ଦୁଇ ଭାରତୀୟ ବଂଶୋଦ୍ଭ‌ବ ସାମ୍ବାଦିକଙ୍କୁ ‘ପୁଲିଜର’ ସମ୍ମାନ

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘା ରାଜଗୋପାଳନ୍‌ ଚଳିତ ବର୍ଷର ସମ୍ମାନଜନକ ‘ପୁଲିଜର୍’ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉପଗ୍ରହ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ଚୀନ୍‌ର ୨୬୦ ଅଟକ ଶିବିରରେ ଉଇଘୁର ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଦିଆଯାଉଥିବା ଅକଥନୀୟ ନିର୍ଯାତନା ସମ୍ପର୍କିତ ଗୂଢ଼ ଖବର ପରିବେଷଣ ପାଇଁ ମେଘାଙ୍କୁ ଏହି ସମ୍ମାନ ଦିଆଯିବ। ମେଘାଙ୍କ ଉଦ୍ୟମ ଚୀନ୍‌ରେ ମାନବାଧିକାର ଉଲ୍ଲଂଘନକୁ ପ୍ରମାଣିତ କରିଥିଲା। ଆନ୍ତର୍ଜାତିକ ଖବର ସଂଗ୍ରହ ପର୍ଯ୍ୟାୟରେ ସେ ଏହି ପୁରସ୍କାର ପାଇବେ; ତେବେ ସେ ଏକ ଇଣ୍ଟରନେଟ ଗଣମାଧ୍ୟମ ଓ ‘ବଜ୍‌ ଫିଡ୍‌ ନ୍ୟୁଜ୍‌’ର ଦୁଇ ପ୍ରତିନିଧିଙ୍କ ସହ ଏହି ସମ୍ମାନ ଭାଗ କରିବେ; କାରଣ ତିନିଜଣଙ୍କୁ ମିଳିତ ଭାବେ ଏଥିପାଇଁ ମନୋନୀତ କରାଯାଇଛି।

ପ୍ରଥମେ ଚୀନ୍‌ରେ କାର୍ଯ୍ୟ କରୁଥିବା ମେଘା ଚୀନ୍‌ କ୍ରୋଧରୁ ବଞ୍ଚିବା ପାଇଁ ପରବର୍ତ୍ତୀ ସମୟରେ କାଜାକସ୍ଥାନକୁ ପଳାଇଥିଲେ। ଜଣେ ଭାରତୀୟ ବଂଶୋଦ୍ଭବ ନେଲ୍‌ ବେଦୀ ମଧ୍ୟ ଅନୁସନ୍ଧାନମୂଳକ ସ୍ଥାନୀୟ ଖବର ପରିବେଷଣ ପାଇଁ ପୁଲିଜର୍‌ ସମ୍ମାନ ପାଇବେ। ତାଙ୍କର ଖବର ସବୁ ‘ଟାମ୍ପା ବେ ଟାଇମ୍ସ’ରେ ପ୍ରସାରିତ ହୋଇଥିଲା। ସେ ସମ୍ପ୍ରତି ୱାଶିଂଟନ୍‌ସ୍ଥିତ ‘ପ୍ରୋପବ୍ଲିକା’ ପାଇଁ କାର୍ଯ୍ୟ କରୁଛନ୍ତି। ଫ୍ଲୋରିଡାରେ ଶିଶୁଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ସ୍ଥାନୀୟ ପ୍ରଶାସନର ଅମାନବୀୟ କାର୍ଯ୍ୟ ଓ କ୍ଷମତାର ଅପବ୍ୟବହାର ସମ୍ପର୍କିତ ଖବର ପ୍ରସାରଣ କରି ଚର୍ଚ୍ଚାକୁ ଆସିଛନ୍ତି। ବେଦୀଙ୍କ ସହିତ କାଥେଲିନ୍‌ ମ୍ୟାକ୍‌ଗ୍ରୋରୀ ନାମକ ଅନ୍ୟ ଜଣେ ମଧ୍ୟ ଏହି ସମ୍ମାନ ପାଇବେ।

‘ପୁଲିଜର୍‌’ ସାମ୍ବାଦିକତା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଭାବେ ପରିଚିତ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ମାନ୍ୟତା ନିମନ୍ତେ ଆମେରିକାର କଲମ୍ବିଆ ୟୁନିଭର୍ସିଟିର ଗ୍ରାଜୁଏଟ୍‌ ସ୍କୁଲ ଅଫ ଜର୍ଣ୍ଣାଲିଜିମ ବୋର୍ଡ ପକ୍ଷରୁ ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ପୁରସ୍କାରର ୧୦୫ତମ ସଂସ୍କରଣ ପ୍ରଦାନ କରାଯିବ। ଗତବର୍ଷ ଆମେରିକାର ମିନିଆପଲିସ୍‌ଠାରେ ଜଣେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କର ପୁଲିସ ଅତ୍ୟାଚାରରେ ମୃତ୍ୟୁ ସମ୍ପର୍କିତ ଦୃଶ୍ୟ ସାହସର ସହିତ ସୁଟିଂ କରିଥିବା କିଶୋରୀ ଡାର୍ନେଲା ଫ୍ରାଜିୟରଙ୍କୁ ପୁଲିଜର ବିଶେଷ ସମ୍ମାନ ସମ୍ବର୍ଦ୍ଧିତ କରାଯିବ। ସେ ସାମ୍ବାଦିକ ହୋଇ ନ ଥିଲେ ମଧ୍ୟ ତାଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଫ୍ରାଜିୟର ତାଙ୍କ ସ୍ମାର୍ଟ ଫୋନରେ ପୁଲିସ ବର୍ବରତାର ଦୃଶ୍ୟ ଉତ୍ତୋଳନ କରିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆମେରିକାରେ ଦୀର୍ଘ କାଳ ଜନଆନ୍ଦୋଳନ ଦେଖାଦେଇଥିଲା ଏବଂ ଅଭିଯୁକ୍ତକୁ ଦଣ୍ଡବିଧାନ ସହଜ ହୋଇଥିଲା।

Comments are closed.