ପଞ୍ଜାବୀ ଗାୟକ ଅଲ୍‌ଫାଜଙ୍କୁ ମରଣାନ୍ତକ ଆକ୍ରମଣ: ହନି ସିଂହ କହିଲେ..

ମୁମ୍ବାଇ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣା ପ୍ରଶଂସକଙ୍କ ମନରୁ ଏଯାଏଁ ଲିଭି ନଥିବା ବେଳେ ପଞ୍ଜାବୀ ଶିଳ୍ପରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପୁଣି ଜଣେ ପଞ୍ଜାବୀ ଗାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶନିବାର ରାତିରେ ଘଟିଛି ଏହି ଘଟଣା। ପଞ୍ଜାବୀ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟକ ଅଲ୍‌ଫାଜଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ୟୋ ୟୋ ହନି ସିଂହ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଲ୍‌ଫାଜଙ୍କୁ ଆଜି ଫୋର୍ଟିସ୍ ହସ୍ପିଟାଲ ମୋହାଲୀକୁ ଅଣାଯାଇଛି।

ଏକ ପୋଷ୍ଟ ଶେୟାର କରି ହନି ସିଂହ ଏହି ସୂଚନା ଦେଇଛନ୍ତି। ଖାସ୍‌ କଥା ହେଉଛି ଆକ୍ରମଣକାରୀ ଧରାପଡିଛି। ଏହି ସୂଚନା ମଧ୍ୟ ହନି ସିଂହ ଦେଇଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଲ୍‌ଫାଜ ଏବେ ବିପଦମୁକ୍ତ। ହନି ସିଂହ ଅଲଫାଜଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଗାୟକ ଆହତ ଅବସ୍ଥାରେ ଶଯ୍ୟାରେ ପଡ଼ିଥିବାର ନଜର ଆସିଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କର ଗୋଟିଏ ହାତ ମଧ୍ୟ ତକିଆ ଉପରେ ରଖାଯାଇଛି। ଫଟୋରୁ ଜଣାପଡ଼ୁଛି ଯେ, ଅଲ୍‌ଫାଜଙ୍କ ଅବସ୍ଥା ବହୁତ ଖରାପ। ଏହା ସହ ହନି ସିଂହ କ୍ୟାପ୍ସନରେ ଲେଖିଛନ୍ତି, ‘‘ଗତକାଲି ରାତିରେ ମୋ ଭାଇ ଅଲ୍‌ଫାଜଙ୍କୁ କେହି ଆକ୍ରମଣ କରିଛି। ଯିଏ ଏହି ଯୋଜନା କରିଥିଲା, ମୁଁ ତାକୁ ଛାଡିବି ନାହିଁ। ଆପଣମାଦେ ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।’’

ଏହାପରେ ହନି ସିଂହ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଆଉ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ମୋହାଲୀ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି। ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଅଲଫାଜ୍ ବର୍ତ୍ତମାନ ବିପଦମୁକ୍ତ। ଏହି ପୋଷ୍ଟରେ ହନି ସିଂହ ଲେଖିଛନ୍ତି, ‘‘ମୋହାଲୀ ପୁଲିସକୁ ବିଶେଷ ଧନ୍ୟବାଦ, ଯିଏକି ଆକ୍ରମଣକାରୀଙ୍କୁ ଧରିଛନ୍ତି। ଆକ୍ରମଣକାରୀମାନେ କାଲି ରାତିରେ ଟେମ୍ପୋ ଟ୍ରାଭେଲର ଦ୍ବାରା ଅଲଫାଜଙ୍କ ଉପରକୁ ଆକ୍ରମଣ କରିଥିଲେ।’’

Comments are closed.