ବିରୋଧ ସତ୍ୱେ ଜନଶୁଣାଣୀ, ପ୍ରଶାସନର ଭୁମିକାକୁ ନେଇ ସନ୍ଦେହ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ଓ ଡଙ୍କାରୀ ଗ୍ରାମରେ ଥିବା କଳାପଥର ପହାଡରେ ପଥରଖନନ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର ମହିଶରା ଗ୍ରାମପଂଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଛି। ଧର୍ମଶାଳା ତହସିଲ ଅଧିନ ତଳଗଡ ରାଜସ୍ୱ ସର୍କଲ ଅନ୍ତର୍ଗତ ରାହାଡପୁର ମୌଜାରେ ୪୨.୨୦ ହେକ୍ଟର ପରିମିତ ଅଂଚଳରେ ୧୨ଟି ଖଣିକୁ ୭ଟି କ୍ଲଷ୍ଟର ଓ ଡଙ୍କାରୀ, ବାରମାଣ, ବରଡା ରାଜସ୍ୱ ଗ୍ରାମରେ ୯୮.୪୨ହେକ୍ଟର ପରିମିତ ଜମିରେ ୨୪ଖଣି ୫ଟିକ୍ଲଷ୍ଟର କରାଯାଇ ଲିଜ ଦିଆଯିବା ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ରାହାଡପୁରର ଜନଶୁଣାଣୀ ଥିବା ବେଳେ ୨.୩୦ମିନିଟ ପରେ ଡଙ୍କାରୀ ଏବଂ ଅନ୍ୟ ମୌଜାର ଜନଶୁଣାଣୀ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଶୁଣାଣୀ ପାଇଁ ଯେତିକି ଜନମାନଙ୍କର ଉପସ୍ଥିତି ସର୍ବନିମ୍ନ ଆବଶ୍ୟକ ଥିଲା ତାହା ସେଠାରେ ଦେଖିବାକୁ ମିଳିନଥିଲା। ଲଘୁଚାପ ପ୍ରଭାବରେ ସାରା ଅଂଚଳରେ ପ୍ରବଳ ମାତ୍ରାରେ ବର୍ଷା ସହିତ କୋହଲା ପାଗ ରହିଥିବାରୁ ରାହାଡପୁର ଖାଦାନ ସମ୍ବନ୍ଧୀୟ ଜନସୁଣାଣି ସମୟରେ ଖୁବ କମ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଓ ଉପସ୍ଥିତ ଥିବା ଜନସାଧାରଣ ଜନଶୁଣାଣୀର ସଫଳତାକୁ ନେଇ ପ୍ରଶାସନକୁ ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ଲଘୁଚାପ ବର୍ଷା ସହିତ ଯାଜପୁର ଜିଲାକୁ ରେଡ ଜୋନ ଭାବରେ ଘୋଷିଣା କରିଥିବାରୁ ପ୍ରତିକୂଳ ପାଗ ସତ୍ୱେ କାହିଁକି ଜନଶୁଣାଣୀକୁ ବାତିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ସ୍ଥାନୀୟ ଡଙ୍କାରୀ ଅଂଚଳରେ ଗତକାଲି ୬ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଥିବାରୁ ଡଙ୍କାରୀ ଲୋକମାନଙ୍କୁ ଏକତ୍ରିତ କରାଯାଇ ଜନଶୁଣାଣୀ କରାଯିବାକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖିଥିଲେ।

ଗତକାଲି ସ୍ଥାନୀୟ ମହିଶରା ପଂଚାୟତର ସରପଂଚ ଚକ୍ରଧର ବେହେରା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଆଜିର ଏହି ଶିବିରକୁ ବାତିଲ କରିବାକୁ ଅନୁରୋଧ କରିଥିବା ସତ୍ୱେ ଶିବିର ଅୟୋଜନ ହୋଇଥିବାରୁ ପ୍ରଶାସନର ଭୁମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଜିଲାପାଳ କ୍ଷମତା ପ୍ରୟୋଗ ପାଇଁ କ୍ଷମତାପ୍ରାପ୍ତ ହୋଇଥିବା ସରପଞ୍ଚଙ୍କ ଅନୁରୋଧକୁ କେଉଁ ପରିସ୍ଥିତିରେ ପ୍ରତ୍ୟାଖାନ କରାଗଲା? ତେବେ ପ୍ରଶାସନ ଏହାର ଉତ୍ତର ଦେବାକୁ ଯାଇ ଏହ ପୂର୍ବରୁ ସ୍ଥିରିକୃତ ଏକ କାର୍ଯ୍ୟକ୍ରମ ତେଣୁ ବନ୍ଦ କରାଯାଇପାରିବ ନାହିଁ ବୋଲି ସଫେଇ ଦେଇଥିଲେ। ଯେତିକି ଆସିବେ ସେତିକିରେ କୋଭିଡ ନିୟମକୁ ପାଳନ କରାଯାଇ କରାଯିବ ପରେ ସାତ ଦିନ ମଧ୍ୟରେ ଯେଉଁମାନେ ଚାହିଁବେ ସେମାନଙ୍କର ମତା ମତ ସେମାନେ ଲିଖିତ ଭାବରେ ପଠାଇ ପାରିବେ ବୋଲି ଏଡିଏମ ଅକ୍ଷୟ କୁମାର ମଲିକ କହିଥିଲେ।

ରାହାଡପୁର ସମ୍ବନ୍ଧୀୟ ଜନଶୁଣାଣୀ ସମୟରେ ଉପସ୍ଥିତ ଥିବା କିଛି ଲୋକ ସେମାନଙ୍କର ମତ ରଖିବାକୁ ଯାଇ କହିଥିଲେ ଯେ ରାହାଡପୁର ଖଣି ଚାଲିବା ଦ୍ୱାରା ପ୍ରଚୁର ମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଉଛି। ସେଠାରେ ଚାଲୁଥିବା କ୍ରସରଗୁଡିକ ପ୍ରଦୂଷଣ ରୋକିବାରେ ସମ୍ପୁର୍ଣ୍ଣ ଭାବରେ ବିଫଳ। ଖରାଦିନେ ରାସ୍ତାରେ ଧୂଳି ଉଡି ଲୋକେ ଆକ୍ତାମାକ୍ତା ହେଉଛନ୍ତି। ପ୍ରଶାସନ ରାସ୍ତାରେ କିମ୍ବା କ୍ରସରରେ ପାଣି ସିଞ୍ଚନର କୌଣସି ବ୍ୟବସ୍ଥା ପ୍ରତି ସମ୍ବେଦନଶୀଳ ନୁହଁନ୍ତି। କେବଳ ଆଇନ କାନୁନ ସବୁ ଜନଶୁଣାଣୀରେ ପଢାଯାଉଛି। ବାସ୍ତବକତା କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ। ଥରେ ପରିବେଶ ମଞ୍ଜୁରୀ ମିଳିଗଲା ପରେ ଲିଜଧାରୀ କିମ୍ବା କ୍ରସର ମାଲିକ କିମ୍ବା ପ୍ରଶାସନ କେହି ଆଉ ସେଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଥିଲା। ରାଜସ୍ୱ ବୃଦ୍ଧିପାଇଁ ଖଣି ଲିଜ ହେଉ ଏବଂ ପ୍ରଶାସନ ଖଣି ଚୋରି ରୋକିବାକୁ ପ୍ରୟାଶ କରିବା ସହିତ ପ୍ରଦୁଷଣ ବୃଦ୍ଧି ରୋକିବାକୁ ଚେଷ୍ଠା କରୁ ବୋଲି ମତ ରଖିଥିଲେ।

ସ୍ଥାନୀୟ ସାମ୍ବାଦିକ ପ୍ରବୋଧ ମିଶ୍ର, ଶଙ୍କର ପ୍ରତାପ ଦାସ, ଅରୁପକୁମାର ନାୟକ, ଅୟଶକାନ୍ତ ରାଉତ, ବସନ୍ତ ନାୟକ, ମାନସ ରଂଜନ ବିଶ୍ୱାଳ, ସୁବ୍ରତ ମଲିକ, ପ୍ରମୁଖ ପ୍ରଶାସନର ଖଣି ପରିଚାଳନା ଉପରେ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। ସେହିପରି ଭାବରେ ଜନଶୁଣାଣୀରେ ଭାଗନେଇ ପାହାଡ ପର୍ବତ ସୁରକ୍ଷା ମଞ୍ଚର ଆବାହକ ତଥା ଯୁବନେତା ସତିଶ ବିଶ୍ୱାଳ ଶିବିରକୁ ବିରୋଧ କରିବା ସହିତ ପ୍ରଶାସନର କାର୍ଯ୍ୟଧାର ଉପରେ ପ୍ରଶ୍ନ ଉଠାଇ ଖୁବ ବର୍ଷିଥିଲେ। ୨୦୧୭ ମସିହାରୁ ଏ ଅଂଚଳରେ ୱାଗନ ବ୍ଲାଷ୍ଟିଂ ବନ୍ଦ କରାଯିବାକୁ ତତକାଳିନ ଜଙ୍ଗଲ ପରିବେଶ ବିଭାଗ ନିର୍ଦ୍ଦେଶକ ଭାଗିରଥି ବେହେରା ନିର୍ଦ୍ଦେଶ ଦେଇଥିବା ବେଳେ ଏବଂ ଜିଲାପାଳ ଓ ଅରକ୍ଷୀ ଅଧିକ୍ଷକ ପ୍ରତ୍ୟେକ ଥାନାକୁ ଏ ସମ୍ବନ୍ଧୀୟ ଚିଠି ଦେଇଥିବା ବେଳେ କାହିଁକି ଆଜି ପର୍ଯ୍ୟନ୍ତ କୌଣସି ଜଣେ ୱାଗନ ବ୍ଲାଷ୍ଟିଂକାରୀ ଲିଜଧାରୀ କିମ୍ବା ପଥର ମଫିଆ ଉପରେ କେସ କରିନହାଁନ୍ତି ତାର ଜବାବ ମାଗିଥିଲେ। ଏହି ପାହାଡ ପର୍ବତର ସୁରକ୍ଷାପାଇଁ ଯଦି ଚେଷ୍ଠା ନକରିବେ ତେବେ ଇତିହାସ ଆପଣମାନଙ୍କୁ କ୍ଷମା କରିବ ନାହିଁ। ଏଥି ସହିତ ଏଠାରେ ବିଭାଗୀୟ ଅଧିକାରୀ ଗୋଟିଏ ରାତି ରହିଲେ ୱାଗନ ବ୍ଲାଷ୍ଟିର ପ୍ରଭାବ ଅନୁଭବ କରିବେ ବୋଲି ଅନୁରୋଧ ମଧ୍ୟ କରି ପ୍ରତିବାଦ କରିଥିଲେ।

ପରିବେଶବିତ ସର୍ବେଶ୍ୱର ବେହୁରା ଆଜିର ଜନ ସୁଣାଣିକୁ ସମ୍ପୁର୍ଣ୍ଣ ଭାବରେ ବିରୋଧ କରୁଥିବା କହିବା ସହିତ ଗତ ଫେବୃୟାରୀ ମାସରୁ ସେ ମାଇନିଙ୍ଗ ପ୍ଲାନ ଆରଟିଆଇରେ ମାଗିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ତହସିଲ ପକ୍ଷରୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ରାଜସ୍ୱ ହାନୀ ପଛରେ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କ ଭୁମିକାକୁ ସେ ସନ୍ଦେହ ଚକ୍ଷୁରେ ଦେଖିଥିଲେ। ନିଜର ମତ ରଖିବାକୁ ଯାଇ କହିଥିଲେ ପଥର ଲୁଟପାଇଁ ଏକ ତ୍ରୀକୋଣୀୟ ଅସାଧୁ ମେଣ୍ଟ ହୋଇଛି। ମୋତେ ଗତ ୭।୫ରୁ ତାଙ୍କୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ଉଲ୍ଲେଖ ରହିଛି ଯେ ରାହାଡପୁରରେ କୌଣସି ଲିଜ ଦିଆଯାଇନାହିଁ। ତେବେ ପ୍ରଶ୍ନ ରାହାଡପୁରରେ ଏତେ ଗୁଡାଏ ଖାଦାନରେ ଏବେ ସମୁଦ୍ର ଭଳି ପଣି ଜମିଲାଣି, କଣ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ଗ୍ରହଣ କରିଛି? ଏଥି ସହିତ ସେ ଏହାକୁ ସମ୍ପୁର୍ଣ୍ଣ ଭାବରେ ବାତିଲ କରିବା ପାଇଁ ଉଚ୍ଚନ୍ୟାୟାଳୟରେ କେସ ହୋଇଛି ଆସନ୍ତା ୨୭।୮ରେ ତାର ପୁର୍ଣ୍ଣାଙ୍ଗ ସୁଣାଣି ପାଇଁ ଥିବାର କହିଥିଲେ। ଦ୍ୱିତୀୟ ଅଧିବେସନରେ ଡଙ୍କାରୀକୁ ନେଇ ଜନଶୁଣାଣୀ ବେଳେ ନାରୀ ଜାଗରଣ ସମିତିର ସଭାନେତ୍ରୀ ସାବିତ୍ରୀ ସାହୁ ଡଙ୍କାରୀ ଲିଜ ନକରିବାକୁ ଦୃଢ ଦାବି କରି ଜାତୀୟ ସବୁଜ ପ୍ରାଧିକରଣ ଠାରେ କେସ ଥିବା ସ୍ଥଳେ କିପରି ଲିଜ ପାଇଁ ଅନୁମତି ମିଳିବ ବୋଲି ପ୍ରଶ୍ନ କରିଥିଲେ। ସେହି ଗ୍ରାମର କିଛି ଲୋକ ସପକ୍ଷରେ ମତ ରଖିଥିଲେ। ମୋଟାମଟି ଦେଖିବାକୁ ଗଲେ ଆଜିର ଏହି ଜନସୁଣାଣୀ ଶିବିର ବର୍ଷା ବାଧକ ଓ ପ୍ରବଳ ବିରୋଧର ସହିତ ସେଶ ହୋଇଛି। ଆଜିର ଶିବୀରରେ ଏଡିଏମ ଅକ୍ଷୟ କୁମାର ମଲିକ, ପ୍ରଦୁଷଣ ଅଧିକାରୀ ପ୍ରମୋଦ କୁମାର ବେହେରା ଉପ ଜିଳାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସରୋଜକୁମାର ପଣ୍ଡା, ଥାନାଧିକାରୀ ଆଶିସ କୁମାର ସାହୁଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ତିତ ଥିଲେ।

Comments are closed.