ପ୍ରେମିକାକୁ ହତ୍ୟା କରି ମାଟି ତଳେ ପୋତିଥିଲା ପ୍ରେମିକ, ପୋଖରୀ ହୁଡ଼ାରୁ ମୃତଦେହ ଉଦ୍ଧାର

ପୁରୀ : ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ୪ ଦିନ ପରେ ମୃତଦେହକୁ ପୁଲିସ ମାଟି ତଳୁ ଜବତ କରିଛି। ଅଭିଯୁକ୍ତ ଯୁବକ ବ୍ରହ୍ମଗିରି ଥାନାରେ ଆତ୍ମସମର୍ପଣ କରିଛି। ଏପରି ଘଟଣା ଘଟିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ପଞ୍ଚାୟତ ଶ୍ରୀକରପୁର ଗ୍ରାମରେ। ସୂଚନା ଅନୁଯାୟୀ ଗ୍ରାମର ଜନୈକ ଯୁବତୀ(୧୯)ଙ୍କୁ ସେହି ଗ୍ରାମର ସୁଜିତ ସାହୁ (୨୪) ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ଉଭୟ ପରିବାର ଏହି ପ୍ରସ୍ତାବରେ ରାଜି ନଥିଲେ ମଧ୍ୟ ପରେ ପରିବାର ଲୋକେ ରାଜି ହୋଇଯାଇଥିଲେ। ଜୁଲାଇ ମାସରେ ସୁଜିିତଙ୍କ ବଡଭାଇର ବିବାହ ହୋଇଥିଲା। ଏକାସଙ୍ଗେ ୨ ଜଣଙ୍କ ବିବାହ କରିବାକୁ ଝିଅପକ୍ଷ କହିଥିଲେ। ୨ଲକ୍ଷ ଟଙ୍କା ଆଣିଲେ ସୁଜିତର ବିବାହ କରାଯିବ ବୋଲି ପରିବାର ଲୋକ ଯୁବତୀର ବାପାଙ୍କୁ କହିଥିଲେ। ଏତେ ପଇସା ମୋ ପାଖରେ ନାହିଁ ବୋଲି ସୁଜିତଙ୍କ ପରିବାରକୁ ସେ କହିବା ସହ ଗ୍ରାମରେ ଏହି କଥା ପକାଇଥିଲେ। ଏକ ଲକ୍ଷଟଙ୍କା ଦେବାକୁ ଗ୍ରାମବାସୀ ତାଙ୍କୁ କହିଥିଲେ।

ହେଲେ ସଠିକ ସମୟରେ ବିବାହ ହୋଇ ପାରିଲାନାହିଁ। ୨୧ ତାରିଖରେ ପରିବାର ଏକ ଭୋଜିରେ ଯୋଗଦେବା ପାଇଁ ଅନ୍ୟତ୍ର ଯାଇଥିବାର ସୁଯୋଗ ନେଇ ଯୁବତୀ ଜଣକ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଆସି ବହୁ ଖୋଜାଖୋଜି କରି ତାଙ୍କୁ ପାଇ ନ ଥିଲେ। ଗ୍ରାମରେ ସୁଜିତ ନ ଥିବାରୁ ଉଭୟ କେଉଁ ଆଡେ ପଳାଇଥାଇ ପାରନ୍ତି ବୋଲି ସନ୍ଦେହ ହୋଇଥିଲା। ଶୁକ୍ରବାର ଅଚାନକ ସୁଜିତ ଗ୍ରାମରେ ବୁଲାବୁଲି କରିବା ପରେ ଯୁବତୀଙ୍କ ପରିବାର ମଧ୍ୟରେ ସନ୍ଦେହ ଉପୁଜିଥିଲା। ବିଶେଷ ସୂତ୍ରରୁ ତାଙ୍କ ଝିଅକୁ ସୁଜିତ ମାରିଦେଇଥିବା ଖବର ପାଇବା ପରେ ଏନେଇ ଗ୍ରାମ କମିଟିରେ ଜଣାଇଥିଲେ ଯୁବତୀଙ୍କ ବାପା। ୨୪ ତାରିଖ ରାତିରେ ଗ୍ରାମ ବୈଠକ ବସି ସୁଜିତଙ୍କ ପରିବାରକୁ ଡକାଯାଇଥିଲା। ହେଲେ ବୈଠକକୁ ସୁଜିତ ନ ଆସି ତାଙ୍କ ବଡଭାଇଙ୍କୁ ପଠାଇଥିଲା। ତାଙ୍କୁ ଗ୍ରାମବାସୀ ଯୁବତୀଙ୍କ କଥା ପଚାରିବାରୁ ସେ କିଛି ଜାଣିନାହାନ୍ତି ବୋଲି ପ୍ରଥମେ କହିଥିଲେ। ମାତ୍ର ପରେ ସମସ୍ତ କଥା ମାନିଯାଇଥିଲେ। ଗ୍ରାମର କିଛି ବ୍ୟକ୍ତି ଘଟଣାକୁ ଆପୋସ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ଯୁବତୀଙ୍କ ବାପା ସେଥିରେ ରାଜି ନ ହୋଇ ଶୁକ୍ରବାର ରାତିରେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଗ୍ରାମକୁ ଯାଇ ସୁଜିତଙ୍କ ପରିବାରର ଦୁଇଜଣଙ୍କୁ ଆଣି ଥାନରେ ଅଟକ ରଖିଥିଲେ। ଶନିବାର ସନ୍ତୋଷଙ୍କ ପରିବାର ଘରୁ ତାଲା ମାରି କେଉଁଆଡେ ଚାଲିଯିବା ଘଟଣା ସମସ୍ତଙ୍କୁ ସନ୍ଦେହ ଘେରକୁ ଆହୁରି ଟାଣିଆଣିଥିଲା। ଦିନ ୧୦ଟା ବେଳେ ଅଭିଯୁକ୍ତ ସୁଜିତ ବ୍ରହ୍ମଗିରି ଥାନାରେ ଆତ୍ମସମର୍ପଣ କରିଥିଲା। ପୁଲିସ ତାକୁ ଧରି ଘଟଣାସ୍ଥଳକୁ ଯାଇଥିଲା। ଗ୍ରାମଠାରୁ ପ୍ରାୟ ୫କି.ମି ଦୂର ଚିଲିକା ନିକଟରେ ଚିଙ୍ଗୁଡି ଚାଷ ପାଇଁ ଖୋଳାଯାଇଥିବା ମାଟିବନ୍ଧରେ ମୃତଦେହକୁ ପୋତିଥିବା ସୁଜିତ ପୁଲିସ ଆଗରେ କହିବା ସହିତ ପୋତିଥିବା ଜାଗାକୁ ପୁଲିସକୁ ନେଇଥିଲା। ସେଠାରେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲ, ସଦର ଏସ୍‌ଡିପିଓ କିଶୋର କୁମାର ମୁଣ୍ଡ ଓ ଥାନା ଅଧିକାରୀ ମନୋଜ କୁମାର ଶତପଥୀଙ୍କ ଉପସ୍ଥିତିରେ ମୃତଦେହକୁ ମାଟି ତଳୁ ଖେଳାଯାଇ ବାହାର କରାଯାଇଥିଲା। ମୃତଦେହଟିର ହାତଗୋଡ ବନ୍ଧା ହୋଇଥରୁ ଏହି ହତ୍ୟା ଘଟଣା ସହିତ ଏକାଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ଯୁବତୀଙ୍କୁ ବଳତ୍କାର କରାଯାଇ ହତ୍ୟା କରାଯାଇଛି ନା ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ପୁଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏ ସମ୍ପର୍କରେ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀ କୁହନ୍ତି ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ। ତଦନ୍ତ ଅବ୍ୟାହତ ରହିଛି।

Comments are closed.