ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୁଲିିସ : ପୀଡ଼ିତାଙ୍କୁ ଭେଟିଲେ ମହିଳା କମିସନ ଅଧ୍ୟକ୍ଷା

ପୁରୀ ଗଣବଳାତ୍କାର ମାମଲା

ପୁରୀ : ଗଣବଳାତ୍କାର ଅଭିଯୁକ୍ତ ବହିଷ୍କୃତ ପୁଲିସ କନଷ୍ଟେବଳଙ୍କୁ ୭ଦିନ ପାଇଁ ରିମାଣ୍ଡରେ ନେବ ପୁଲିସ। ଅନ୍ୟ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ତାଙ୍କଠାରୁ ତଥ୍ୟ ଆଦାୟ କରାଯିବ ବୋଲି ଏସ୍‌ପି ଡ. ଉମାଶଙ୍କର ଦାଶ କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ସେଠୀ ଏବଂ ତାଙ୍କ ସହଯୋଗୀ ରାଜେଶ କୁମାର ସେଠୀ ଏବେ ବିଚାର ବିଭାଗୀୟ ଜେଲ୍‌ ହାଜତରେ ରହିଛନ୍ତି। ସେମାନଙ୍କୁ ରିମାଣ୍ଡରେ ନେବାପାଇଁ ପୁଲିସ କୋର୍ଟରେ ଦରଖାସ୍ତ କରୁଥିବା ଏସ୍‌ପି କହିଛନ୍ତି। ଏହି ବଳାତ୍କାର ଘଟଣା ପଛରେ ଏକ ରାକେଟ କାମ କରୁଥିବା ପୁଲିସକୁ ସୂଚନା ମିଳିଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ବୁଧବାର ପୀଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା ପୀଡିତାଙ୍କୁ ସାକ୍ଷାତ କରିଛନ୍ତି। କୁମ୍ଭାରପଡା ଥାନାକୁ ଯାଇ ସେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଇନ୍ସପେକ୍ଟର କୁଳମଣି ସେଠୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଶ୍ରୀମତୀ ବେହେରା ପୁଲିସକୁ ପରାମର୍ଶ ଦେଇଛନ୍ତି। ଗୁରୁବାର ସନ୍ଧ୍ୟାସୁଦ୍ଧା ଡାକ୍ତରୀ ପରୀକ୍ଷା ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ରିପୋର୍ଟ ମିଳିବା ସମ୍ଭାବନା ରହିଛି। ବଳାତ୍କାର ଘଟଣାରେ ସଂପୃକ୍ତ ଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ଠୋସ୍‌ ସୁରାକ ମିଳିଛି। ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି। ଜଣେ ବ୍ୟକ୍ତି ବଳାତ୍କାର ଘଟଣାର ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗର ତଦନ୍ତ ପାଇଁ ଦାବି ହେଉଛି। ତାଙ୍କ ଫେସବୁକ୍‌ ଏବଂ ହ୍ବାଟସଆପ୍‌ ଆକାଉଣ୍ଟ ପୁଲିସ ଯାଞ୍ଚ କରୁଛି। ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି। ତାଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି।
ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପୀଡ଼ିତାଙ୍କ ସହ ଆଲୋଚନା କରିଛନ୍ତି। ବଳାତ୍କାର ପୀଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। ବଳାତ୍କାର ଘଟଣା ସମ୍ପର୍କରେ ନାବାଳିକା ବୁଧବାର କୋର୍ଟରେ ମହିଳା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ବୟାନ ଦେଇଛନ୍ତି। ନିମାପଡ଼ା ବସ୍‌ଷ୍ଟାଣ୍ଡରୁ ତାଙ୍କୁ ଉଠାଇ ଆଣି ବଳାତ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ୨୦ଦିନ ମଧ୍ୟରେ କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିବାକୁ ପୁଲିସ ଉଦ୍ୟମ ଚଳାଇଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ୪ଗୋଟି ସ୍କ୍ବାର୍ଡ୍‌ ଗଠନ କରାଯାଇଛି। ଫେରାର ଅଭିଯୁକ୍ତଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟକର ହେଉଛି। ବଳାତ୍କାର ଘଟଣା ସମ୍ପର୍କରେ ସ୍ଥାନୀୟ କେତେକ ଅଧିବାସୀ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଏହାପୂର୍ବରୁ ଆଉକିଛି ଯୁବତୀଙ୍କୁ ଏକ ଏସ୍‌କର୍ଟ ସଂସ୍ଥା ମାଧ୍ୟମରେ ସେଠାକୁ ଅଣାଯାଇଥିବା କୁହାଯାଉଛି। ବହିଷ୍କୃତ ପୁଲିସ କନଷ୍ଟେବଳ ଶ୍ରୀ ସେଠୀଙ୍କ ବିରୋଧରେ ପୁଲିସ ଏକ ଠକେଇ ମାମଲା ରୁଜୁ କରିଥିବା ଏସ୍‌ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଚାକିରିରୁ ବହିଷ୍କୃତ ହେବାପରେ ଅନଧିକୃତ ଭାବେ ପୁଲିସ ପରିଚୟପତ୍ର ବ୍ୟବହାର କରୁଥିବାରୁ ଜିତେନ୍ଦ୍ରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Comments are closed.