‘ଫଣି’ର ୭ ମାସ ବିତିଲା : ସୁଧୁରୁନି ବିଦ୍ୟାଳୟ ଅବସ୍ଥା

୭ଟି ସକାଳୁଆ ଓ ୯ଟି ଚାଲିଛି ବାତ୍ୟା ଆଶ୍ରୟସ୍ଥଳରେ ପାଠପଢା

ପୁରୀ  : ସାମୁଦ୍ରିକ ଝଡ ‘ଫଣି’ର ୮ମାସ ପରେ ବି ସୁଧୁରୁନି ବିଦ୍ୟାଳୟ ଅବସ୍ଥା। ଏବେବି ସକାଳୁଆ ପାଠପଢା ଚାଲିଛି ୭ଟି ବିଦ୍ୟାଳୟରେ। ସେହିପରି ବ୍ଲକର ୯ଟି ବିଦ୍ୟାଳୟ ଚାଲିଛି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୃହରେ।

ଫଣି ବାତ୍ୟାରେ ବ୍ଲକର ୨୨୧ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ସେମଧ୍ୟରୁ ୪୩ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବିଦ୍ୟାଳୟଗୁଡିକ ମଧ୍ୟରୁ ୧୫ଟି ବିଦ୍ୟାଳୟରେ କାମ ଆରମ୍ଭ ହୋଇଥିବାବେଳେ ଅନ୍ୟ ବିଦ୍ୟାଳୟଗୁଡିକରେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। କିଛି ବିଦ୍ୟାଳୟର ପରିଚାଳନା କମିଟି ଓ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ବିଦ୍ୟାଳୟ ମରାମତି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ୧୫୩ଟି ବିଦ୍ୟାଳୟ ଆଶିଂକ କ୍ଷତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେଗୁଡିକର ମରାମତି ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ବ ଦିଆଯାଇଛି। ସେହିପରି ବ୍ଲକରେ ଥିବା ୧୪ଟି ଉଚ୍ଚ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଗୁଡିକର ମରାମତି ଓ ନୂତନ ଗୃହ କାର୍ଯ୍ୟ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ମରାମତି ଓ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ କରାଯାଇ ନ ଥିବା ଶିକ୍ଷକମାନେ ଅଭିଯୋଗ ଆଣିଛନ୍ତି।

ଠିକାଦାରଙ୍କ ଆନ୍ଦୋଳନ ଯୋଗୁ କେତେକାଂଶରେ କାର୍ଯ୍ୟ ବିଳମ୍ବ ହେଉଥିବା ପ୍ରାଥମିକ ଭାବେ ଜଣାପଡିଛି। ସେହିପରି ପ୍ରାଥମିକ ବିଦ୍ୟାଳୟର ମରାମତି ଦାୟିତ୍ୱ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯାଇଛି। ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମରାମତି ପାଇଁ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାର ଦାୟିତ୍ୱ ବ୍ଲକରେ ଥିବା ଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚକୁ ଦିଆଯାଇଛି। ରାଜନୈତିକ ବ୍ୟକ୍ତି ବିଦ୍ୟାଳୟ ମରାମତି ନ କରି ଅର୍ଥ ଆତ୍ମସାତ କରୁଥିବାର ଅଭିଯୋଗ ହେଉଛି। କେତେକ ବିଦ୍ୟାଳୟର ଝରକା ଓ କବାଟ ଲଗାଇ ଅନ୍ୟ କିଛି କାର୍ଯ୍ୟ ନ କରି ଲକ୍ଷଲକ୍ଷ ଟଙ୍କା ବିିଲ ହେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସରପଞ୍ଚ ଓ ଯନ୍ତ୍ରୀ ବିଦ୍ୟାଳୟକୁ କେତେ ଟଙ୍କା ଆସିଛି କ’ଣ କାର୍ଯ୍ୟ କରାଯିବ ବୋଲି ବିଦ୍ୟାଳୟର ଶିକ୍ଷକଙ୍କୁ ସୂଚନା ନ ଦେଇ ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଅନେକ ବିଦ୍ୟାଳୟ ଭଙ୍ଗା ଅବସ୍ଥାରେ ପଡିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ ପଡି ଯାଇଛନ୍ତି।

ଅନେକ ବିଦ୍ୟାଳୟର ଅଫିସ ଗୃହ ନଷ୍ଟ ହୋଇ ଯାଇଥିବାରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି। ବିଦ୍ୟାଳୟଗୁଡିକର ପୁନଃଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ ଚନ୍ଦ୍ର ବଳିଆରସିଂହଙ୍କୁ ପଚାରିବାରେ ସେ କୁହନ୍ତି ପ୍ରାଥମିକ ବିଦ୍ୟାଳୟଗୁଡିକର କାର୍ଯ୍ୟ ପଞ୍ଚାୟତିରାଜ ବିଭାଗ ଓ ଉଚ୍ଚ ବିଦ୍ୟାଳୟର ମରାମତି କାର୍ଯ୍ୟ ଗ୍ରାମଉନ୍ନୟନ ସଂସ୍ଥାକୁ ଦିଆଯାଇଛି।  ଅନେକ ବିଦ୍ୟାଳୟରେ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଲାଣି । ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବିଦ୍ୟାଳୟଗୁଡିକରେ ଏବେ ସକାଳୁଆ ପାଠ ପଢା ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସନ୍ଥାଳି ବେହେରାଙ୍କୁ ପଚାରିବାରେ ସେ କୁହନ୍ତି କିଛି ବିଦ୍ୟାଳୟର ଆଜବେଷ୍ଟସ ପକା ଯାଇଛି। ଅନ୍ୟ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି। ଖୁବ୍‍ ଶୀଘ୍‍ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ‘ସମାଜ’କୁ କହିଛନ୍ତି।

Comments are closed.