ଓଡିଶା ପାଇଁ ଗର୍ବ ଓ ଗୌରବର ଦିନ : ୨୦ବର୍ଷ ପରେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଓଡିଆ ସାଂସଦ

ଡକ୍ଟର ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ସାଂସଦଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :  ଓଡ଼ିଶା ପାଇଁ ଆଜି ଏକ ଗର୍ବ ଓ ଗୌରବର ଦିନ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଶନିବାର ରାଜ୍ୟସଭାରେ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି। ମହାମାରୀ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ବିଲ୍ ଉପରେ ଆଲୋଚନା ସମୟରେ ଓଡ଼ିଆ ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରି ଗୃହ ପରିଚାଳନା କରିଥିଲେ। ସେ ଆସନ ଗ୍ରହଣ କରିବା ସମୟରେ ସାଂସଦମାନେ ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଆଜିର ଅଧିବେଶନ ଶେଷ ହେବା ପରେ ଅନେକ ରାଜ୍ୟସଭା ସାଂସଦ ଡକ୍ଟର ପାତ୍ରଙ୍କୁ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ। ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ଭଦ୍ର ଆଚରଣ ଏବଂ ଧୈର୍ଯ୍ୟର ସହିତ ସେ ଗୃହ ପରିଚାଳନା କରିଥିଲେ ବୋଲି ସେମାନେ କହିଥିଲେ।

ଡକ୍ଟର ସସ୍ମିତ ପାତ୍ର ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ତାଙ୍କ ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି। ନବୀନ ପଟ୍ଟନାୟକ ଏବଂ ଓଡିଶାର ୪.୫ କୋଟି ଲୋକ, ଯାହାଙ୍କ ବିନା ରାଜ୍ୟସଭାକୁ ଏହି ଯାତ୍ରା ତଥା ପ୍ରଥମ ଥରରେ ରାଜ୍ୟସଭାରେ ଅଧ୍ୟକ୍ଷତା କରିବା ସମ୍ଭବ ହୋଇନଥାନ୍ତା ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଜୁଲାଇ ୨୪ ତାରିଖରେ ରାଜ୍ୟସଭା ପକ୍ଷରୁ  ପ୍ରକାଶିତ ଉପାଧ୍ୟକ୍ଷ ପ୍ୟାନେଲରେ ଭୁବନେଶ୍ବର କଲିତା, ଶ୍ରୀମତୀ ବନ୍ଦନା ଚଭନ, ସୁଖେନ୍ଦୁ ଶେଖର ରାୟ, ସୁରେନ୍ଦ୍ର ସିଂହ ନାଗର, ଡକ୍ଟର ଏଲ. ହନୁମନ୍ଥାୟା ଏବଂ ଡକ୍ଟର ସସ୍ମିତ ପାତ୍ର ପ୍ରମୁଖ ୬ଜଣ ସାଂସଦ ସ୍ଥାନ ପାଇଥିଲେ।

 

Comments are closed.