ଶିକ୍ଷାବିତଙ୍କୁ କଳିଙ୍ଗ ସୌରଭ ସମ୍ମାନ

ପୁରୀ : ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡଃ ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ କ୍ରୀଡା ଓ ସଂସ୍କୃତି କେନ୍ଦ୍ର ପକ୍ଷରୁ ଶ୍ରୀକ୍ଷେତ୍ର ପୁସ୍ତକମେଳା ମଞ୍ଚରେ ବୁଧବାର କଳିଙ୍ଗ ସୌରଭ ସମ୍ମାନ ପ୍ରଦାନ କରାଯାଇଛି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରଫେସର ସଦାଶିବ ପ୍ରଧାନ ଏବଂ ରାଜନୀତି ବିଜ୍ଞାନ ପ୍ରଫେସର ପ୍ରତୀପ ମିଶ୍ର ସେଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ କହିଲେ କଳା ଓ ସଂସ୍କୃତିର ସହର ପୁରୀ। ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାର ଦୈନନ୍ଦିନ ରିତିନୀତି, ଯାନିଯାତ୍ରା ଏବଂ ପରମ୍ପରା ପାଳନ କରାଯାଉଛି। ପୂଜ୍ୟପୂଜା ଭାରତର ପ୍ରାଚୀନ ପରମ୍ପରା। ଏହାଦ୍ବାରା ଯୁବଗୋଷ୍ଠୀ ଅନୁପ୍ରାଣୀତ ହେବା ସଙ୍ଗେ ସଙ୍ଗେ ପ୍ରତିଭାର ବିକାଶ ପାଇଁ ଅଧିକ ସୁଯୋଗ ସୃଷ୍ଟିହେବ। ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ଉଦ୍ୟମର ଆବଶ୍ୟକତା ରହିଥିବା ସେମାନେ ମତ ଦେଇଥିଲେ। ଅନୁଷ୍ଠାନ ସଭାପତି ଦାମୋଦର ପ୍ରଧାନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସରକାରୀ ମହିଳା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷା ଡଃ ତୁଳସୀ ଓଝାଙ୍କୁ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାଛଡା ସଂସ୍କୃତି କ୍ଷେତ୍ରରେ ପ୍ରତୀକ ମହାପାତ୍ର, କ୍ରୀଡା ପାଇଁ ଆକାଶ ପଟ୍ଟନାୟକ, କବି ଉମାକାନ୍ତ ମହାପାତ୍ର ଏବଂ ଶ୍ରେଷ୍ଠ ଛାତ୍ରଭାବେ ଆଦର୍ଶ ଦାଶଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଶା କ୍ରୀଡା ଭାରତୀ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ସାଧାରଣଜ୍ଞାନ, ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଅଧ୍ୟାପକ ସୁନିଲ ରଥ, ରଘୁନାଥ ସାହୁ ଏବଂ ଶ୍ୟାମଲ କୁଣ୍ଡୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.