ଡାକ୍ତରଖାନାକୁ ବୀମା ନିୟାମକଙ୍କ ନିର୍ଦେଶ : ​କୋଭିଡ୍‌-୧୯ ରୋଗୀଙ୍କୁ ନଗଦମୁକ୍ତ ଚିକିତ୍ସା ସୁବିଧା ଦିଅ

ହାଇଦ୍ରାବାଦ : କୋଭିଡ୍-୧୯ ରୋଗୀଙ୍କୁ ଡାକ୍ତରଖାନାରେ ମିଳୁନାହିଁ ଉପଯୁକ୍ତ ସେବା । ବୀମାଭୁକ୍ତ ହୋଇଥିଲେ ସୁଦ୍ଧା ରୋଗୀଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଦେଉନାହାନ୍ତି ନଗଦମୁକ୍ତ ଚିକିତ୍ସା ସୁବିଧା । ଏଭଳି ଘଟଣା ପଦାକୁ ଆସିବା ପରେ ପ୍ରସଙ୍ଗକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତି କରିଛନ୍ତି ବୀମା ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏ) । ଏମିତି ଅନେକ ଅଭିଯୋଗ ହସ୍ତଗତ ହେବା ପରେ ବୀମା ନିୟାମକ କୋଭିଡ୍‌-୧୯ ରୋଗୀଙ୍କୁ ନଗଦମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କଡ଼ା ନିର୍ଦେଶ ଜାରି କରିଛନ୍ତି । ଏହି ନିର୍ଦେଶର ଅବମାନନା କଲେ କ​ଠୋର କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ନିକଟରେ ହାଇଦ୍ରାବାଦର ଜଣେ ଆଇଟି କର୍ମଜୀବି ବୀମାଭୁକ୍ତ ହୋଇଥିଲେ ସୁଦ୍ଧା ଡାକ୍ତରଖାନାରେ ନଗଦମୁକ୍ତ ଚିକିତ୍ସା ସୁବିଧା ମିଳୁ ନ ଥିବା ନେଇ ଆଇଆର୍‌ଡିଏରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ମା’ ​କୋଭିଡ‌-୧୯ର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ, କିନ୍ତୁ ତାଙ୍କୁ ନଗଦମୁକ୍ତ ଚିକିତ୍ସା ସୁବିଧା ମିଳି ନ ଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଏହି ସୁବିଧା ଦେବାକୁ ଅଗ୍ରାହ୍ୟ କରିଥିଲେ । ଆଇଆର୍‌ଡିଏର ହସ୍ତକ୍ଷେପ ପ​‌​ରେ ରୋଗୀଙ୍କୁ ନଗଦମୁକ୍ତ ଚିକିତ୍ସା ସୁବିଧା ଦିଆଯାଇଥିଲା।  ଏ ସମ୍ପର୍କରେ ଆଇଆର୍‌ଡିଏର ସାଧାରଣ ପରିଚାଳକ(ଜିଏମ୍‌, ଉପଭୋକ୍ତା ବ୍ୟାପାର) ଟି.ଏସ୍‌. ନାଏକ କହିଛନ୍ତି ଯେ, ବୀମାଭୁକ୍ତ ହୋଇଥିବା ଅନେକ ବୀମାଧାରୀଙ୍କୁ ଡାକ୍ତରଖାନାଗୁଡିକ ​କୋଭିଡ-୧୯ର ଚିକିତ୍ସା ପାଇଁ ନଗଦମୁକ୍ତ ଚିକିତ୍ସା ଦେବା ଯୋଗାଉ ନ ଥିବା ନେଇ ଆମ ନିକଟରେ ଅଭିଯୋଗମାନ ପହଞ୍ଚିବାରେ ଲାଗିଛି । ଏମିତିକି ଅଧିକାଂଶ ଡାକ୍ତରଖାନା ଚିକିତ୍ସା ସେବା ଯୋଗାଇବା ପାଇଁ ବୀମାଧାରୀ ରୋଗୀଙ୍କଠାରୁ ନଗଦ ଅର୍ଥ ଦାବି କରୁଛନ୍ତି । ବୀମା କମ୍ପାନୀଙ୍କ ସହ ଡାକ୍ତାରଖାନାଗୁଡିକ କରିଥିବା ଚୁକ୍ତି ଅନୁଯାୟୀ, ​କୋଭିଡ‌-୧୯ ସମେତ ଯେକୌଣସି ପ୍ରକାର ଚିକିତ୍ସା ସେବା କ୍ଷେତ୍ରରେ ବୀମାଧାରୀଙ୍କୁ ନଗଦମୁକ୍ତ ସେବା ଯୋଗାଇବା ଦେବାକୁ ହସ୍‌ପିଟାଲଗୁଡିକ ବାଧ୍ୟ ବୋଲି ଶ୍ରୀ ନାଏକ କହିଛନ୍ତି ।

Comments are closed.