ଜନ୍ମପୀଠରେ ପଣ୍ଡିତ ନୀଳକଣ୍ଠ ଜୟନ୍ତୀ ସମାରୋହ

ସୁଆଣ୍ଡୋ :  ଓଡ଼ିଆ ସତ୍ୟବାଦୀ ଯୁଗର ଅନ୍ୟତମ ପ୍ରବକ୍ତା ପଣ୍ଡିତ ନୀଳକଣ୍ଠଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଜନ୍ମପୀଠ ପୁରୀଜିଲା ସାକ୍ଷୀଗୋପାଳ ସନ୍ନିକଟ ଶ୍ରୀରାମଚନ୍ଦ୍ର ପୁର ଶାସନରେ ଶୁକ୍ରବାର ପାଳିତ ହୋଇ ଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ଏହି ସାରସ୍ୱତ ସଭାର ଆଯୋଜନ କରାଯାଇ ଥିଲା। ସାହିତ୍ୟ ଏକାଡେମୀର ସଭ୍ୟ ଡ. ପ୍ରତିଭା ମହାରଥୀ ସଭାରେ ଅଧ୍ୟକ୍ଷତା କରିଥିଲେ । ଅତିଥି ମାନଙ୍କ ଦ୍ବାରା ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ସଭାରେ ମୁଖ୍ୟବକ୍ତା ଡ. ଶରତ ଚନ୍ଦ୍ର ରଥ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଓଡିଆ ଗଦ୍ୟ ଓ ପଦ୍ୟ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଶିକ୍ଷା, ସଂସ୍କୃତି ମୂଳକ, ସମାଲୋଚ଼ନା ବୋଧଧର୍ମୀ କଳାତ୍ମକ ଓ ଆଧ୍ୟାତ୍ମିକ ଭାବଧାରା ସମନ୍ୱୀତ ବହୁ ଉପାଦେୟ ପୁସ୍ତକ ସେ ରଚନା କରିଯାଇଛନ୍ତି । ତାଙ୍କ ସାମଗ୍ରିକ କୃତି ମଧ୍ୟରେ କୋଣାର୍କେ, ଖାରବେଳ, ଦାସ ନାୟକ, ପ୍ରଣୟିନୀ ଆଦି କାବ୍ୟ ସମ୍ଭାର ଏବଂ ଓଡ଼ିଆ ସାହିତ୍ୟର କ୍ରମ ପରିଣାମ, ଭଗବତ ଗୀତା ଓ ଲାବନ୍ୟବତୀ ଆଦି ଉଲ୍ଲେଖ ଯୋଗ୍ୟ ରଚନାବଳୀ ରହିଛି। ଏହି ସାରସ୍ୱତ ପୁରୁଷ ଜ୍ଞାନ ତପସ୍ୱୀ ଓ ସ୍ୱାଭିମାନୀ ରାଷ୍ଟ୍ରନୀତିଜ୍ଞ ଓଡିଆ ଜାତିର ଚିର ନମସ୍ୟ ବୋଲି କହିଥିଲେ।

ସମ୍ମାନୀତ ଅତିଥି ଡ. ପ୍ରସନ୍ନ ନାୟକ କହିଲେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଭାବରେ ପଣ୍ଡିତ ନୀଳକଣ୍ଠ ଦେଶର ସ୍ୱାଧୀନତା ପାଇଁ କରାବରଣ କରିଥିଲେ । ଅତ୍ୟନ୍ତ ଯୁକ୍ତିନୀଷ୍ଠ ନିର୍ଭିକ ଭାବରେ ଅନ୍ଧ ବିଶ୍ବାସ ଓ କୁସଂସ୍କାର ବିରୋଧରେ ଦ୍ରୁଢ ପ୍ରତିବାଦ କରି ସମାଜର ଅଶେଷ କଲ୍ୟାଣ ସାଧନ କରିଥିଲେ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନୀୟା ବକ୍ତା ଡ. ମନୋରମା ଦାଶ ଯୋଗଦେଇ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ମହାପ୍ରୟାଣ ପରେ ‘ସମାଜ’ ଖବର କାଗଜରେ କିଛିଦିନ ପାଇଁ ପଣ୍ଡିତ ନୀଳକଣ୍ଠ ତାହାର ସଂପାଦକ ଥିଲେ। ମହାମନା ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବାରେ ନୀଳକଣ୍ଠ ସମଗ୍ର ଜୀବନ ବିତାଇଥିଲେ ବୋଲି ଶ୍ରୀମତୀ ଦାଶ ମତବ୍ୟକ୍ତ କରିଥିଲେ। ସଭାରେ ଅଧ୍ୟକ୍ଷତା କରିଥିବା ଡ. ପ୍ରତିଭା ମହାରଥୀ ନିଜ ବକ୍ତବ୍ୟରେ କହିଥିଲେ ମନିଷୀ ନୀଳକଣ୍ଠ ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ପ୍ରତି ତାଙ୍କର ମହନୀୟତା  ଅତି ନିବିଡ଼ ଥିଲା । ସାହିତ୍ୟ, ଧର୍ମ, ଦର୍ଶନ, ଇତିହାସ, ରାଜନୀତି ପ୍ରଭୃତି ବିଭିନ୍ନ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ ପାରଦର୍ଶିତା ରହିଥିଲା ବୋଲି ମତବ୍ୟକ୍ତ କରିଥିଲେ। ସଂସ୍କୃତି ସଚିବ ପ୍ରବୋଧ କୁମାର ରାଉତ ଧନ୍ୟବାଦ ଦେଇଥିଲେ । ଆଚାର୍ଯ୍ୟ ଯୁବ ପରିଷଦ ସଭାପତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଂପାଦକ ମଞ୍ଚ ସଂଯୋଜନା କରିଥିଲେ। ସଭାରେ ବୁଦ୍ଧିଜୀବୀ ସମାଜସେବୀ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Comments are closed.