ଇସ୍କନକୁ ଅଡୁଆ ଅଦିନିଆ ରଥଯାତ୍ରା

ପୁରୀ : ଅଦିନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରି ବିବାଦରେ ଫସି ଯାଇଛି ଇସ୍କନ। ଆୟୋଜକଙ୍କୁ ଗିରଫ କରିବା ନିମନ୍ତେ ରବିବାର ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଇସ୍କନକୁ ଭାରତରେ ନିଷିଦ୍ଧ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଯୁକ୍ତି ବାଢିଛନ୍ତି। ମୁମ୍ବାଇ ଇସ୍କନ ମୁଖ୍ୟ ସ୍ବାମୀ ରାଧାକାନ୍ତ ଦାସ ମହାରାଜଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସନାତନ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଇସ୍କନ କୁଠାରଘାତ କରିବା ସହ ମହାନ ଜଗନ୍ନାଥ ସଂସ୍କୃତିକୁ ଅପମାନ ଓ ଅବମାନନା କରିଥିବା ଅଭିଯୋଗ ହୋଇଛି। ଆଷାଢ ଶୁକ୍ଳ ଦ୍ବିତୀୟା ପରିବର୍ତ୍ତେ ଶ୍ରୀପଞ୍ଚମୀ ତିଥିରେ ଇସ୍କନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରିଥିବାରୁ ଶ୍ରୀଲ ପ୍ରଭୁପାଦଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଇସ୍କନ ଅନୁଗାମୀଙ୍କୁ ପ୍ରବେଶ ପାଇଁ ଅନୁମତି ନଦେବାକୁ ଶ୍ରୀଜଗନ୍ନାଥ ​ସେନା ଦାବି କରିଛି। ଅର୍ଥ ରୋଜଗାର ଉଦେଶ୍ୟରେ ଇସ୍କନ ନିର୍ଦ୍ଧାରିତ ତିଥି ବ୍ୟତିରେକ ବିଶ୍ବର ବିଭିନ୍ନ ସ୍ଥାନରେ ରଥଯାତ୍ରା କରୁଥିବା ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।

ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶକୁ ଇସ୍କନ ହେୟଜ୍ଞାନ କରୁଥିବା ସେ ମତ ଦେଇଛନ୍ତି। ପୁଲିସକୁ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛିଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୧୨ମାସରେ ୧୩ଯାତ୍ରା ପାଳନ କରାଯାଉଛି। ପ୍ରତ୍ୟେକ ଯାନିଯାତ୍ରା ସ୍କନ୍ଧପୁରାଣ ଅନୁଯାୟୀ କରାଯାଇ ଆସୁଛି। ମୁମ୍ବାଇ ଇସ୍କନ ମୁଖ୍ୟଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି। ଅଦିନିଆ ରଥଯାତ୍ରା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଦୁଇଦିନ ତଳେ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ ଏପର୍ଯ୍ୟନ୍ତ ମୋକଦ୍ଦମା ରୁଜୁ କରିନାହିଁ। ଅଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନକୁ କେନ୍ଦ୍ରକରି ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ନିର୍ଦ୍ଧାରିତ ତିଥି ବ୍ୟତିରେକ ଅନ୍ୟ ସମୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ନକରିବାକୁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଗତବର୍ଷ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ବିଭିନ୍ନ ସଂଗଠନକୁ ଅନୁରୋଧ କରିଥିଲେ। ୨୦୦୮ ଫେବୃଆରୀ ୨୬ରେ ଇସ୍କନ ମାୟାପୁର ପରିଚାଳନା କମିଟି ଅଧ୍ୟକ୍ଷକଙ୍କୁ ଏକ ଚିଠିଲେଖି ଅଦିନରେ ରଥଯାତ୍ରା ନକରିବାକୁ ଗଜପତି ମହାରାଜା ପରାମର୍ଶ ଦେଇଥିଲେ। ଅଦିନିଆ ରଥଯାତ୍ରା ବନ୍ଦପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା।

Comments are closed.