଜାରି କରିବା ମୁଡ଼ରେ ଥିବା ଭଳି ମନେ ହେଉନଥିଲା।

ତେବେ ପ୍ରଶ୍ନ ଉଠୁଛି ଯେ କରୋନା ସଂକ୍ରମଣ କଣ ପୁରୀ ପାଇଁ ଅଲଗା ଓ କଟକ-ଭୁବନେଶ୍ୱର ପାଇଁ ଅଲଗା ଭାବେ ପ୍ରଭାବ ପକାଇବ? ଏସବୁ ଭିତରେ କିନ୍ତୁ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ। କେଉଁ କାରଣ ପାଇଁ ସ୍ଥାଣୁ ପାଲଟିଗଲେ ସରକାର ଓ ପ୍ରଶାସନ। ଆଗାମୀ ଦିନରେ ପୁରୀରେ କରିଡର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଓ ପ୍ରକଳ୍ପ ନିର୍ମାଣ ବେଳେ କାଳେ ପୁରୀବାସୀ ବିରୋଧ କରିବେ, ସେ ନେଇ ଏଭଳି ଅଲିଖିତ ଓ ଅଘୋଷିତ କୋହଳ ପ୍ରକ୍ରିୟା ଗ୍ରହଣ କରାଯାଇଥିବା ମତ ପ୍ରକାଶ ପାଇଛି।

Comments are closed.