ଅଦିନିଆ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ଏତଲା

ପୁରୀ: ଅଦିନିଆ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ସେଥିରେ ଦର୍ଶାଯାଇଛି ଯେ, ଉତ୍ତରପ୍ରଦେଶର ଗାଜିଆବାଦରେ ଆଗାମୀ ୨୯ ତାରିଖରେ ଶ୍ରୀ ନାରଦୀୟ ଭାଗବତ୍ ନିକୁଞ୍ଜ ଟ୍ରଷ୍ଟ ନାମକ ଏକ ସଂସ୍ଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦଦିନିଆ ରଥଯାତ୍ରାଙ୍କ ଆୟୋଜନ କରୁଛନ୍ତି। ଏହା ଆମ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ସହ ୧୨୦ କୋଟି ହିନ୍ଦୁଙ୍କ ଭାବନାକୁ କଠୋରଘାତ କରୁଛି। ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମର ଏକ ସ୍ବତନ୍ତ୍ର ନୀତି ଓ ତାରିଖ ରହିଛି। ମୁସଲିମ୍ ମାନଙ୍କ ଇଦ୍‌ ଓ ମହରମ, ଖ୍ରୀଷ୍ଟିଆନ୍ ମାନଙ୍କ ବଡଦିନ, ଶିଖ୍‌ ଗୁରୁଙ୍କ ଜନ୍ମ ଦିବସ ମଧ୍ୟ ଉପଯୁକ୍ତ ତିଥିରେ ପାଳନ କରାଯାଏ। ଯଦି ବଡ ଦିନ ଆମେ ଡିସେମ୍ବର ୨୫ରେ ବଦଳରେ ଅକ୍ଟୋବର ୩୦ରେ ପାଳନ କରିବୁ ତେବେ ଖ୍ରୀଷ୍ଟିଆନ୍ ମାନେ କ’ଣ ଏହାକୁ ଗ୍ରହଣ କରିବେ କି? ତେଣୁ ମହାପ୍ରଭୁଙ୍କର ୧୨ ମାସରେ ୧୩ ପର୍ବ ଉପଯୁକ୍ତ ତିଥି ଓ ତାରିଖରେ ପାଳନ କରାଯାଏ। ସେହିପରି ରଥଯାତ୍ରା ଆଷାଢମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ପାଳନ କରାଯାଏ। ଡିସେମ୍ବର ୨୯ ତାରିଖରେ ରଥଯାତ୍ରା ପାଳନ କରିବାର କୌଣସି ଅର୍ଥ ନାହିଁ। ତେଣୁ ଏହି ଅଦିନିଆ ରଥଯାତ୍ରା ପାଳନ କରୁଥିବା ବେଆଇନ ସଂସ୍ଥା ଓ ବ୍ୟକ୍ତିଗଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି।

Comments are closed.