ଗଣମାଧ୍ୟମ ଓ ପୁଲିସ ଉପରେ ପୁଞ୍ଜିଲାଲଙ୍କ ପୁଞ୍ଜିଭୁତ କ୍ଷୋଭ, ମାଆଙ୍କୁ ମୁଖାଗ୍ନି ଦେଇ ଫେରିଲେ ଜେଲ୍

ପାଟଣାଗଡ: ରବିବାର ଅପରାହ୍ଣରେ କଡା ପୁଲିସ ବଳୟ ମଧ୍ୟରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର କାରାଗାରରୁ ଅଣାଯିବା ପରେ ସେ ନିଜ ମାଆର ଅନ୍ତିମ ସଂସ୍କାରରେ ସାମିଲ ହେବା ସହ ମୁଖାଗ୍ନି ଦେଇଥିବା ଜଣାଯାଇଛି। କେବଳ ସେତିକି ନୁହେଁ ଶ୍ମଶାନ ଘାଟରେ ନିଜକୁ ଜଣେ ବହୁ ଭଲ ଗୁଣର ଅଧିକାରୀ ଭାବରେ ପରିଚୟ ଦେବା ସହ ତା ଭଲଗୁଣକୁ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ପୁଞ୍ଜିଲାଲ।

ରବିବାର ଅପରାହ୍ଣ ପ୍ରାୟ ୨ ଘ. ୪୦ ମିନିଟ ସମୟରେ ପୁଞ୍ଜିଲାଲଙ୍କୁ କଡା ପୁଲିସ ବଳୟ ମଧ୍ୟରେ ପାଟଣାଗଡ ଅଣାଯାଇଥିଲା। ସିଧାସଳଖ ତାକୁ ପାଟଣାଗଡ ଥାନା ମଧ୍ୟକୁ ଅଣାଯାଇଥିଲା। ପୁଞ୍ଜିଲାଲର ମାଆ ଇନ୍ଦୁମତୀଙ୍କ ମୃତ ଦେହ ପ୍ରାୟ ୩ ଘଣ୍ଟା ୧୦ ମିନିଟ ସମୟରେ ରାମପୁରସ୍ଥିତ ବାସଭବନରେ ଏବଂ ପରେ ପରେ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟସ୍ଥ ସ୍ୱର୍ଗଦ୍ୱାରକୁ ଅଣାଯିବା ପରେ ୩ ଘଣ୍ଟା ୫୦ ମିନିଟ ସମୟରେ ପୁଞ୍ଜିଲାଲକୁ ସ୍ୱର୍ଗଦ୍ୱାରରେ ପହଞ୍ଚାଯାଇଥିଲା। ପୁଲିସ ଗାଡିରୁ ଓହ୍ଲାଇ ପୁଞ୍ଜିଲାଲ ସିଧାସଳଖ ନିଜ ମାଆର ମୃତ ଦେହ ପାଖକୁ ଯାଇ ମୁଣ୍ଡପାତି ନିଜର ଦୁଃଖ ପ୍ରକାଶ କରିବା ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ। ତାଙ୍କ ଭଳିଆ ଜଣେ ବ୍ୟକ୍ତି ଯାହାଙ୍କ ନିକଟରେ ବହୁତ ଗୁଡିଏ ଭଲ ଗୁଣ ରହିଛି ତାକୁ ନଷ୍ଟ କରିଦିଆଯିବାକୁ ଉଦ୍ୟମ ହେଉଥିବା ସେ କହିଥିଲେ। କେବଳ ସେତିକି ନୁହେଁ ବରଂ ତାଙ୍କ ଭିତରେ ରହିଥିବା ବିଭିନ୍ନ ଭଲ ଗୁଣକୁ ନିୟୋଜିତ କରିବାକୁ ଚେଷ୍ଟା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ନିଜେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବା ବେଳେ ସେ ଜେଲର ପାଚେରୀ ଡେଇଁ ପଳାଇବା ଉଦ୍ୟମ କରୁ ନ ଥିଲେ, କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ତାଙ୍କ ବିରୁଦ୍ଧରେ ଏହା ଏକ ମନଗଢା କାହାଣୀ ରଚାଯାଇଥିବା ପୁଞ୍ଜିଲାଲ କହିଥିଲେ।

ଏହବ୍ୟତୀତ ତାଙ୍କୁ ଗୋଟିଏ ଦିନ ପାଇଁ ଅଦାଲତ ଆଦେଶ ଦେଇଥିବା ବେଳେ କେବଳ କେଇ ମିନିଟରେ ମାଆଙ୍କୁ ମୁଖାଗ୍ନି ଦେଇ ସେ ଯିବେନାହିଁ ବୋଲି ଜିଦ୍ ଧରିବା ସହ ନିଜ ପରିବାର ଲୋକଙ୍କୁ ଭେଟି ସେମାନଙ୍କୁ ବହୁ ଜିନିଷ ବୁଝାଇବାର ଅଛି ବୋଲି ପୁଞ୍ଜିଲାଲ କହୁଥିଲେ। ତେବେ ମୁଖାଗ୍ନି ଦେଇସାରିବା ପରେ ତାଙ୍କୁ ପ୍ରାୟ ୪ ଘଣ୍ଟା ୨୫ ମିନିଟ ସମୟରେ ତାଙ୍କ ରାମପୁର ବାସଭବନକୁ ନିଆଯାଇଥିଲା। ସେଠାରେ ସେ ନିଜ ପରିବାର ସଦସ୍ୟ ତଥା ତାଙ୍କ ପତ୍ନୀଙ୍କୁ ଭେଟିବା ପରେ ୪ ଘଣ୍ଟା ୫୫ ମିନିଟ ସମୟରେ ପୁଣି କଡା ପୁଲିସ ବଳୟ ମଧ୍ୟରେ ବଲାଙ୍ଗିର ନିଆଯାଇଥିଲା।

Comments are closed.