ପାର୍ବଣ ବଜାରକୁ ଧୋଇଦେଲା କରୋନା!

ସାରନଗରୀ: ସମଗ୍ର ଦେଶରେ କରୋନା ଠାରୁ ବଳି ପଡ଼ିଛି ପେଟ ଚିନ୍ତା! ସବୁଠାରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ବ୍ୟବସାୟୀ। ଲକଡାଉନ, ସଡ଼ଡାଉନ ଯୋଗୁ ଦୀର୍ଘ ୬ ମାସ ବ୍ୟବସାୟିକ ସ୍ଥଳ ବନ୍ଦ ରହି ବ୍ୟବସାୟ ସମୂର୍ଣ୍ଣ ଭାବେ ରସାତଳକୁ ଚାଲି ଯାଇଥିବା ବେଳେ, ପାର୍ବଣ ରୁତୁକୁ ସାହାରା କରି ଆଶା ବାନ୍ଧି ରହିଥିଲେ ବହୁ ବ୍ୟବସାୟୀ ଓ ଉଠା ଦୋକାନୀ। ମାତ୍ର ତାହା ମଧ୍ୟ ମଉଳି ହୋଇ ଯାଇପାରେ ବୋଲି ଏବେ ଠାରୁ ଆକଳନ କରାଯାଉଛି। ତଥାପି ମନରେ ଆଶା ବାନ୍ଧି ରହିଛନ୍ତି କିଛି ବ୍ୟବସାୟୀ। ରାଜ୍ୟରେ କରୋନାର କାୟା ସାମାନ୍ୟ ରୁପେ କମିଥିଲେ ହେଁ, ଏବେ ମଧ୍ୟ ସୁନ୍ଦରଗଡ଼ ଜିଲାରେ କରୋନାର ପ୍ରକୋପ ଥମି ନାହିଁ। ସୁନ୍ଦରଗଡ଼ ଜିଲା ଏବେ ମଧ୍ୟ ରେଡ଼ ଜୋନ ତାଲିକା ଅର୍ନ୍ତଭୁକ୍ତ ରହିଥିବା ଜଣାପଡ଼ିଛି।

ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ କରୋନା ସଂଖ୍ୟା ବଢିବାରେ ଲାଗିଛି। ମହାମାରୀ କରୋନାର ଏଭଳି ପ୍ରଭାବ ଚଳିତ ବର୍ଷ ପାର୍ବଣ ରୁତୁରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛି। ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏହି ପୂଜାକୁ ମହାଆଡ଼ମ୍ବରରେ ପାଳନ କରି ଆସୁଥିବାବେଳେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ପୂଜାକୁ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ପୂଜା ବଜାର ଉପରେ କରୋନା ମହାମାରୀର ପରୋକ୍ଷ ପ୍ରଭାବ ପଡିଛି! ସେଲ୍ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କୁ ପୂଜା ବୋନସ ଦେବା ମଧ୍ୟ ଘୋଷଣା ହୋଇ ସାରିଛି।

ମାତ୍ର ଏଥର ଦୁର୍ଗାପୂଜା କୋଭିଡ଼ ନିୟମ ଅନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯାଉଥିବାରୁ ଏହାକୁ ଗୋଟିଏ ପଟେ ସହରବାସୀ(ଶ୍ରଦ୍ଧାଳୁ) ହତାଶ ହୋଇ ପଡ଼ିଥିବା ବେଳେ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସାରନଗରୀ, ଦେଓଗାଁ, ଜଲଦା ଆଦି ଅଂଚଳର ଶହଶହ ଉଠା ଦୋକାନୀ, କପଡ଼ା, ଗହଣା ଦୋକାନ କରିଥିବା ବ୍ୟବସାୟୀ ମାନଙ୍କୁ ନିରାଶ ହେବାକୁ ପଡ଼ିଛି। ପୂଜା ପାଇଁ ନୂତନବସ୍ତ୍ର, ଅଳଙ୍କାର ଆଦି କ୍ରୟ କରିବା ପାଇଁ ଦୋକାନରେ ଗ୍ରାହକଙ୍କ ଗହଳି ନହେବାକୁ ନେଇ ବହୁ ବ୍ୟବସାୟୀ ଚିନ୍ତା ଓ ଆଶଙ୍କାରେ ରହୁଥିବା ସ୍ପଷ୍ଟ ଭାବେ ପ୍ରତୀୟ ମାନ ହେଉଛି। ପ୍ରତିବର୍ଷ ପାର୍ବଣ ରୁତୁ ଯେପରି ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା ଓ କାଳୀପୂଜାର ବହୁ ଦିନ ପୂର୍ବରୁ ଏହିସବୁ ଦୋକାନଗୁଡ଼ିକରେ ଗ୍ରାହକମାନେ କିଛି ନା କିଛି ନିଜ ତଥା ପରିବାର ପାଇଁ କ୍ରୟ କରିଥାନ୍ତି। ମାତ୍ର ଚଳିତ ବର୍ଷ କରୋନା ପ୍ରଭାବ ଯୋଗୁ କପଡ଼ା ଦୋକାନଗୁଡ଼ିକୁ ଅଳ୍ପ ସଂଖ୍ୟକ ଗ୍ରାହକ ଆସୁଛନ୍ତି ବୋଲି ସାରନଗରୀ ରଙ୍ଗୋଲି ଛକର କପଡ଼ା ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲ ପ୍ରକାଶ କରିଛନ୍ତି।

ସାଧାରଣତଃ ମିିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲାରେ ବିଭିନ୍ନ ଭାଷା ଓ ସମ୍ପ୍ରଦାୟର ଲୋକ ପାର୍ବଣ ରୁତୁରେ ନିଜକୁ ସାମିଲ କରିଥାନ୍ତି। ମାତ୍ର ଚଳିତ ବର୍ଷ ପାର୍ବଣ ରୁତୁ ନିରାଡମ୍ବର ଭାବେ ପାଳନ ହେଉଥିବାରୁ ବହୁ ଲୋକ ସୁନା ଅଳଙ୍କାର କ୍ରୟ ଉପରେ ଏତେଟା ଗୁରୁତ୍ୱ ଦେଉନାହାନ୍ତି। ଯାହାର ପ୍ରଭାବ ସିଧାସଳଖ ସୁନା ବ୍ୟବସାୟୀ ମାନଙ୍କ ଉପରେ ପଡ଼ିଛି। କୋଭିଡ଼ କଟକଣା ଯୋଗୁ ଏବେ ପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ସୁନା ବ୍ୟବସାୟ ହୋଇଛି, ବଜାର ସମୂର୍ଣ୍ଣ ରୂପେ ମାନ୍ଦା ରହିଥିବା ବେଳେ, ଆର୍ନ୍ତଜାତୀୟ ବଜାରରେ ସୁନାର ଦରରେ ଫରକ ପ୍ରାୟ ସବୁ ସମୟରେ ରହୁଥିବାରୁ ଏହାର ପ୍ରଭାବ ବିକ୍ରି ଉପରେ ପଡ଼ିଛି। ତଥାପି କିଛିଟା ଆଶା ବାନ୍ଧି ରହିଛନ୍ତି ସ୍ଥାନୀୟ ଅଂଚଳର ସୁନା ଅଳଙ୍କାର ବ୍ୟବସାୟୀ। ଧନତେରସ ପୂର୍ବରୁ ସୁନା ବ୍ୟବସାୟରେ ଅଭିବୃଦ୍ଧି ଘଟିବା ଆଶା କରାଯାଉଛି। ଦୀପାବଳୀ ପୂର୍ବରୁ ଧନତରେସକୁ ନେଇ ବିଭିନ୍ନ ଡିଜାଇନର ହୀରା, ସ୍ୱର୍ଣ୍ଣ ଆଭୂଷଣ, ରୂପା ଅଳଙ୍କାର ଗ୍ରାହକମାନଙ୍କ ପାଇଁ ବିକ୍ରି ଉଦ୍ଦେଶ୍ୟରେ ଦୋକାନରେ ସଜାଇ ରଖିଥାନ୍ତି, ମାତ୍ର ସୁନା ଅଳଙ୍କାର ଦୋକାନ ଗୁଡ଼ିକ ଏଥର ଗ୍ରାହକ ବିନା ଖାଁ ଖାଁ ଦେଖିବାକୁ ମିଳୁଛି।

କୋଭିଡ଼ ନିୟମ ଯୋଗୁ ବିଭାଘର, ବ୍ରତଘର ଯାକଜମକରେ ହୋଇ ପାରୁନଥିବାରୁ ଅନେକ ପରିବାର ଆଗାମୀ ବର୍ଷରେ ଏସବୁ ମାଙ୍ଗଳିକ କାର୍ଯ୍ୟ କରିବାକୁ ଆଶା ବାନ୍ଧି ରହିଛନ୍ତି। ବିଭାଘର ନହେବା ଯୋଗୁ ସୁନା ବ୍ୟବସାୟ ଉପରେ ଏହାର ପରୋକ୍ଷ ପ୍ରଭାବ ପଡ଼ିଛି ବୋଲି ସାରନଗରୀ ଗଂଜୁ ମାର୍କେଟ ଅଂଚଳର ସୁନା ଅଳଙ୍କାର ବ୍ୟବସାୟୀ ବିପ୍ଲବ କୁମାର ସାହୁ ପ୍ରକାଶ କରିଛନ୍ତି।

ସେହିପରି ପୂଜା ବଜାରରେ ବିଭିନ୍ନ ଦୁଇଚକିଆ ଗାଡ଼ିର ସୋରୁମ, ଇଲୋକଟ୍ରୋନିକ୍ସ ଦୋକାନରେ ମଧ୍ୟ ଆଶାଜନକ ବେପାର ଏଯାଏ ହୋଇ ପାରି ନଥିବା ଜଣାପଡ଼ିଛି। କେବଳ ଯାହା, ମୋବାଇଲ ସୋ ରୁମ, ଷ୍ଟେସନାରୀ ଦୋକାନରେ କିଛି ଗ୍ରାହକଙ୍କ ପାଦ ପଡ଼ୁଛି। କେବଳ ଯେ, ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନ ନୁହେଁ, ଖୋଲା ଆକାଶ ତଳେ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କ ବ୍ୟବସାୟ ଉପରେ କରୋନାର କୁପ୍ରଭାବ ପଡ଼ିଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମା’ ଦଶଭୂଜାଙ୍କ ନିରାଡମ୍ବର ପୂଜା ହେବା ସହ କୌଣସି ପେଣ୍ଡାଲରେ ମୀନାବଜାର, ଉଠା ଦୋକାନ ରହିବ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ରହିଛି। ଯାହାକି ମଧ୍ୟବିତ ଶ୍ରେଣୀୟ ଉଠା ଦୋକାନୀମାନଙ୍କୁ ନିରାଶ କରିଛି। ବିଶେଷ କରି ପ୍ରତିବର୍ଷ ଦୁର୍ଗାପୂଜାରେ ସପ୍ତମୀ ଠାରୁ ଆରମ୍ଭ କରି ଦଶମୀ ଯାଏ ପୂଜା ପେଣ୍ଡାଲର ଅନତି ଦୂରରେ ବିଭିନ୍ନ ଚଟପଟି ଖାଦ୍ୟ ଯେପରି ଗୁପଚୁପ, ଚାଟ, ଆଇସିକ୍ରିମ, ଝାଲମୁଡ଼ି,ଦହିବରା, ପାମ୍ପଡ ସମେତ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ରକମର ଖେଳନା, ବେଲୁନ ଆଦି ପୂଜା ପେଣ୍ଡାଲ ଗୁଡ଼ିକରେ ବିକ୍ରି କରି ଉଠା ଦୋକାନୀମାନେ ଦୁଇ ପଇସା ରୋଜଗାର କରିଥାନ୍ତି।

ଏଥର ଦୋକାନଗୁଡ଼ିକ ପୂଜା ମଣ୍ଡପ ନିକଟରେ ରହିବା ଉପରେ ପ୍ରତିବନ୍ଧକ ଲାଗିଛି। ଏହାକୁ ନେଇ ଚିନ୍ତିତ ଅଛି ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳରେ ରହୁଥିବା ୧୦୦ରୁ ଉଠା ଦେକାନୀ। ସ୍ଥାନୀୟ ନାରାୟଣୀ ମାର୍କେଟ ଅଂଚଳରେ ରହୁଥିବା ଉଠା ଦୋକାନୀ ରଣଜିତ ସିଂଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ପେଣ୍ଡାଲରେ ଝାଲ ମୁଢି, ଚଣା ଆଦି ବିକ୍ରି କରି ଦୈନିକ ୩୦୦ ଟଙ୍କା ଆୟ କରିଥାନ୍ତି, ମାତ୍ର ଏଥର ପାର୍ବଣ ରୁତୁରେ ଲୋକଙ୍କ ଗହଳି ବିନା ବିକ୍ରିବଟା ହେବା ସମୂର୍ଣ୍ଣ ଅସମ୍ଭବ ବୋଲି ଚିନ୍ତାର ସହ ପ୍ରକାଶ କରିଥିଲେ। କରୋନା ଯୋଗୁ ଏଭଳି ଶହଶହ ଉଠା ଦୋକାନୀ ମାନଙ୍କ ଜୀବନଜୀବିକା ପାର୍ବଣ ରୁତୁରେ ପ୍ରଭାବିତ ହୋଇଛି।

କରୋନା ମହାମାରୀ ଯୋଗୁ ଅନେକ ମାସ କାଳ ବହୁ ଦୋକାନ ବଜାର ବନ୍ଦ ରହିଥିଲା। ଅନଲକ୫.୦ ଆରମ୍ଭ ହେବା ପରେ ବ୍ୟବସାୟୀ, ଉଠା ଦେକାନାୀମାନେ ପାର୍ବଣ ରୁତୁକୁ ନେଇ ଆଶା ବାନ୍ଧିଥିଲେ, ଯାହାକି ଫିକା ପଡ଼ି ଯାଇଛି! ଅପରପକ୍ଷରେ ଏଯାଏ ବହୁ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସି ପାରିନଥିବା ବେଳେ କିଛି ଲୋକ ଚାକିରୀ (ବେସରକାରୀ) ଓ ବୃତି ହରାଇ ଘରେ ହାତବାନ୍ଧି ବସି ରହିଛନ୍ତି। ଏଭଳି ଦୁଃସମୟରେ ଲୋକ ପାର୍ବଣ ରୁତୁକୁ ପାଳନ କରିବା ଉପରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ! ପେଟକୁ ଦୁଇ ଓଳି ଦାନା ଯୋଗାଣ କରିବା କାଠିକର ପାଠ ହୋଇ ପଡ଼ିଥିବା ବେଳେ, ଅନ୍ୟପଟେ ପାର୍ବଣ ଉତ୍ସାହ ଫିକା ପଡ଼ି ଯାଇଛି, ଯାହାର ସିଧାସଳଖ ପ୍ରଭାବ ବଜାର ଉପରେ ପଡ଼ିଛି।

Comments are closed.